ପୁରୀ: ସାକ୍ଷୀ ଗୋପାଳ ଅନ୍ତର୍ଗତ ଜୟପୁର ଗ୍ରାମର ଏସ.କେ କରଙ୍କ ଘରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଡ୍ରଇଂ ରୁମରେ ପଙ୍ଖା ଚଳେଇବା ପାଇଁ ସୁଇଚ ଅନ୍ କରିବା ମାତ୍ରେ ଚମକି ପଡିଲେ। ପଙ୍ଖା ବୁଲିଲା ସତ, ହେଲେ ପଙ୍ଖା ଉପରେ ଏବଂ ଛାତ ତଳେ ଯାଇଥିବା ବିଜୁଳି ତାର କେଶିଂ ଉପରେ ଝୁଲି ରହିଥିଲା ଏକ ବିରାଟ ସାପ। ଭୟଭୀତ ହୋଇ କର ବାବୁଙ୍କ ପରିବାର ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ରାତି ୧୧ଟା ବେଳେ ସେଠାରେ ପହଞ୍ଚିବା ବେଳକୁ ପଙ୍ଖା ସେମିତି ବୁଲୁଥିଲା, ଏବଂ ଏକ ବଡ ସାପ ସେଇଭଳି ବିଜୁଳି ତାର କେସିଂରେ ଝୁଲୁଥିଲା।
ନିହାର ସାପଟିକୁ ବିଷ ହୀନ ଢମଣା ସାପ ବୋଲି ଚିହ୍ନଟ କଲେ। ପଙ୍ଖାର ସୁଇଚ ବନ୍ଦ କରିବା ପରେ, ନିଜର ସ୍ନେକ୍ ହୁକ୍ ସାହାଯ୍ୟରେ ସାପଟିକୁ ତଳକୁ ଖସେଇବା ପାଇଁ ଧୀରେ ଧୀରେ ଚେଷ୍ଟା କଲେ। ହେଲେ ତଳକୁ ଖସିବ କଣ, ୭ ଫୁଟ ଲମ୍ବର ଢମଣା ସାପଟି ତଳକୁ ଡେଇଁ ପଡ଼ିଥିଲା ଏବଂ ଘର କୋଣରେ ଏକ କାଠ ଟୁଲ ତଳେ ଲୁଚି ଯାଇଥିଲା। ଟୁଲଟିକୁ ଟାଣି ବାହାରକୁ ଆଣିବା ପରେ ନିହାର ଢମଣା ସାପଟିକୁ ବ୍ୟାଗ୍ ଭିତରେ ଭର୍ତ୍ତି କରିଥିଲେ।
ନିହାର କହିଛନ୍ତି “ମୁଁ ତାଙ୍କ ଘରେ ପହଞ୍ଚିବା ବେଳକୁ ପଙ୍ଖା ସେମିତି ବୁଲୁଥିଲା, ଏବଂ ସାପ ମଧ୍ୟ ସେମିତି ଝୁଲୁଥିଲା । ଯଦି, ଅକସ୍ମାତ୍ ସାପଟି ଖସି ପଡି ଥାଆନ୍ତା, ତାହାଲେ ପଙ୍ଖାର ବ୍ଲେଡରେ ବାଜି କଟିବା ସୁନିଶ୍ଚିତ ଥିଲା।” ସାପ ଟିକୁ ଗାଁଠାରୁ ଦୂରରେ ଏକ ଜନ ଶୂନ୍ୟ ପ୍ରାକୃତିକ ଆବାସ ସ୍ଥଳୀରେ ରାତିରେ ହିଁ ଛାଡ଼ି ଦିଆଯାଇଥିଲା। ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ମୋର ୨୦ ବର୍ଷ କ୍ୟାରିଅର ଭିତରେ ମୁଁ ଏମିତି ଦୃଶ୍ୟ ଦେଖିନଥିଲି। ଢମଣା ସାପମାନେ ଭଲ ଭାବରେ ଗଛ ଚଢ଼ି ପାରନ୍ତି, ସମ୍ଭବତଃ ସ୍କାଇ ଲାଇଟ୍ ମଧ୍ୟ ଦେଇ ଏଇ ସାପଟି ମୂଷା ଖାଇବା ପାଇଁ ଆସିଥିଲା।”
Comments are closed.