ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷାପଞ୍ଚମୀ ବା ରେଖାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯାଏ । ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ ଓଲାଗି ହୋଇଥାଏ । ସେଥି ମଧ୍ୟରୁ ରତ୍ନଚିତା ଚିତାଲାଗି ଅମାବାସ୍ୟା ଦିନ ଶ୍ରୀଅଙ୍ଗରେ ଲାଗି କରାଯାଇଥାଏ । କିନ୍ତୁ ଆଜିର ଦିନରେ ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ରାହୁରେଖା ଲାଗି ହେବ ।
ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ଵୟଂ ବ୍ରହ୍ମାଣ୍ଡ ସ୍ଵରୂପ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସମସ୍ତ ସୌର ଜଗତ ସ୍ଥିତ । ତେଣୁ, ତାଙ୍କୁ “ଗ୍ରହ ରୂପୀ ଜନାର୍ଦ୍ଦନ” ବି କୁହଯାଏ । ସେ ହିଁ ସ୍ୱୟଂ ମହାକାଳ । କାଳଚକ୍ର ତାଙ୍କ ଅଧୀନସ୍ଥ ଥିଲେ ମଧ୍ୟ ମାନବଜାତିକୁ ମହାଶିକ୍ଷା ଦେବା ପାଇଁ ସେ ନବକଳେବର ଗ୍ରହଣ କରନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ଓ ଉପାସନା ହିଁ ଶୈବ, ବୈଷ୍ଣବ ଓ ଶାକ୍ତ ଉପାସନା ସହିତ ସମାନ । କାହା ମତରେ ସେ ସେ ଦକ୍ଷିଣକାଳୀ, ଉଗ୍ରତାର, ଭୁବନେଶ୍ଵରୀ ଓ ଆଉ କାହା ମତ ରେ ସେ ମହାରୁଦ୍ର, ଭୈରବୀ ଓ ମହାକାଳ, ପୁଣି ସେ ସେ ହିଁ ଶିବ, ସେ ହିଁ ବ୍ରହ୍ମା ଆଉ ସେ ହିଁ ଆଦି ବିଷ୍ଣୁ ପରମବ୍ରହ୍ମ ନିରଞ୍ଜନ ।
ଆଜି ଶ୍ରୀମନ୍ଦିରରେ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରାଶସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି । ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରିଥାନ୍ତି ।
ଭୋଗମଣ୍ଡପ ନୀତି ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିଥାନ୍ତି । ମହାଜନ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ବିଜେ କରାନ୍ତି । ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖିଥାନ୍ତି । ପରେ ପରେ ଦଇତାପତିମାନେ ସିଂହାସନ ଉପରକୁ ଉଠିଥାନ୍ତି । ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା ପତି ମହାପାତ୍ରଙ୍କୁ ଦେବା ପରେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦେଇଥାନ୍ତି । ତାପରେ ସମସ୍ତ ଦଇତା ସେବକମାନେ ମିଶି ଓଷୁଅ ଓ ବଇତମ (ଛିଣ୍ଡା କପଡା)ରେ ରୁନ୍ଧା କାର୍ଯ୍ୟ କରି ସାରି ସିଂହାସନରୁ ଓହ୍ଲାଇ ଆସନ୍ତି । ସିଂହାସନ ପୋଛା ସରି ମହାସ୍ନାନ ପୂଜା ଠା’ ହେଲେ ପୂଜାପଣ୍ଡା ପୂଜା ବଢାନ୍ତି । ତାପରେ ଶ୍ରୀଦେବୀ ଓ ଭୂଦେବୀ ଦକ୍ଷିଣୀ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢିଥାଏ । ମଧ୍ୟାହ୍ନ ଧୂପ ପରେ ପୂଜାପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି ।
ସୁବର୍ଣ୍ଣ ରାହୁରେଖାମାନଙ୍କର ଓଜନ ହେଲା – ଶ୍ରୀବଳଭଦ୍ରଙ୍କର ପ୍ରାୟ ୯୬ ତୋଳା, ଦେବୀ ସୁଭଦ୍ରାଙ୍କର ପ୍ରାୟ ୭୬ ତୋଳା, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରାୟ ୧୩୫ ତୋଳା । ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ନବଗ୍ରହ ତତ୍ତ୍ୱ ସନ୍ନିହିତ ହୋଇଛି । ଶ୍ରୀଜୀଉଙ୍କ ଚକ୍ଷୁ ଦ୍ବୟ ସୂର୍ୟ୍ୟ, ଚନ୍ଦ୍ରଙ୍କର ପ୍ରତୀକ । ନାସିକା – ମଙ୍ଗଳ, ଧନୁ ଆକୃତି, ଅଧର – ବୁଧ, ଚତୁଷ୍କୋଣାକୃତି ଶ୍ରୀମୁଖ – ଶୁକ୍ର, ସୁବର୍ଣ୍ଣ ଚିତା – ବୃହସ୍ପତି, କୃଷ୍ଣ ବର୍ଣ୍ଣ -ଶନି, ଝୋବା କଣ୍ଠି – କେତୁ, ରାହୁରେଖା ରାହୁଙ୍କର ପ୍ରତୀକ ।
ଏହି ଅବସରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ଗୃହ କବାଟରେ ଘଣ୍ଟାକର୍ଣ ଏବଂ ଭୈରବାଦି ପୂଜା ଅନୁଷ୍ଠିତ ହୋଇଥାଏ । ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ପାଇଁ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।
‘ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ
ଦେବୋ ନଜାନନ୍ତି କୁତୋ ମନୁଷ୍ୟଃ ।’
ଏହିଦିନ ଓଡ଼ିଶାର କେତେକ ଅଞ୍ଚଳରେ ଏକ ବିଶେଷ ଦ୍ୱାରପୂଜା ନୀତି ଅନୁଷ୍ଠିତ ହୁଏ । ତାହାକୁ ‘ରକ୍ଷାପଞ୍ଚମୀ’ ପୂଜା କହନ୍ତି । ସାଧାରଣତଃ ଗୃହସ୍ଥମାନେ ସର୍ପ, ପଶୁ ଓ ଭୂତ, ପିଶାଚମାନଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପୂଜାବିଧିର ଆୟୋଜନ କରିଥାନ୍ତି । ଏହି ପୂଜାର ଇଷ୍ଟଦେବ ହେଉଛନ୍ତି ‘ବଟୁକ ଭୈରବ’ । ସାଧାରଣତଃ, କେତେକ ଶିବ ମନ୍ଦିରର ଦ୍ୱାରଦେଶରେ ବଟୁକ ଭୈରବଙ୍କର ମୂର୍ତ୍ତି ସ୍ଥାପିତ ହୋଇଥିବା ଦେଖାଯାଏ । ‘ଭୈରବ’ ଶବ୍ଦର ଅର୍ଥ, ଯେ ଭରଣ (ବ୍ରହ୍ମାଣ୍ଡ)ର ରକ୍ଷକ । ‘ଶିବପୁରାଣ’ରେ ବର୍ଣ୍ଣିତ ୬୪ ଭୈରବଙ୍କ ମଧ୍ୟରୁ ଏ ଅନ୍ୟତମ । ଚତୁର୍ଭୁଜ ଓ ତ୍ରିନେତ୍ର ବିଶିଷ୍ଟ ଏ ଏକ ଉଲଗ୍ନ ମୂର୍ତ୍ତି । କଟିସୂତ୍ର ଭାବରେ ତାଙ୍କର କଟିରେ ସର୍ପ ରହିଥାଏ । ସାଧାରଣତଃ ଶୂଳ, ସର୍ପ, ଡ଼ମ୍ବରୁ ଓ ମାଂସ ଖଣ୍ଡ ସେ ହସ୍ତରେ ଧାରଣ କରିଥାଆନ୍ତି । ତାଙ୍କ ସହିତ ଗଣେଶ ରହିଥାନ୍ତି । ବାହନ ଭାବରେ ଏକ କୁକୁର ତାଙ୍କ ନିକଟରେ ଥାଏ । ଚାରିପାଖରେ ପିଶାଚଗଣ ରହିଥାନ୍ତି ।
କଥିତ ଅଛି ଯେ, ଏହାଙ୍କୁ ପୂଜନ କରିବା ଦ୍ୱାରା ଗୃହସ୍ଥ ଭୟମୁକ୍ତ ହୋଇଥାନ୍ତି । ସେଥିପାଇଁ ସେମାନେ ଚିତ୍ରଶିଳ୍ପୀଙ୍କୁ ଡ଼ାକି ଗୃହର ପ୍ରବେଶ ଦ୍ୱାରରେ ଗଣେଶ ଓ ବାରିଦ୍ୱାରରେ ବଟୁକ ଭୈରବଙ୍କର ମୂର୍ତ୍ତି ଅଙ୍କନ କରନ୍ତି । ବଟୁକ ଭୈରବଙ୍କର ପ୍ରାର୍ଥନା ମନ୍ତ୍ର ହେଉଛି –
“ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର
ଭାଦ୍ରବକୃଷ୍ଣଂ ପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱରମ୍ ।”
ବିଧି ଅନୁସାରେ, ଏହି ମନ୍ତ୍ରକୁ ଏକ ତାଳପତ୍ରରେ ଲେଖି କିଛି ଦୂବ ଓ ଅରୁଆ ଚାଉଳ ସହିତ ବାନ୍ଧି ଦ୍ୱାରବନ୍ଧରେ ଝୁଲାଇ ଦିଆଯାଏ । ଏହାପରେ ବ୍ରାହ୍ମଣ ଆସି ଯଥାରୀତି ବଟୁକ ଭୈରବଙ୍କୁ ଆବାହନ କରି ତାଙ୍କର ପୂଜା ସଂପନ୍ନ କରିଥାନ୍ତି । ରାତ୍ରିକାଳରେ ଗୃହସ୍ଥମାନେ ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି ବାରିଦୁଆର ପାଖରେ ପଶୁ ପକ୍ଷୀ, ସର୍ପ ଓ ପିଶାଚମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି । ବିଶେଷକରି ପୁରୀ ଜିଲ୍ଲାର ଚିତ୍ରକାରମାନେ ଏହି ଅବସରରେ ଘର ଘର ବୁଲି ଗୃହସ୍ଥମାନଙ୍କର ଦୁଆରର କବାଟ ଓ କାନ୍ଥରେ ଏହି ଚିତ୍ର ଅଙ୍କନ କରିଥାନ୍ତି ।
(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.