ଅନୁଗୁଳ: ଅନୁଗୁଳ ଜିଲ୍ଲା କୁସାସିଂହା ଗ୍ରାମରୁ ଏକ ବିରଳ ଇଗଲ ପକ୍ଷୀ ଉଦ୍ଧାର ହୋଇଛି । ସୋମବାର ସକାଳେ କୁସାସିଂହା ଗ୍ରାମର ଅବିନ ରାଉତଙ୍କ ଘରେ ଏକ ଭିନ୍ନ ପ୍ରକାରର ବଡ ପକ୍ଷୀଟିଏ ବସିଥିବାର ପରିବାର ଲୋକେ ଦେଖିଥିଲେ ।
ଏହି ବିରଳ ପକ୍ଷୀଟିକୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ଏହି ପକ୍ଷୀଟି ଇଗଲ ପ୍ରଜାତିର ଏବଂ ଏହାର ନାମ “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ବୋଲି ଚିହ୍ନଟ କରାଯାଇଛି। ସବୁ ଇଗଲ ପକ୍ଷୀ ପ୍ରାୟତଃ ଶିକାରୀ ହୋଇଥିବା ବେଳେ ଏହି “କ୍ରେଷ୍ଟେଡ ସରପେଣ୍ଟ ଇଗଲ” ମୁଖ୍ୟତଃ ସବୁ ପ୍ରକାରର ସରୀସୃପ ସହ ସାପ ମାନଙ୍କୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରିଥାଏ ବୋଲି ଜଣାପଡ଼ିଛି।
“ଇଣ୍ଟରନେସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର” (IUCN) ଏହି ପ୍ରଜାତିର ଇଗଲକୁ ଏକ ଅତି ସଙ୍କଟାପନ୍ନ ବିପଦଗ୍ରସ୍ତ ପକ୍ଷୀ ଭାବରେ ଘୋଷଣା କରିଅଛି । ଅତି ସତର୍କତାର ସହ ଏହି ବିରଳ ଇଗଲକୁ ଉଦ୍ଧାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପକ୍ଷୀଟିକୁ ସୁରକ୍ଷିତ ଭାବରେ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦେଇଥିଲେ ।
Comments are closed.