Latest Odisha News

BREAKING NEWS

ଘାଇ ରାଜନୀତି

 ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…

ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟା ଆସି ରାଜ୍ୟକୁ ବେହାଲ୍‍ କରି ଦେଇଛି । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଖରସ୍ରୋତା ଆଦି ପ୍ରତିଟି ନଦୀରେ ବନ୍ୟା କାରଣରୁ ଲକ୍ଷ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କ ଘର ଭାଙ୍ଗିଛି । ସଂସାର ଉଜୁଡ଼ି ଯାଇଛି । ମାଟିଆ, ବହଳିଆ ପାଣି ଭିତରେ ଅଶନିଶ୍ୱାସୀ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ ।

ତେବେ ବନ୍ୟାର ପ୍ରଭାବ ଦୀର୍ଘଦିନ ଧରି ରହେ । ରାଜ୍ୟର ସରକାର ପକ୍କା ଘର ନେଇ ବାରମ୍ବାର ପ୍ରଚାର କରୁଥିଲେ ମଧ୍ୟ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଏବେ ବି ମାଟି ଘରେ ରହୁଛନ୍ତି, ଏକଥା ହିଁ ବାସ୍ତବତା । ବନ୍ୟା ଆସିଲେ ମାଟିଘର ଭିତରେ ପାଣି ପଶିଲେ, ସେ ଘର ଭାଙ୍ଗିବ, କାନ୍ଥ ଭାଙ୍ଗିବ । ବନ୍ୟା ସୁଅରେ ଲୋକେ ଭାସି ଯାଇ ପ୍ରାଣ ହରାଇବେ । ବିଲରେ କେଣ୍ଡା ବାହାରି ଥିବା ଧାନ ପଚି ମରିଯିବ । ବର୍ଷକର ଅମଳ ଓ ଖାଦ୍ୟ ଚାଷୀ ହରାଇବ ।

ସରକାର କିନ୍ତୁ ରାଜ୍ୟର ଚଳିତ ବନ୍ୟାର କୌଣସି ଆକଳନ କରି ପାରିଲେ ନାହିଁ କିମ୍ବା ଜାଣିଶୁଣି ତଥ୍ୟ ଲୁଚେଇଲେ, ତାହା ହିଁ ବେଶ ସନ୍ଦେହ ସୃଷ୍ଟି କରିଛି । ସରକାର ପ୍ରଥମେ କହିଲେ- ରାଜ୍ୟରେ ବିଶେଷ ବନ୍ୟା ଆସିବ ନାହିଁ । ପରେ କହିଲେ- ମଧ୍ୟମ ଧରଣର ବନ୍ୟା ହେବ । କିନ୍ତୁ ଯାଜପୁର, କେନ୍ଦ୍ରାପଡ଼ା ପରି ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ବନ୍ୟା ପୁରୁଣା ସବୁ ରେକର୍ଡ଼କୁ ଭାଙ୍ଗି ଦେଇଛି । ୨୦୧୧ ମସିହାରେ ସବୁଠାରୁ ବଡ଼ ବନ୍ୟା ହୋଇଥିଲା । ଯେଉଁ ଗାଁରେ ପାଣି ପଶି ନଥିଲା କେବେ ବି, ସେଠି ପାଞ୍ଚ, ସାତ ଫୁଟ ଉଚ୍ଚର ପାଣି ଚାଲୁଛି । ସପ୍ତାହେ ହେବ ପାଣି ଜମି ରହିଛି । ପୁଣି ପୂର୍ଣ୍ଣିମା ହେତୁ ଜୁଆର କାରଣରୁ ସମୁଦ୍ରକୁ ଜଳ ନିଷ୍କାସିତ ନ ହୋଇ ପାରିବା କାରଣରୁ ବନ୍ୟାର ପ୍ରକୋପ କମୁନାହିଁ ।

ତେବେ ଏଇ ବନ୍ୟା ଭିତରେ ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଘାଇ ଭଙ୍ଗା ରାଜନୀତି ଜୋର ଧରିଛି । ରାଜ୍ୟ ବିଜେପି ଏହାକୁ ପ୍ରସଙ୍ଗ କରିଥିବା ବେଳେ ଏ ନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି । ଘାଇ ଭାଙ୍ଗିବା ମନୁଷ୍ୟକୃତ ବୋଲି ଯାଜପୁର ଜିଲ୍ଲାପାଳ ମଧ୍ୟ ସ୍ୱୀକାର କରିଛନ୍ତି । ଏହି ଚର୍ଚ୍ଚିତ ଘାଇଟି ଭାଙ୍ଗିଛି- ରମାପୁର ନିକଟରେ । ସେ ନଦୀ ବନ୍ଧ ରାସ୍ତାଟି କାଏମାଠାରୁ କଦମପାଳ ଯାଏ ଯାଇଛି । ବେଶ ଚଉଡ଼ା, ପ୍ରଶସ୍ତ ଓ ଦୃଢ ନଦୀବନ୍ଧ । ଯଦି କେବେ କେହି ସେ ରାସ୍ତାରେ ଯାଇଥିବେ, ସେମାନେ କେବେ କଳ୍ପନା ବି କରି ନଥିବେ ଯେ, ଯେତେବଡ଼ ବନ୍ୟା ଆସିଲେ ବି ଏ ନଦୀବନ୍ଧ ଭାଙ୍ଗିଯିବ ।

କିନ୍ତୁ ପାଖ କେଲୁଅ ନଦୀରେ ଘାଇ ହେବା ଫଳରେ ଅନେକ ଗାଁ ପାଣିରେ ବୁଡ଼ିଗଲା । କେଲୁଅ ନଦୀ ବନ୍ଧ ଏମିତି ଦୃଢ ନୁହେଁ । ତେଣୁ ବଡ଼ ବନ୍ୟା ହେତୁ ଘାଇ ହେଲା ଓ ଗାଁରେ ପାଣି ପଶିଗଲା । ଲୋକଙ୍କ ଉଚ୍ଚ ଢିଅ ଡେଇଁ ପାଣି ଘରେ ପଶିଲା । ତେଣୁ ପ୍ରଥମ ସନ୍ଦେହଟି ହେଉଛି- ସେଇସବୁ ଗାଁକୁ ବନ୍ୟା ପ୍ରକୋପରୁ ବଞ୍ଚାଇବାକୁ ଯାଇ, ସ୍ଥାନୀୟ ଲୋକ କିଏ ରମାପୁର ନିକଟରେ ନଦୀବନ୍ଧ ଭାଙ୍ଗି ଦେଇଥିବ । ଫଳରେ କେଲୁଅ ନଦୀ ପାଣି ନ ଅଟକି ଅନ୍ୟ ଆଡ଼େ ଚାଲିଗଲେ, ଗାଁ ଗୁଡ଼ିକରୁ ପାଣି ଆପେ କମିଯିବ । କିନ୍ତୁ କଥା ଉଠୁଛି- ଡିନାମାଇଟ୍‍ ଲଗା ହୋଇ ସେ ନଦୀ ବନ୍ଧ ଭଙ୍ଗା ହୋଇଛି । ଏହା ହୁଏତ ସତ ହୋଇପାରେ! କାରଣ- ସେ ଶକ୍ତ ନଦୀବନ୍ଧକୁ ଭାଙ୍ଗିବା ପାଇଁ ଶହେରୁ ଅଧିକ ଲୋକ ଦରକାର । ବିନା ମେସିନ ଓ ବିନା ଷଡ଼ଯନ୍ତ୍ରରେ ସେ ନଦୀବନ୍ଧ କେବେ ବି ଭାଙ୍ଗିବ ନାହିଁ । ଏଥିରେ ଅବଶ୍ୟ ସ୍ଥାନୀୟ ବିଧାୟକ ଓ ତାଙ୍କ ସଂପର୍କୀୟଙ୍କ ସଂପୃକ୍ତି କଥା ଉଠୁଛି । ତଥାପି ସତ କଥା ହେଉଛି- ଘାଇଟି ନିଶ୍ଚୟ ମନୁଷ୍ୟକୃତ । ନ ହେଲେ ସେ ନଦୀବନ୍ଧ ଭାଙ୍ଗିବାର ଆଦୌ ସଂଭାବନା ହିଁ ନଥିଲା ।

ଗାଁ ଲୋକେ ଯଦି ଆପଣା ଗାଁରୁ ପାଣି କାଢିବା ପାଇଁ ନଦୀବନ୍ଧ ଭାଙ୍ଗିବାକୁ ଆରମ୍ଭ କରିବେ, ତେବେ ଏହା ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । ସେମିତି ଯଦି ଡିନାମାଇଟ୍‍ ଲାଗିଛି ଓ ଜାଣିଶୁଣି ରାଜନୈତିକ ଓ ଠିକାଦରୀ ଆଶା ରଖି ଏହା ଭଙ୍ଗା ଯାଇଛି- ତେବେ ଏହା ଘୋର ପାପ । ଯେଉଁମାନେ ଏମିତି କରିଛନ୍ତି, ସେମାନଙ୍କୁ ପ୍ରଶାସନ ତୁରନ୍ତ ଗିରଫ କରୁ । ସେଥିରେ ଶାସକ, ବିରୋଧୀ ଦଳ ନ ଦେଖି, କାର୍ଯ୍ୟାନୁଷ୍ଠାନ ଶୀଘ୍ର ହେବା ଦରକାର । ଯେମିତି ଆଉ କେହି ଏ ନେଇ ସାହାସ କରିବେ ନାହିଁ । ପୁଣି ପ୍ରଶ୍ନ ହେଉଛି- ସେ ଇଲାକାରେ ଡିନାମାଇଟ୍‍ ଆସିଲା କୁଆଡ଼ୁ? ପୁଲିସ ଏହାର ତଦନ୍ତ ଶୀଘ୍ର କରୁ ।

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ସବୁଦିନେ ବିଭିନ୍ନ ଖରାପ କାରଣ ପାଇଁ ଚର୍ଚ୍ଚାରେ ରହୁଛି । ସ୍ମିତାରାଣୀ ହତ୍ୟାକାଣ୍ଡ ରାଜ୍ୟରେ ଚହଳ ସୃଷ୍ଟି କରିଥିଲେ ମଧ୍ୟ ପ୍ରକୃତ ଘଟଣା କଣ, ତାହା ସାମ୍ନାକୁ ଆସିଲା ନାହିଁ । ଧୀରେଧୀରେ ଏହା ହଜିଗଲା । ଧର୍ମଶାଳା ବ୍ଲକରେ ପଥର ଖାଦାନ ଓ ମୋରମ ଖାଦାନ ଦୁର୍ନୀତି ଶହ ଶହ କୋଟି ଟଙ୍କାର । ଏ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଛି, କିନ୍ତୁ ସରାରୀ ବାବୁ, ନେତା, କୁଜିନେତାଙ୍କ ମିଲିଭଗତ କାରଣରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ କି ସେ ଦୁର୍ନୀତି କେବେ ସରୁ ବି ନାର୍ହି ।

ଋମାପୁର ନଦୀବନ୍ଧ ଭଙ୍ଗା ଏକ ଭୟଙ୍କର ଷଡ଼ଯନ୍ତ୍ର । ଯାଜପୁର ଜିଲ୍ଲା ପ୍ରଶାସନ ନିଜେ ଏ ଦିଗରେ ପଦକ୍ଷେପ ନେଉ । ଜିଲ୍ଲାପାଳ ବି ଏକଥା ଖୋଦ୍‍ ସ୍ୱୀକାର କରି ସାରିଛନ୍ତି । ତେଣୁ ଯେତେ ଜଲଦି କାର୍ଯ୍ୟାନୁଷ୍ଠାନ ନେବେ, ତାହା ସମାଜ ପାଇଁ ସେତେ ମଙ୍ଗଳ । ଆଉ କେହି ଏମିତି ଷଡ଼ଯନ୍ତ୍ର କରିବାକୁ ସାହାସ କରିବେ ନାହିଁ ।

ଇମେଲ୍‌: jpm.iimc@gmail.com

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.