Latest Odisha News

ଭାଇରାଲ ପୋଷ୍ଟମୋର୍ଟମ: ନିର୍ମାଣ କରିଛନ୍ତି ୬୦୦ ଡ୍ରୋନ୍‌, ହେଲେ ପ୍ରମାଣ କାହିଁ ?

ଭୁବନେଶ୍ୱର: ଘଟଣା ବେଶି ପୁରୁଣା ନୁହେଁ । କର୍ଣ୍ଣାଟକର ୨୨ ବର୍ଷୀୟ ଯୁବକ ପ୍ରତାପ ଏନ୍‌.ଏମ ନିଜକୁ ଭାରତର ସର୍ବ କନିଷ୍ଠ ଡ୍ରୋନ୍ ବୈଜ୍ଞାନିକ ରୂପେ ସ୍ୱତଃ ଘୋଷଣା କରିବା ସହ ଇ-ୱେଷ୍ଟରୁ ୬୦୦ ଡ୍ରୋନ୍ ନିର୍ମାଣ କରିଥିବା ନେଇ ଦାବି କରିଥିଲେ ।

ପ୍ରତାପଙ୍କ ଖବରକୁ ଡେକାନ୍ ହେରାଲ୍ଡ ଓ ଇଣ୍ଡିଆ ଟାଇମ୍ସ ଭଳି ଗଣମାଧ୍ୟମ ସଂସ୍ଥା ବି ପ୍ରକାଶ କରି ଭାଇରାଲ୍ କରିଥିଲେ । ଏପରିକି ସୋସିଆଲ ମିଡିଆରେ ବି ଚର୍ଚ୍ଚା ଧରିଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଆଡେ ପ୍ରତାପଙ୍କୁ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍‌ରେ କାମ କରିବାକୁ ଅଫର ଦେଇଥିଲେ ।

ଦେଶର ଜଣେ ଉଦୟୀମାନ ଯୁବକ ୬୦୦ରୁ ଅଧିକ ଡ୍ରୋନ୍ ନିର୍ମାଣ କରିଛନ୍ତି ଓ ତାଙ୍କୁ ଖୋଦ ପ୍ରଧାନମନ୍ତ୍ରୀ ଡିଆରଡିଓରେ କାମ କରିବାକୁ ଅଫର ଦେଇଛନ୍ତି । ଅଥଚ ଏ କଥା ଲୁଚି ରହିଥିଲା ବା କେମିତି ? ଏହି ଘଟଣାକୁ ନେଇ ମନରେ ସନ୍ଦେହ ଜାତ ହେବାରୁ ସତ୍ୟତା ଜାଣିବା ପାଇଁ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଛାନ୍‌ଭିନ୍ ।

ପ୍ରାଥମିକ ଦନ୍ତରେ ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟ ଛଡା ପ୍ରତାପଙ୍କ ନାଁରେ କୌଣସି ସରକାରୀ ଦସ୍ତାବିଜ ଆମ ହାତରେ ଲାଗିନଥିଲା । ଶେଷରେ ଆମ ହାତରେ ଲାଗିଥିଲା ଏକ ଟିଭି ଇଣ୍ଟରଭ୍ୟୁ ।

କନ୍ନଡ ଚ୍ୟାନେଲ ବିଟିଭି ନ୍ୟୁଜ ପ୍ରତାପଙ୍କର ଏକ ଇଣ୍ଟରଭ୍ୟୁ ପ୍ରସାରଣ ହୋଇଥିଲା । ୪୦ ମିନିଟ୍‌ର ଇଣ୍ଟରଭ୍ୟୁରେ ପ୍ରତାପ ନିଜ ସଫଳତାକୁ ଏକାଧିକ ଫଟୋ ଓ ସାର୍ଟିଫିକେଟ ମାଧ୍ୟମରେ ଦର୍ଶାଇଥିଲେ । ହେଲେ ଭିଡିଓର ୩୨ ମିନିଟ୍ ୩୧ ସେକେଣ୍ଡରେ ସେ ଏକ ଡ୍ରୋନର ଫଟୋ ଦେଖାଇଥିଲେ । ଯାହାକୁ ସେ ନିର୍ମାଣ କରି ପୁରଷ୍କାର ହାସଲ କରିଥିଲେ ବୋଲି ଦାବି କରିଥିଲେ । ତେବେ ଖାଲି ଏହି ଗୋଟିଏ ପୁରଷ୍କାର ନୁହେଁ ବରଂ ଜାପାନ ଓ ଜର୍ମାନୀରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ରୋବୋଟିକ୍ସ ଟ୍ରେଡ୍ ଫେୟାର (iREX) ଓ (CeBit)ରେ ଗୋଲ୍ଡ ମେଡାଲ ଜିତିଥିବା ଦାବି କରିଥିଲେ ।

ତେବେ ଏହି ଇଣ୍ଟରଭ୍ୟୁ ହିଁ ପ୍ରତାପଙ୍କ କାର୍ଯ୍ୟକଳାପକୁ ସନ୍ଦେହ ଘେରକୁ ଆଣିଥିଲା । ପ୍ରତାପଙ୍କ ସହ ଏକ ନିିର୍ଦ୍ଧିଷ୍ଟ ଡ୍ରୋନ ଦେଖିବା ପରେ ଜର୍ମାନୀର ବିଲ୍‌ଜଆୟ ମଲ୍ଟିକପ୍ଟର୍‌ସିଷ୍ଟମ୍ ନାମକ ଏକ କମ୍ପାନୀ ଯୁକ୍ତି ରଖିଥିଲା ଯେ, ପ୍ରତାପ ଯେଉଁ ଡ୍ରୋନ ସହ ଫଟୋ ଉଠାଇଛନ୍ତି ଓ ତାକୁ ନିଜର ବୋଲି ଦାବି କରୁଛନ୍ତି, ପ୍ରକୃତରେ ସେଇ ଡ୍ରୋନକୁ ଆମ କମ୍ପାନୀ ନିର୍ମାଣ କରିଥିଲା । ୨୦୧୮ରେ ଜର୍ମାନୀର ହାନୋଭରରେ CeBit ରୋବୋଟିକ୍ ଫେୟାରରେ ବିଲ୍‌ଜଆୟ ନିଜ ଡ୍ରୋନକୁ ଡିସପ୍ଲେ କରିଥିଲା । ସେହି ସମୟରେ ପ୍ରତାପ ଅନୁରୋଧ କରି ଡ୍ରୋନ୍ ସହ ଫଟୋ ଉଠାଇଥିଲେ ।

ପ୍ରତାପଙ୍କ ଦାବି ଅନୁଯାୟୀ ୨୦୧୮, CeBit ଟ୍ରେଡ ଫେୟାରରେ ସେ ଆଲବର୍ଟ ଆଇନ୍‌ଷ୍ଟାଇନ୍ ଇନୋଭେସନ୍ ଗୋଲ୍ଡ ମେଡାଲ ଭଳି ପୁରଷ୍କାର ପାଇଥିଲେ । ହେଲେ ତଦନ୍ତତରୁ ଜଣାପଡିଥିଲା ପ୍ରଥମତଃ ଏମିତି କୌଣସି ପୁରଷ୍କାର କେବେ ବି କାହାକୁ ପ୍ରଦାନ କରାଯାଇନଥିଲା । ଦ୍ୱିତୀୟତଃ CeBitରେ ବ୍ୟକ୍ତିଗତ ଭାବେ ନୁହେଁ ବରଂ କମ୍ପାନୀଗୁଡିଙ୍କୁ ପୁରଷ୍କୃତ କରାଯାଇଥାଏ ।

ସେହିଭଳି ୨୦୧୭, ଟୋକିଓରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟସନାଲ ରୋବୋଟିକ୍ସ ଏକ୍ସିବିସନରେ ପ୍ରତାପ ଗୋଲ୍ଡ ମେଡାଲ ହାସଲ କରିଥିବା ଦାବି କରିଥିଲେ । ହେଲେ ଆମେ ୱେବସାଇଟରେ ଖୋଳତାଡ କରିବା ପରେ ସେ କୌଣସି ପୁରଷ୍କାର ହାସଲ କରିନଥିବା ଜଣାପଡିଥିଲା ।

ଅତଏବ ପ୍ରତାପଙ୍କ ଦାବି ଅନୁଯାୟୀ କୌଣସି ପ୍ରମାଣ ନଥିଲାବେଳେ କେବଳ ଫଟୋ ଦେଖାଇ ସେ ନିଜକୁ ଡ୍ରୋନ ବୟ ଭାବେ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ସତ ଓ ମିଛର ତାରତମ୍ୟକୁ ମାପିବା ପାଇଁ ଦିଆଯାଇଥିବା ତଥ୍ୟକୁ ଆପଣ ପରଖିପାରନ୍ତି ।

Leave A Reply

Your email address will not be published.