Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ; ପାନ, ଗୁଟଖା ଖାଇଲେ ଥାନାରେ ଏତଲା !

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବାପାଇଁ ଗ୍ରାମାଞ୍ଚଳ ଉପରେ ଅଧିକ ଧ୍ୟାନ ଦିଆଯିବ । କରୋନା ମୁକାବିଲା ପାଇଁ ଗାଁ ଗହଳିରେ ବିକ୍ରି ହେଉଥିବା ପାନ, ଗୁଟଖା, ସୁପାରି ପ୍ରଭୃତି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ଦ୍ଦେଶ ଅମାନ୍ୟ କଲେ ସରପଞ୍ଚ ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ରେ ଥାନାରେ ଏତଲା ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ସରପଞ୍ଚ ମାନେ ଏଥିରେ ଅବହେଳା କଲେ ସେମାନଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ।

ଏଥି ସହିତ କ୍ଷୁଦ୍ର ବ୍ୟବସାୟୀ କିମ୍ବା ଅନ୍ୟାନ୍ୟ ଫେରିବାଳ ଯେଉଁ ମାନଙ୍କ ବ୍ୟବସାୟ ସ୍ଥାନରେ ଅଧିକ ଗହଳି ହେଉଛି ସେମାନଙ୍କର ମଧ୍ୟ କରୋନା ସ୍ବାବ୍ ପରୀକ୍ଷା କରାଯିବ ।

ଏମକେସିଜି ମେଡିକାଲ କଲେଜରେ ପ୍ରତିଦିନ ୯୦ ଟି ସ୍ବାବ୍ ପରୀକ୍ଷା କରାଯାଇପାରିବା ଯନ୍ତ୍ରାଂଶ ମହଜୂତ ଭାବେ ରଖାଯାଇଛି ।
ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ମଇ ୨ ତାରିଖ ସୁଦ୍ଧା ପ୍ରସ୍ତୁତି ଶେଷ କରିବାକୁ ଜିଲ୍ଲାପାଳ କହିଛନ୍ତି ।

କ୍ବାରେଣ୍ଟାଇନ୍ କେନ୍ଦ୍ରକୁ ବାହାର ଫେରନ୍ତା ଆସିବା ପୂର୍ବରୁ ସଂପୃକ୍ତ ଗ୍ରାମରେ ଦୁଇ ଦିନିଆ ସମ୍ପୂର୍ଣ୍ଣ ସଟ୍ ଡାଉନ୍ କରାଯିବ । ସ୍ବାସ୍ଥ୍ୟକର୍ମୀ ଏବଂ ଦାୟୀତ୍ବରେ ଥିବା କର୍ମଚାରୀଙ୍କ ବ୍ୟତୀତ ସେଠାକୁ କେହି ଯାଇପାରିବେ ନାହିଁ ।

ଯେଉଁମାନେ ପଞ୍ଜିକୃତ ହୋଇଥିବେ, ସରକାରଙ୍କ ପ୍ରଦତ୍ତ ଯାନରେ ଆସିବେ ଏବଂ ନିରବଚ୍ଛିନ୍ନ ଭାବେ ୧୪ ଦିନ କ୍ବାରେଣ୍ଟାଇନ୍ ରେ ରହିବେ ସେମାନଙ୍କୁ ୨୦୦୦ଟଙ୍କା ପ୍ରୋତ୍ସାହନ ମିଳିବ ।

ବ୍ୟକ୍ତିଗତ ଯାନରେ ଆସିଲେ କିମ୍ବା କ୍ବାରେଣ୍ଟାଇନ୍ ନ ମାନିଲେ ସେମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବ ନାହିଁ । ସେମାନଙ୍କୁ ନିତ୍ୟ ବ୍ୟବହାର‌ଯ୍ୟ କିଟ୍ ଯୋଗାଇ ଦିଆଯିବ ଏବଂ ସେଗୁଡିକରେ ୫୦୦ଟଙ୍କା ମୂଲ୍ୟର ସାମଗ୍ରୀ ରହିବ ।

କ୍ବାରେଣ୍ଟାଇନ୍ କେନ୍ଦ୍ରଗୁଡିକରେ ବାଛବିଚାର ନ କରି ସମସ୍ତଙ୍କୁ ସମାନ ଧରଣର ଦେଖାରଖା କରାଯିବ । ସରପଞ୍ଚମାନେ ବାହାର ରାଜ୍ୟରେ ଥିବା ତାଙ୍କ ପଞ୍ଚାୟତ ବାସୀନ୍ଦାଙ୍କ ମଧ୍ୟରୁ ଜଣକ ସହିତ ଟେଲିଫୋନ୍ ଯୋଗାଯୋଗରେ ରହିବେ । ଉକ୍ତ ବ୍ୟକ୍ତି ସଂପୃକ୍ତ ଲୋକମାନଙ୍କୁ ସାଙ୍ଗରେ ଧରି ଦାୟୀତ୍ବର ସହ ଫେରିବେ ।

Leave A Reply

Your email address will not be published.