Latest Odisha News

BREAKING NEWS

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଜାରି, ୨୦ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କିଏ ହେବେ ହାଇକମାଣ୍ଡ ?

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ହାତରୁ ଖସିବ କଂଗ୍ରେସ କମାଣ । ଶଶୀ ଥରୁର୍ ନା ମଲ୍ଲିକାର୍ଜୁନ୍ ଖଡ଼ଗେ କିଏ ହେବେ କଂଗ୍ରେସ ହାଇକମାଣ୍ଡ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ମତଦାନ ହେଉଛି । ସାରା ଦେଶରେ ୩୬ଟି ମତଦାନ କେନ୍ଦ୍ରର ୬୭ଟି ବୁଥରେ ଭୋଟ୍ ଦେଉଛନ୍ତି ୯୩୦୦ରୁ ଅଧିକ କଂଗ୍ରେସ ନେତା । ପ୍ରତି ୨ ଶହ ମତଦାତାଙ୍କ ପାଇଁ ଗୋଟିଏ ବୁଥ୍ କରାଯାଇଛି ।

ଦୀର୍ଘ ୨୦ ବର୍ଷ ପରେ ଏଥର ଗାନ୍ଧୀ ପରିବାର ବାହାରୁ ଶରୀ ଥରୁର୍ କିମ୍ବା ଖଡ଼଼ଗେ କଂଗ୍ରସର ମୁଖ୍ୟ ହେବେ । ଯଦିଓ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ଅଧିକ ଚର୍ଚ୍ଚା ହେଉଥିବା ବେଳେ ୧୯ରେ ନିର୍ବାଚନ ଫଳାଫଳ ଗଣତି ପରେ ସବୁ ସ୍ପଷ୍ଟ ହୋଇଯିବ ।

୧୩୭ ବର୍ଷର କଂଗ୍ରସ ଇତିହାସରେ ଷଷ୍ଠ ଥର ପାଇଁ ନିର୍ବାଚନ ହେଉଛି । ଭୋଟିଂ ଆରମ୍ଭ ପୂର୍ବରୁ ଶଶୀ ଥରୁର୍, ଖଡ଼ଗେଙ୍କୁ ଶୁଭକାମନା ଜଣାଇଥିବା ବେଳେ ଗୁଡ୍ ଲକ୍ କହିଛନ୍ତି ଖଡ଼ଗେ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭୋଟ୍ ଦେଇଛନ୍ତି ।

ସେପଟେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ରାହୁଲ ଗାନ୍ଧୀ କର୍ଣ୍ଣାଟକର ବେଲ୍ଲାରୀରେ ମତଦାନ କରିଛନ୍ତି । ଉଭୟ ଥରୁର୍ ଓ ଖଡ଼ଗେ କହିଛନ୍ତି, ଫଳାଫଳ ଯାହା ବି ହେଉ ଦଳ ପାଇଁ ଏକାଠି କାମ କରିବେ । ୨୦୧୯ ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡ଼ିଥିଲେ ରାହୁଲ ଗାନ୍ଧୀ ।

ସେବେଠୁ ସୋନିଆ ଦଳର ଅନ୍ତରୀଣ ଅଧ୍ୟକ୍ଷ ଥିବାବେଳେ ନେତୃତ୍ୱ ପରିବର୍ତ୍ତନ ପାଇଁ ବାରମ୍ବାର ନେତା ଦାବି କରି ଆସୁଥିଲେ । ଏହାରି ଭିତରେ କିଛି ଅସନ୍ତୁଷ୍ଟ ବରିଷ୍ଠ ନେତା ହାତ ମଧ୍ୟ ଛାଡ଼ିଛନ୍ତି । ଅସନ୍ତୋଷ, ଅନ୍ତଃକନ୍ଦଳ ଭିତରେ କଂଗ୍ରେସ ବାଛୁଥିବା ନୂଆ ଅଧ୍ୟକ୍ଷ ଦଳକୁ କିଭଳି ସଜାଡ଼ି ଲୋକଙ୍କ ବିଶ୍ୱାସ ଜିତିବେ । ସେ ଅପେକ୍ଷାରେ କର୍ମକର୍ତ୍ତା ।

Leave A Reply

Your email address will not be published.