Latest Odisha News

କରୋନା ଯୋଦ୍ଧାଙ୍କ କରୁଣ କାହାଣୀ: ମୃତ୍ୟୁ ପରେ ପାଖ ମାଡିଲେନି ସମ୍ପର୍କୀୟ, ମୃତଦେହ ଉଠାଇଲେ ସାମ୍ବାଦିକ

ଗଂଜାମ: କରୋନା ମହାମାରୀ ସମୟରେ କରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ କର୍ମ କ୍ଷେତ୍ରରେ କାମ କରୁଛନ୍ତି । କିନ୍ତୁ ସେହିମାନେ ଯଦି କରୋନାରେ ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କ ପାଇଁ ନା ଆଗେଇ ଆସୁଛନ୍ତି ସମ୍ପର୍କୀୟ ନା ସହକର୍ମୀ । ଏପରି ଏକ ଘଟଣା ଘଟିଛି ଗଂଜାମ କୋଦଳା ଅଂଚଳରେ । ଗତକାଲିଠାରୁ ଜଣେ ପୋଲିସ ଏଏସ୍‌ଆଇଙ୍କର ମୃତ୍ୟୁ ହୋଇଥିଲେ ବି କେହି ପାଖ ମାଡି ନ ଥିଲେ । ଶେଷରେ ଆଜି ଦୁଇ ସାମ୍ବାଦିକ ଓ ଜଣେ ସାମାଜିକ କର୍ମୀ ଆଗେଇ ଆସି ଶବ ଉଠାଇଛନ୍ତି ।

ସୂଚନା ଅନୁଯାୟୀ, ଭଂଜନଗର କୋର୍ଟରେ କାର୍ଯ୍ୟରତ ଏଏସ୍‌ଆଇଙ୍କୁ ୪ ଦିନ ତଳେ ଥଣ୍ଡା ଜ୍ୱର ହେବାରୁ ସେ ତାଙ୍କ ବେଗୁନିଆପଡାସ୍ଥିତ ଘରକୁ ଆସିଥିଲେ । ଗତକାଲି ସେ ଗୁରୁତର ହୋଇପଡିବାରୁ ତାଙ୍କୁ କୋଦଳା ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କୁ କରୋନା ହୋଇଥିବା ସନ୍ଦେହ କରି ମୃତଦେହକୁ ଡାକ୍ତରଖାନା ବାହାରେ ପକାଇ ଦେଇଥିଲେ । ଏପରିକି ସାଙ୍ଗସାଥୀ, ସାଇପଡିଶା କିମ୍ବା ସମ୍ପର୍କୀୟ ବି ପାଖ ମାଡି ନ ଥିଲେ । ସାରା ରାତି ବାହାରେ ପଡିଥିଲା ମୃତଦେହ ।

ଆଜି ସ୍ଥାନୀୟ ଅଂଚଳର ଦୁଇ ସାମ୍ବାଦିକ, ଜଣେ ସାମାଜିକ କର୍ମୀ ଓ ମୃତକଙ୍କ ପୁଅ ମିଶି ପିପିଇ କିଟ୍ ପିନ୍ଧି ମୃତ ଦେହକୁ ଉଠାଇଥିଲେ । ସ୍ୱାବ ନମୁନା ଟେଷ୍ଟ ପରେ ମୃତକ ପଜିଟିଭ୍ ଥିବା ଜଣାପଡିଛି । ଗଂଜାମ ଏସପି ବ୍ରିଜେଶ ରାୟଙ୍କ ଉପସ୍ଥିତିରେ କୋଦଳା ଡାକ୍ତରଖାନା ପରିସରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶବ ସତ୍କାର କରାଯାଇଥିଲା ।

ପୂର୍ବରୁ ଜଣେ ପୁରୁଷୋତ୍ତମପୁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ପରେ ମୃତଦେହକୁ କେହି ଉଠାଇବାକୁ ନ ଆସିବାରୁ ୪ ଜଣ ସାମ୍ବାଦିକ ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାର କରିଥିଲେ ।

Leave A Reply

Your email address will not be published.