କେନ୍ଦ୍ରାପଡ଼ା: ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ବଡପଡ଼ାଠାରେ ଏହି ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ଆଜି କଟକରୁ କେନ୍ଦ୍ରାପଡ଼ାର ଜମ୍ବୁ ଯାଉଥିବା ଯାତ୍ରୀବାହୀ ବସ୍ ‘ଉମାଶଙ୍କର’ ଭାରସାମ୍ୟ ହରାଇ କେନାଲକୁ ଖସି ପଡିଛି। ଏହି ସମୟରେ ବସ୍ରେ ୨୦ରୁ ଅଧିକ ଯାତ୍ରୀ ରହିଥିଲେ। ତେବେ ସାମାନ୍ୟ ଭାବରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଥିବା ବେଳେ, ଗୁରୁତରଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ପାଇ ସ୍ଥାନୀୟ ପୋଲିସ ସହ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ। ଏହି ବସ୍ରେ ମହିଳା ଓ ଶିଶୁ ମଧ୍ୟ ଯାତ୍ରା କରୁଥିବା ସୂଚନା ମିଳିଛି। ବସ୍ଟି ଏକ ହମ୍ପସକୁ ଅତିକ୍ରମ କରିବାବେଳେ ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି ଉଦ୍ଧାର ହୋଇଥିବା ଯାତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।
ପରେ ସ୍ଥାନୀୟ ଲୋକେ ସହାୟତା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ଷା ଓ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନାକୁ ପଠାଯାଇଥିଲା।