ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ରାତି ୧ଟାରୁ ୪ଟା ଭିତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିହେବ। ଏନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।
ସେ କହିଛନ୍ତି, ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି । ତାଲିକା ପାଇବା ପରେ ୩୦ରେ ପରିଚାଳନା କମିଟି ମିଟିଂ ହେବ। ଏହି ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଯାହାର ଯାହା ନୀତି ଅଛି, ସେହି ହିସାବରେ ଅନୁମତି ମିଳିବ ବୋଲି କ୍ରିଷନ କୁମାର ସୂଚନା ଦେଇଛନ୍ତି।

କେଉଁ ସମୟରେ କଣ ହେବ ସେ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି । ରାତି ୧ରୁ ୪ ପର୍ଯ୍ୟନ୍ତ ପହଣ୍ଡି ହେବ। ସେହିଭଳି ସକାଳ ୭,୩୦ରୁ ୯:୩୦ ପର୍ଯ୍ୟନ୍ତ ସ୍ନାନନୀତି ଅନୁଷ୍ଠିତ ହେବ। ଦିନ ସାଢ଼େ ୧୦ଟାରେ ଛେରାପହଁରା ହେବାକୁ ଥିବା ବେଳେ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସନ୍ଧ୍ୟା ୫ଟା ଠାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୮ ପର୍ଯ୍ୟନ୍ତ ଚାଲିବ।
ସେପଟେ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ୍ । ପ୍ରଥମ ଦିନରେ ୭୫ ଜଣ ଦଇତାପତି ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି।
Comments are closed.