Latest Odisha News

‘ମୁଁ’ ସେଇ ‘ଦେହୀ’ କି ?

ସକାଳୁ ଟି.ଭି. ବା ରେଡିଓ, ଏପରିକି ଫୋନ୍ କଲେ ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ, ବାର ବାର ସାବୁନ୍‌ରେ ହାତ ଧୁଅନ୍ତୁ’- ଏହି ମର୍ମରେ ବାକ୍ୟଗୁଡିଏ ଏବେ ଶୁଣିବାକୁ ମିଳୁଛି । ଏହା ‘କରୋନା’ର ଦାନ । ସମସ୍ତଙ୍କ ଭଲ ପାଇଁ ସମସ୍ତଙ୍କୁ ଏ କଥା କୁହାଯାଉଛି । ଖୁବ୍ ଭଲ କଥା ।

ତେବେ, ‘ଘର’ ଶଦ୍ଦରୁ କେତେକେତେ କଥା ମନେପଡିଯାଉଛି । ପିଲାବେଳେ ପଢିଥିବା ‘ହୋମ୍ ହୋମ୍ ସୁଇଟ୍ ହୋମ୍‌’ ଆଗେ ମନେ ପଡେ । ଯଦି ନିଜ ଘର ଠାରୁ ୨୦/୨୫ କି.ମି. ଭିତରେ କେହି ପଚାରେ, ‘ତୁମ ଘର କେଉଁଠି ?’ ତେବେ ଗାଁ ନାଁ କହୁଁ । ଜିଳ୍ଲା ଭିତରେ ଗାଁ ପାଖର ଜଣାଶୁଣା ଜାଗା ନାଁ, ଜିଲ୍ଲା ବାହାରେ ରାଜ୍ୟ ଭିତରେ ନିଜ ଜିଲ୍ଲା ନାଁ, ରାଜ୍ୟ ବାହାରେ ରାଜ୍ୟ ନାଁ, ଦେଶ ବାହାରେ ନିଜ ଦେଶର ନାଁ କହୁଁ । ପୃଥିବୀ ବାହାରର କୌଣସି ଲୋକ ଏପର୍ଯ୍ୟନ୍ତ ଏ ପ୍ରଶ୍ନ ପଚାରିନାହାଁନ୍ତି, ପଚାରିଲେ ‘ପୃଥିବୀ’ ବୋଲି କହିବୁ । କାରଣ, ଆମେ ଭାରତୀୟମାନେ ‘ବସୁଧୈବ କୁଟୁମ୍ବକମ୍‌’ କଥା କେତେ କେତେ ଯୁଗ ଆଗରୁ ଜାଣିଛୁ ।

‘ଘର’ କହିଲେ – ସେଇ ଘର ଭିତରେ ବାସ କରୁଥିବା ଲୋକମାନେ ନିଜର, ନିଜ ପରିବାରର; ଯେଉଁଠାରେ ସ୍ୱଚ୍ଛନ୍ଦରେ, ସ୍ୱଇଚ୍ଛାରେ ଚଳପ୍ରଚଳ କରୁ, ପୂରା ସ୍ୱାଧୀନ ଭାବେ, ଖୋଲାଖୋଲି ଭାବେ । ଘରର ଫାଟକ ଖୋଲି ବାହାରକୁ ବାହାରିବା ମାତ୍ରେ ନିଜର ସ୍ୱାଧୀନତା ନିଶ୍ଚିତ ଭାବେ ଜାଣତରେ ହେଉ ବା ଅଜାଣତରେ ହେଉ, ସଂକୁଚିତ ହୁଏ । ସାଇପଡିଶା, ମାନତି ଲୋକଙ୍କୁ ଜଗିରଖି କଥାବାର୍ତା, ଚାଲିଚଳନ ବଦଳି ଯାଏ । ଗାଁ ଛାଡି ଅନ୍ୟ ଗାଁକୁ ଗଲେ ଆହୁରି ହୁସିଆର ହେବାକୁ ପଡେ । ଜିଲ୍ଲା ବାହାର ଓ ରାଜ୍ୟ ବାହାରକୁ ଗଲେ ସତର୍କତା ବଢି ବଢି ଚାଲିଥାଏ । ମୋଟ କଥା – ଘରୁ ବାହାରିଲେ ଆମକୁ ସତର୍କ ହେବାକୁ ପଡିବ । ଏହା ସମସ୍ତଙ୍କ ପାଇଁ, ଆବାଳ ବୃଦ୍ଧବନିତାଙ୍କ ପାଇଁ । ଏବେ କରୋନା କାଳରେ ସରକାର ଆମ ପାଇଁ ଗୋଟିଏ ଅତି ସୁନ୍ଦର ଉପାଦେୟ ସତର୍କତାର ଉପାୟ ବତାଇଛନ୍ତି, ଯାହା ସମସ୍ତେ ପାଳନ କରିବା ଉଚିତ୍ । ‘ଘରୁ ବାହାରିଲେ ମାସ୍କ ପିନ୍ଧନ୍ତୁ’ । ବାହାରର ଆକ୍ରମଣ ନିଜ ଭିତରକୁ ଆସିପାରିବନି, ନିଜ ଭିତରୁ କୌଣସି ସଂକ୍ରମିତ ପଦାର୍ଥ ବାହାରକୁ ଯାଇପାରିବନି ।

ଇଏ ତ ସବୁ ବାହାରର କଥା । ଯଦି ଆଉ ଟିକେ ଗଭୀରକୁ ଯିବା, ଦୃଷ୍ଟିଭଂଗୀ ଟିକେ ବଦଳାଇ ଚିନ୍ତା କରିବା, ଭିତର ଆଡକୁ ଦୃଷ୍ଟି ପକାଇବା, ତେବେ ଦେଖିବା ଯେ, ଯେତେବେଳେ ଆମେ ବାହାରୁ ଘରକୁ ଆସୁ, ସେତେବେଳେ ସତର୍କତା ଧୀରେ ଧୀରେ କମି ଆସୁଥାଏ । ଘର ଫାଟକ ଖୋଲି ଭିତରେ ପଶିବା ମାତ୍ରେ ଅନ୍ୟ ଏକ ଅନୁଭବ ଆସେ, ଫ୍ରି ଲାଗେ, ଖୋଲାଖୋଲା ଲାଗେ । ଘର ଭିତରେ ଯେତେବେଳେ ନିଜ କୋଠରୀକୁ ପଶନ୍ତି ଆହୁରି ଫ୍ରି ଲାଗେ । କାହିଁକିର କାରଣ, ବାହାରର ବନ୍ଧନ, ଆଇନ୍‌କାନୁନ୍‌, ବିଧିନିଷେଧ ନିଜ କୋଠରୀରେ ନ ଥାଏ । ମଣିଷ ନିଜର ଆବରଣ ଗୋଟିଗୋଟି କରି ଖୋଲି ପକାଏ । ସ୍ୱଚ୍ଛନ୍ଦ, ସରଳ ହୋଇଯାଏ । ଖୋଲା ଦେହରେ ରହିବାକୁ ଭଲ ଲାଗେ ।

ଏଇ ଦେହକୁ ଯଦି ଗୋଟିଏ ‘ଘର’ ବୋଲି ଧରନ୍ତି, ତା’ହେଲେ ଆହୁରି ଟିକେ ଗଭୀରକୁ ଯିବାକୁ ପଡିବ । ଘରଟି ଯେପରି ଇଟାସିମେଂଟ୍‌ରେ ତିଆରି ହୋଇଛି, ସେଥିରେ ପାଣିପବନ, ଝଡବର୍ଷାରୁ ରକ୍ଷା ପାଇ ଆରାମରେ ଅଛୁ, ସେହିପରି ଏହି ଘରରୂପକ ଦେହରେ କେହି ଜଣେ ବାସ କରୁଛି । ସେ ହେଉଛି ‘ଦେହୀ’ । ଶାସ୍ତ୍ରଗଣ କହନ୍ତି –‘ନବଦ୍ୱାରପୁରେ ଦେହୀ’ । ଏ ପୁର ବା ଘର ବା ଦେହର ନ’ଟି ଦ୍ୱାର ଅଛି । ଦୁଇ କାନ, ଦୁଇ ଆଖି, ଦୁଇ ନାକପୁଡା, ପାଟି, ଲିଙ୍ଗ ଓ ମଳଦ୍ୱାର । ଆମ ଘରର ଯେପରି ଆମେ ମାଲିକ, ଏହି ଦେହ ବା ପୁର ବା ଘରର ମାଲିକ ହେଉଛନ୍ତି ଦେହୀ । ଦେହୀ ଅର୍ଥ ଯାହାର ଦେହ ଅଛି, ସେ ଦେହୀ, ଯେପରି ଯାହାର ଧନ ଅଛି ସେ ଧନୀ, ଯାହାର ଗୁଣ ଅଛି ସେ ଗୁଣୀ, ଯାହାର ଜ୍ଞାନ ଅଛି ସେ ଜ୍ଞାନୀ ଇତ୍ୟାଦି । ତା’ହେଲେ ଏଇ ଦେହୀ କିଏ? କିପରି ତାଙ୍କର ଚେହେରା? ଦେହର କେଉଁଠି ରହନ୍ତି? ଏଇ ଦେହୀଙ୍କୁ ‘ମୋ ଦେହ’ କହୁଥିବା କେହି ଦେଖିଛନ୍ତି କି? ମନେହୁଏ, ବହୁ ସାଧାରଣ ଲୋକ ଦେଖିନାହାଁନ୍ତି । ଦେଖିବା କଥା ଦୂରେ ଥାଉ, ଦେହୀ ଏ ଦେହରେ ଅଛି ବୋଲି ଚିନ୍ତା ବି କରିନାହାଁନ୍ତି । ପାଦରୁ ମୁଣ୍ଡ ପର‌୍ୟ୍ୟନ୍ତ ଚମ ଘୋଡା ହୋଇଥିବା ମୁଣାଟିକୁ ‘ମୁଁ’ ବୋଲି କହି କାମଚଳାଇ ନେଉଛନ୍ତି । ଏଇ ‘ମୁଁ’କୁ ଟିକେ ସ୍ଥିର ହୋଇ ଚିନ୍ତା କଲେ, ଜାଣି ହେଉନି, ଦେଖି ହେଉନି । କାରଣ, ମୁଁ କହୁଛି – ମୋ ମୁଣ୍ଡ, ମୋ ହାତ, ମୋ ଗୋଡ ଇତ୍ୟାଦି । କିନ୍ତୁ ମୁଁ ହାତ, ମୁଁ ମୁଣ୍ଡ, ମୁଁ ଗୋଡ ବୋଲି କହୁନାହିଁ । ତା’ହେଲେ, ‘ମୁଁ’ କିଏ? ‘ମୁଁ’ ସେଇ ‘ଦେହୀ’ କି?

ଯେଉଁ ‘ମୁଁ’ କୁ ନେଇ ସାରା ବିଶ୍ୱ କାରବାର କରୁଛି, ତାକୁ ସମସ୍ତେ ଜାଣି ନାହାଁନ୍ତି । ଯେଉଁ ଅଳ୍ପ କେତେଜଣ ‘ମୁଁ’କୁ ଜାଣିଯାଇଛନ୍ତି, ଚିହ୍ନିଛନ୍ତି, ସେହିମାନଙ୍କୁ ଆମେ ମହାପୁରୁଷ, ସାଧୁସନ୍ଥ, ମହାତ୍ମା ବୋଲି କହୁଛେ । ସେଇମାନେ ହିଁ ‘ଦେହୀ’କୁ ଜାଣିଛନ୍ତି । ସମସ୍ତଙ୍କୁ ସେମାନଙ୍କ ‘ମୁଁ’ ଗୁଡିକୁ ଦେହୀକୁ ଜାଣିଛନ୍ତି । ଶାସ୍ତ୍ରଗଣ କହନ୍ତି, ସେହି ଦେହୀଙ୍କର ଅଶେଷ ନାମ, ସବୁଯାକ ନାମ ତାଙ୍କରି । ‘ସେ’ ପୁଣି ବାହାରକୁ ବହୁରୂପରେ ଦେଖାଯାଉଥିଲେ ମଧ୍ୟ ପ୍ରକୃତରେ ସେ ଏକ, ଜଣେ । ସେ ନବଦ୍ୱାରପୁରର ଅନ୍ତରତମ, ଗଭୀରତମ ପ୍ରଦେଶରେ ରହିଛନ୍ତି ।

ଶ୍ରୀଗୀତା କହନ୍ତି –“ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେଽର୍ଜୁନ ତିଷ୍ଠତି ।” ସର୍ବଭୂତ ଅର୍ଥାତ୍ ସମସ୍ତ ଦେହରେ, ପଂଚ ମହାଭୂତରେ, ଅଣୁରେ ଅଣୁରେ ପରିବ୍ୟାପ୍ତ, ସମସ୍ତଙ୍କ କେନ୍ଦ୍ରରେ ସେ ବିରାଜମାନ । ସେହି ହେଉଛନ୍ତି ଦେହୀ, ଆମ ଦେହର ମାଲିକ ଯୋଗୁଁ ସେ ଦେହୀ । ତାଙ୍କର ଅଭିବ୍ୟକ୍ତିକୁ ଆମେ ‘ମୁଁ କହି କାମ ଚଳାଇ ନେଉଁଛୁ । ‘ଦେହୀ’ ନଥିଲେ ‘ମୁଁ’ ନାହିଁ । ଭିତରର ଦେହୀକୁ ବାହାରର ମୁଁ କହୁଛୁ । ଦେହୀ ବିନା ଦେହ ଶବ । ଶବର ‘ମୁଁ’ ନାହିଁ । ‘ଦେହୀ’ର ଘର କେତେ ଗଭୀରରେ! ଆଉ ‘ମୁଁ’ର ଘର କେତେ ବାହାରେ! ଦେହୀ ଯେତେ ଯେତେ ବାହାରକୁ ବାହାରୁଛନ୍ତି, ସେତେ ସେତେ ସ୍ଥୂଳ ହୋଇଯାଉଛନ୍ତି । ଯେତେ ବାହାରକୁ ଯିବେ, ସେତେ ସତର୍କ, ସେତେ ହୁସିଆର ହେବାକୁ ପଡିବ । ଯେପରି ଆମେ ବାହାରକୁ ଗଲେ, କେତେ କେତେ ସତର୍କତା ଅବଲମ୍ବନ କରୁଛେ । କିନ୍ତୁ ଘରେ ରହିଲେ, ନିରୁଦ୍‌ବିଗ୍ନ, ସହଜ, ସରଳ ହୋଇ ରହୁଛେ । ଦେହୀର ରହିବା ସ୍ଥାନ ବା ଅନ୍ତରତମ ପ୍ରଦେଶ ‘ଦେହୀ ଘରେ’ ରହିଲେ ପୂର୍ଣ୍ଣ ସୁରକ୍ଷିତ ।

ତେଣୁ, ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।

ସା: ତରାପୁର, ପୋ: ଲକ୍ଷ୍ମୀନଗର, ଜି – ଯାଜପୁର, ମୋ : ୯୯୩୭୫୯୩୪୯୩

(ଲେଖକ ଜଣେ ଭଗବତପ୍ରେମୀ ଏବଂ ଆଧ୍ୟାତ୍ମିକ ଗବେଷକ ଭାବେ ସୁପରିଚିତ)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.