ବେଙ୍ଗାଲୁରୁ: ବେଙ୍ଗାଲୁରୁସ୍ଥିତ ସିଏସଆଇଆରର ସହଯୋଗୀ ଲାବରୋଟାରୀ ଜାତୀୟ ଏରୋସ୍ପେସ୍ ଲାବରୋଟାରୀ ଏବଂ ଏମଏଏଫ କ୍ଲଦିଙ୍ଗ ପ୍ରାଇଭେଟ ଲିମିଟେଡ ମିଳିତ ସହଯୋଗରେ ବ୍ୟକ୍ତିଗତ ସୁରକ୍ଷା କଭରାଲ ସୁଟର ମଡେଲ (ପ୍ରୋଟୋଟାଇପ) ବିକଶିତ ହୋଇଛି । ଏହି ସୁରକ୍ଷା ପୋଷାକରେ ସାଧାରଣ ମେସିନ ବୁଣା କପଡା ପରିବର୍ତ୍ତେ ପଲିପ୍ରପଲିନ ସ୍ପନରେ ଏକାଧିକ ବିଶିଷ୍ଟ କୃତ୍ରିମ ବସ୍ତ୍ର ବ୍ୟବହାର କରାଯାଇଛି । କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ଏହାକୁ ପରିଧାନ କଲେ ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବେ ।
ସିଏସଆଇଆର-ଏନଏଏଲର ଡକ୍ଟର ହରିଶ ସି ବରଶିଳିଆ, ଡ.ହେମନ୍ତ କୁମାର ଶୁକ୍ଳା ଏବଂ ଏମଏଏଫ ଏମ ଜେ ବିଜୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ ସ୍ଵଦେଶୀ ଜ୍ଞାନକୌଶଳ ଉପଯୋଗ କରି ଏଭଳି ଏକ ସୁରକ୍ଷା ପୋଷାକ ତିଆରି କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । ଖୁବ କମ ଦିନରେ ସେମାନଙ୍କୁ ଏହି ସଫଳତା ମିଳିଛି । ଏହି ସୁଟକୁ କୋଏମ୍ବାଟୁରସ୍ଥିତ ‘ସିଟ୍ରା’ ପରୀକ୍ଷାଗାରରେ ତନ୍ନତନ୍ନ କରି ପରୀକ୍ଷା କରାଯିବା ପରେ ଏହା ବ୍ୟବହାର ପାଇଁ ନିରାପଦ ବୋଲି ସୁପାରିଶ କରାଯାଇଛି । ଚାରି ସପ୍ତାହ ମଧ୍ୟରେ ଏଭଳି 30 ହଜାର ସୁରକ୍ଷା ସୁଟ ଉତ୍ପାଦନ କରିବାକୁ ସିଏସଆଇଆର-ଏନଏଏଲ ଏବଂ ଏମଏଏଫ ପକ୍ଷରୁ ଚୂଡାନ୍ତ ହୋଇଛି ।
ସିଏସଆଇଆର-ଏନଏଏଲର ନିର୍ଦ୍ଦେଶକ ଜେ ଜାଦବ କହିଛନ୍ତି ଯେ, ଏହି ସୁରକ୍ଷା ସୁଟର ଉତ୍ପାଦନ ଖର୍ଚ୍ଚ କମ । ମାନ ଓ ଗୁଣ ଦୃଷ୍ଟିରୁ ଏହା ମଧ୍ୟ ବିଦେଶରୁ ଆସୁଥିବା ସୁଟଠାରୁ ଅଧିକ ନିରାପଦ ଓ ବିଶ୍ୱସନୀୟ । ଏହାକୁ ବ୍ୟବହାର କରିବା ପାଇଁ ସରକାରୀ ଅନୁମୋଦନ ମିଳିଥିବାରୁ ଏହା କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଲାଗିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବିଶେଷ ସହାୟକ ହେବ ।
Comments are closed.