(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ ଆଜିଠାରୁ ପ୍ରତିଦିନ ଧାରାବାହିକ ଭାବେ ଏହି ଆଲେଖ ‘ଝଡ଼ର ଇଗଲ୍’ ପ୍ରକାଶିତ ହେବ ।)
ଆକାଶରେ ଝଡ଼ ଆସିଲେ ପକ୍ଷୀମାନେ ଡରିଯାଆନ୍ତି । ଆଶ୍ରାଖୋଜି ଛପିଯାଆନ୍ତି ଯିଏ ଯୁଆଡ଼େ । ମାତ୍ର ଇଗଲ୍ର ଖାତିର୍ ନଥାଏ । ଝଡ଼ ଉପରକୁ ଉଠିଯାଇ ସେ ଉଡ଼ାଣ ନେଇପାରେ । ବିପଦକୁ ସାମନା କରେ । ପକ୍ଷୀମାନଙ୍କ ମେଳରେ ସେ ନିଆରା । ଜୀବନ ତା’ର ସାହସିକତାରେ ଭରା ।
ଝଡ଼ର ଇଗଲ୍ ଏକ ଦୁଃସାହସିକ ଜୀବନର କାହାଣୀ । ସେ ଜୀବନ ଜଣେ ଅନନ୍ୟ ଓଡ଼ିଆଙ୍କର ଯିଏ ଦେଶ ଓ ଦଶର ଆବଶ୍ୟକତା ପୂରଣ ସକାଶେ ଯେ କୌଣସି ବିପଦକୁ ସାମନା କରିବା ଲାଗି ଥିଲେ ସଦା ତତ୍ପର । ଶେଷରେ ସର୍ବସ୍ୱ ତ୍ୟାଗ କରିଦେଇଥିଲେ ସାମଗ୍ରିକ ଓଡ଼ିଶାର ବିକାଶ ଚିନ୍ତାରେ ।
ସେ ହେଉଛନ୍ତି ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକ । ଲୋକମୁଖରେ ବିଜୁ ପଟ୍ଟନାୟକ । ଓଡ଼ିଶାର ପ୍ରାଚୀନ କଳିଙ୍ଗ ସ୍ମୃତିରେ ବିଭୋର ଅପ୍ରତିରୋଧ୍ୟ ଜନନାୟକ ସେ । ଝଡ଼-ବିଜୟୀ ବିଜୁ ପଟ୍ଟନାୟକ ।
ଉଦୟ ବେଳା
ସକାଳ ବୁଲାରେ ଅତି ଭୋରରୁ ଯାଇ ମହାନଦୀ କୂଳେ କୂଳେ ବିଚରଣ କରୁଥାନ୍ତି କଟକର ସେତେବେଳକା ଉପଜିଲ୍ଲା ନ୍ୟାୟାଧୀଶ ବାବୁ ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ଘରେ ସହଧର୍ମିଣୀ ଆଶାଲତା ଦେବୀ ଆସନ୍ନ ପ୍ରସବା । ମନ ଭିତରେ ଘୋର ଉତ୍କଣ୍ଠା । ଧାଈ, ପରିଚାରୀ, କୁଟୁମ୍ବ, ବାଟମ୍ବ ସମସ୍ତେ ଅପେକ୍ଷାରତ । ସକାଳ ହେଉଆସୁଛି । ସୂର୍ଯ୍ୟଙ୍କର ଲୋହିତ ଆଭା ମୁକୁଳି ଆସୁଛି ପୂର୍ବଦିଗରୁ । କିଏ ଜଣେ ନଦୀରେ ସ୍ନାନ ସାରି ସୂର୍ଯ୍ୟଦେବଙ୍କ ଉଦ୍ଦେଶ୍ୟରେ ପାଣି ଆଞ୍ଜୁଳା ଟେକି ଗାଉଛନ୍ତି – “ଓଁ ଜବାକୁସୁମ ସଂକାଶଂ କାଶ୍ୟପେୟଂ ମହାଦ୍ୟୁତିମ୍” ।
ଲକ୍ଷ୍ମୀନାରାୟଣ ପଟ୍ଟନାୟକ କଟକରେ ମୁନସଫ୍ । ସ୍ୱାଧୀନଚେତା, ନିଷ୍ଠାପର । ପ୍ରତିକଥାରେ ଓଡ଼ିଆ ଜାତିର ପରମ୍ପରାକୁ ପ୍ରାଧାନ୍ୟ ଦେବା ସହ ଆଧୁନିକ ପ୍ରବାହକୁ ସ୍ୱାଗତ କରିବାର ମନୋଭାବ । ପ୍ରାଚୀନ ଉତ୍କଳ ଓ କଳିଙ୍ଗର ପରିଚୟ ଲାଗି ମନରେ ଅଫୁରନ୍ତ ଉତ୍ସାହ ।
ଧର୍ମ ନାଆଁରେ ଚାଲିଥିବା ଅନ୍ଧବିଶ୍ୱାସ ବିରୋଧରେ ସ୍ୱର ଉତ୍ତୋଳନ କରିବା ଦିଗରେ ସେ ଥିଲେ ସଦା ଉନ୍ମୁଖ । ତଥାପି ଉତ୍କଳୀୟ ପରମ୍ପରାପ୍ରତି ଥିଲା ଅତୁଟ ସମ୍ମାନ ।
ଗୋଟିଏ ପୁଅ, ଗୋଟିଏ ଝିଅକୁ ଜନ୍ମ ଦେଇ ସାରିଛନ୍ତି ଆଶାଲତା । ପୁଅ ବଡ଼, ଝିଅ ସାନ । ଶ୍ରଦ୍ଧାନନ୍ଦ ଓ ସୁକୃତି । ଶ୍ରଦ୍ଧାନନ୍ଦଙ୍କୁ ଗେଲରେ ଡାକନ୍ତି ଜର୍ଜ । ଝିଅଟିର ଶ୍ରଦ୍ଧାନାମ ବୁଢୀ ।
କିଏ ଜାଣେ କ’ଣ ହେବ ? ତୃତୀୟ ସନ୍ତାନ ଅପେକ୍ଷାରେ ଥିଲେ ସେ । ପୁଅ ନା ଝିଅ ? ତାଙ୍କ ପାଇଁ ସବୁ ସମାନ । କେବଳ ଏତିକି ପ୍ରାର୍ଥନା ଆଶାଲତା ଶୀଘ୍ର କଷ୍ଟରୁ ମୁକ୍ତି ପାଆନ୍ତୁ । ଲକ୍ଷ୍ମୀନାରାୟଣ ନିଜେ ଥିଲେ ନଅ ଭାଇ, ନଅ ଭଉଣୀ ଭିତରୁ ଜଣେ । ପିଲାଦିନୁ ଅନେକ ଦାରୁଣ ଦୁର୍ବିପାକର ସାମନା କରିଛନ୍ତି ସେ । ବହୁ କୁଟୁମ୍ବୀ ଘର । ତାହା ହିଁ ସେତେବେଳକା ବଡ଼ ପରିବାରର ଚିତ୍ର !
ଲକ୍ଷ୍ମୀନାରାୟଣ ଦେଖିଲେ କିଏ ଜଣେ ଦଉଡ଼ି ଆସୁଚି ପାଖକୁ । ସମ୍ବିତ୍ ତୁଟିଗଲା ତାଙ୍କର । ପାଖେଇ ଆସିବାରୁ ଜଣାପଡ଼ିଲା ଘରର ବିଶ୍ୱସ୍ତ ଭୃତ୍ୟ କୁବେର ।
କ’ଣ ହେଲା ବୋଲି ପଚାରିଥିଲେ ଲକ୍ଷ୍ମୀନାରାୟଣ ।
ଧଇଁସଇଁ ହୋଇ କୁବେର କହିଥିଲା – “ବାବୁ ! ପୁଅ ହୋଇଛି”
ପୂର୍ବଦିଗକୁ ଚାହିଁ ପୁଣି ଥରେ ହାତଟେକିଲେ ଲକ୍ଷ୍ମୀନାରାୟଣ । ପୁଅ ହୋଇଛି ! ଖୁସିର କଥା । ଝିଅ ହୋଇଥିଲେ ବି ଆପତ୍ତି ନଥିଲା । ମାତ୍ର ସବୁଠାରୁ ବଡ଼ କଥା ଥିଲା ଆଶାଲତା ଦେବୀ ବିପଦମୁକ୍ତ ହୋଇଛନ୍ତି ।
ଦିନଟି ଥିଲା ମାର୍ଚ୍ଚମାସ ୫ ତାରିଖ, ୧୯୧୬ ମସିହା । ସ୍ଥାନ, ତୁଳସୀପୁର, କଟକ । ଆଖପାଖର ପିଲାମାନଙ୍କୁ ଡାକି ମିଠେଇ ବଣ୍ଟା ହେଲା । ସେତେବେଳକା ଓଡ଼ିଶାରେ ଗୋଟିଏ ସାଧାରଣ ପ୍ରଥା ଥିଲା ‘ମିଠେଇ ବାଣ୍ଟ’ । ସନ୍ତାନଟିଏ ହେଲେ ସେଇଦିନ ହିଁ ସୁବିଧା ଅନୁସାରେ ପିଲାମାନଙ୍କ ଭିତରେ ମିଷ୍ଟାନ୍ନ ବଣ୍ଟନ ହୁଏ । ଥିଲାବାଲାମାନେ ଦାମୀ ମିଠେଇ, ଖୁରୁମା, ଖଜା ବାଣ୍ଟନ୍ତି । ସାଧାରଣ ଘରର ଲୋକେ ମୁଆଁ ବାଣ୍ଟନ୍ତି । ଗାଁ ଗହଳରେ ବେଶି ଚାଲୁଥିଲା ଏଇ ‘ମୁଆଁ ବାଣ୍ଟ’ । ସେଇବାଟେ ଯେମିତି ଘୋଷଣା କରି ଦିଆଯାଉଥିଲା, “ହେଇରେ ପିଲାମାନେ ତୁମମାନଙ୍କ ମେଳକୁ ସାଙ୍ଗଟିଏ ଆସିଗଲା ।”
ଲକ୍ଷ୍ମୀନାରାୟଣଙ୍କ ଜାତକରେ ବିଶ୍ୱାସ ନଥିଲା । ନୂଆ ଜନ୍ମ ହୋଇଥିବା ପୁଅଟିର ଏକୋଇଶା ଉତ୍ସବ ପାଳନ ପୂର୍ବରୁ ସେ ନିଜେ ନାମକରଣ କରିଥିଲେ, ବିଜୟାନନ୍ଦ । ବିଜୟାନନ୍ଦ ପଟ୍ଟନାୟକ । ଶ୍ରଦ୍ଧାନନ୍ଦ ସଙ୍ଗକୁ ବିଜୟାନନ୍ଦ ନାଆଁଟି ସେ ଗୋଟେଇ ଆଣିଥିଲେ ଆପଣା ଭାବରାଜ୍ୟରୁ । ମାଆ ଆଶାଲତା ଗେଲ କରୁ କରୁ କହୁଥିଲେ ‘ମୋ ବିଜୁ’ । କ୍ରମେ ସେଇ ବିଜୁ ନାଆଁଟି ହିଁ ଘରର ଶ୍ରଦ୍ଧାନାମ ପାଲଟିଗଲା ।
ନିଜେ ଲକ୍ଷ୍ମୀନାରାୟଣ ବରାଦ ଦେଇନଥିଲେ ବିଜୁଙ୍କର ଜାତକ ତିଆରି ପାଇଁ । ମାତ୍ର ତାଙ୍କୁ ଭଲପାଉଥିବା ଜଣେ ଗଣକ ପିଲାଟିର ଜନ୍ମବେଳା ବୁଝି ଆପେ ହାଜର ହୋଇଥିଲେ ଜାତକଟି ଧରି । ହାତକୁ ତାଳପତ୍ରର ଜାତକଟି ବଢେଇ ଦେଉ ଦେଉ ସେ କହିଥିଲେ – “ଏ ପୁଅଟି ଆପଣଙ୍କର ସୂର୍ଯ୍ୟଭଳି ତେଜୀୟାନ ହେବ । ଆପଣଙ୍କ ନାଆଁ ରଖିବ । ଆପଣଙ୍କ ଭଳି ସ୍ୱାଭିମାନୀ, ସ୍ପଷ୍ଟବାଦୀ ଓ ସାହସୀ ହେବ ।”
ଆଗ୍ରହ ନଥିଲା ଲକ୍ଷ୍ମୀନାରାୟଣଙ୍କ ଶୁଣିବା ଲାଗି । ମାତ୍ର ଶେଷ ତିନୋଟି ଶବ୍ଦ ଗୁଣୁଗୁଣୁ ରହିଗଲେ ସେ । ମଣିଷ ଜୀବନର ଏଇ ତିନୋଟି ଦିଗ ପ୍ରତି ସେ ନିଜେ ଅତିମାତ୍ରାରେ ଥିଲେ ଅନୁରକ୍ତ ।
ଗଣକ ମହାଶୟ ଚାଲିଯିବା ପରେ ସେ ନିଜ ଆଡୁ କୌତୁହଳୀ ହୋଇ ପଢି ବସିଥିଲେ ଜାତକଟିକୁ । କ୍ଷଣଜନ୍ମା, ବହୁକୀତ୍ତିର ଅଧିକାରୀ, ଜନପ୍ରିୟ-ଜନନେତା । ନିଜ ବିକ୍ରମରେ ବିକ୍ରମା । ଲଗ୍ନପତି ଯୁକ୍ତ ବର୍ଗୋତ୍ତମ ହୋଇଥିବା ଦୃଷ୍ଟେ ସତତ ପରିଶ୍ରମୀ, କର୍ମଠ, ଭୀଷ୍ମ-ବ୍ରତୀ । ଉଚ୍ଚାଭିଳାଷ ସାଙ୍ଗକୁ ଲୋକକଲ୍ୟାଣ ଯୋଡ଼ି ହୋଇରହିଛି । ଜନ୍ମ ସମୟକୁ ଶନି ମହାଦଶା ବାକୀ ସତର ବର୍ଷ, ଦୁଇମାସ ପନ୍ଦର ଦିନ । ପୂରା ଜାତକଟିକୁ ପଢି କ’ଣ ମନହେଲା କେଜାଣି ସେ ହସିଦେଇଥିଲେ ଟିକେ । ଘର ଭିତରକୁ ଯାଇ ସେଇଭଳି ହସିହସି ଜାତକଟିକୁ ବଢେଇ ଦେଇଥିଲେ ଆଶାଲତାଙ୍କ ହାତକୁ । ମୁରୁକି ମୁରୁକି ହସି କହିଥିଲେ – ଏଇ ନିଅ ଓ ଘୋଷଣାନାମାକୁ । ତୁମ ପୁଅଟି ବହୁକୀର୍ତ୍ତିର ଅଧିକାରୀ ହେବବୋଲି ଗଣକ ହାତକାଟି ଲେଖିଛନ୍ତି । ଇଚ୍ଛା ହେଲେ ସେଇଟିକୁ ସାଇତି ରଖିପାର ।
ଡାହାଣ ହାତରେ ଜାତକଟି ଧରୁଧରୁ କୋଳରେ ଧରିଥିବା କୁନିପୁଅ ବିଜୁକୁ ଚାହିଁଥିଲେ ଆଶାଲତା । ଏପ୍ରିଲ୍ ମାସର ଖରା ତେଜୀୟାନ୍ ହେଉଥିଲା ବେଳକୁ ବେଳ ।
(ଲେଖକ ଓଡ଼ିଆ ସାହିତ୍ୟଜଗତର ଜଣେ ସୁପ୍ରତିଷ୍ଠିତ ସାହିତ୍ୟିକ ତଥା ସ୍ତମ୍ଭକାର )
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.