ଭୁବନେଶ୍ୱର: ରଜ ଓ ଦୋଳି ପରସ୍ପର ପରିପୁରକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପର୍ବ କଥା ଉଠିଲେ ଆପେ ଆପେ ମନକୁ ଆସିଯାଏ ଖରା ପଶିପାରୁନଥିବା ଗାଁର ଗହଳିଆ ଆମ୍ବତୋଟାର ବଡ଼ ବଡ଼ ଗଛରେ ଲଗାଯାଉଥିବା ଦୋଳି କଥା। ରଜରେ ଝିଅ ମାନେ ସଜବାଜ ହୋଇ ମିଠା ପାନ ଖାଇ ଦଳବଳ ହୋଇ ଖେଳନ୍ତି ରଜ ଦୋଳି । ଏହି ରଜ ତିନିଦିନ ଆମ୍ବ ତୋଟାରୁ ଯୁବତୀଙ୍କ କଣ୍ଠରୁ ଭାସି ଆସେ ” ରଜ ଦୋଳି କଟମଟ… ମୋ ଭାଇ ମୁଣ୍ଡରେ ସୁନା ମୁକୁଟ…ସୁନା ମୁକୁଟଲୋ..ଦିଶେ କେଡେ ଝଟ ଝଟ” ।
ଓଡ଼ିଶାର ପ୍ରାଚୀନ ଲୋକକଥା ଅନୁସାରେ ଯଦି କେହି ରଜରେ ଦୋଳି ନ ଖେଳନ୍ତି ତା’ ହେଲେ ସେ ପରଜନ୍ମରେ କାଠ ବେଙ୍ଗ ହୋଇ ଜନ୍ମ ନେବେ ବୋଲି ବିଶ୍ୱାସ ରହିଛି। ତେଣୁ କୁମାରୀ ଝିଅଙ୍କଠାରୁ ଆରମ୍ଭ କରି ସମସ୍ତେ ଏହି ସମୟରେ ଦୋଳି ଖେଳର ମଜା ନେଇଥାନ୍ତି।
ରଜ ତିନି ଦିନ ଭୋରୁ ସକାଳୁ ଉଠି ହଳଦୀ ଲଗାଇ ଗାଧୋଇ ନୂଆ ପୋଷାକ ପିନ୍ଧି, ପାଦରେ ଅଳତା ଲଗାଇ ଓ ବେଶଭୂଷା ହୋଇ ଝିଅ ବୋହୁ ମାନେ ପହଞ୍ଚିଯାନ୍ତି ଦୋଳି ପାଖରେ। ଏହି ଦୋଳି ବିଭିନ୍ନ ପ୍ରକାରର ହୋଇଥାଏ। ଯଥା ଦଉଡ଼ି ଦୋଳି, ପଟା ଦୋଳି, ଚକ୍ରି ଦୋଳି ପ୍ରଭୃତି। ଦଉଡ଼ି ଦୋଳିରେ ଦୁଇଟି ରଶିକୁ ଗଛର ଦୁଇ ପାଶ୍ୱର୍ରେ ଶକ୍ତ କରି ବନ୍ଧାଯାଏ।
ପଟା ଦୋଳିରେ ଦୁଇଟି ଶକ୍ତ ବାଉଁଶ ଓ ଖଣ୍ଡେ ପଟା ବ୍ୟବହାର କରାଯାଏ। ବାଉଁଶ ଦୁଇଟିକୁ ଗଛରେ ବନ୍ଧା ଯାଉଥିବାବେଳେ ତା’ ମଝିରେ କଣା କରି ସେଥିରେ ପଟାକୁ ଭଲ ଭାବେ ବାନ୍ଧି ଦିଆଯାଏ।
ଏହାକୁ ଏକାଧିକ ଝିଅ ସାଙ୍ଗହୋଇ ଖେଳିଥାନ୍ତି। ଚକ୍ରି ଦୋଳିରେ ଦୁଇଟି ଦଉଡ଼ିକୁ ଚକ୍ରାକାରରେ ବନ୍ଧାଯାଇଥାଏ। ଦୋଳି ଖେଳିବାରେ ଅଭିଜ୍ଞ ଥିବା ଝିଅମାନେ ହିଁ ତାକୁ ଖେଳିଥାନ୍ତି। ଏହି ଦୋଳି ପୁଣି କିଛି ସ୍ଥାନରେ ପାଲଟେ ସମ୍ମାନର ପ୍ରତୀକ। ଗାଁ ଗାଁ ମଧ୍ୟରେ ଦୋଳିଖେଳ ପ୍ରତିଯୋଗିତା ହୁଏ।
Comments are closed.