ବଲାଙ୍ଗୀର: ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ମିଳିଛି ବଡ଼ ସଫଳତା। ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଛତର ଦଣ୍ଡି ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ। ଡିଭିଏଫ ପୋଲିସ ଚଢାଉରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ଏହାକୁ ନେଇ ଉତ୍ତରାଞ୍ଚଳ ପୋଲିସ ଆଇଜି ହିମାଂଶୁ କୁମାର ଲାଲ ବଲାଙ୍ଗୀର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସୋମବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।
ପୋଲିସ ସୂଚନାନୁଯାୟୀ, ତୁରେକେଲା ଥାନା ଛତର ଦଣ୍ଡି ଜଙ୍ଗଲରେ ମାଓ ଗତିବିଧି ନେଇ ବଲାଙ୍ଗୀର ଡିଭିଏଫ୍ ପୋଲିସକୁ ସୂଚନା ମିଳିଥିଲା। ଏହି କାରଣରୁ ଡିଭିଏଫ୍ ପୋଲିସ ସଜାଗ ହୋଇଥିଲା। ତେଣୁ ଗତ ୨ ଦିନ ହେଲା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରାଯାଇଥିଲା। କମ୍ଵିଂ ଅପରେସନ ସମୟରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି। ଘଟଣାସ୍ଥଳରୁ ବନ୍ଧୁକ, ଅଫୁଟା ଗୁଳି, ଏବଂ ଲ୍ୟାଣ୍ଡମାଇନ୍ ତିଆରି ପାଇଁ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ବିବିଏମ ଡିଭିଜନର ୫ ରୁ ୭ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍ପି ଋଷିକେଶ ଡାନଦେଓ ଖିଲାରୀ ମଧ୍ୟ ଉପସ୍ଥିତ ରହି ସମଗ୍ର ମାଓବାଦୀ ଅପରେଶନ ସମ୍ପର୍କରେ ସୂଚନା ଦେଇଥିଲେ। ଗନ୍ଧମାର୍ଦ୍ଦନ ଏରିଆ ବଲାଙ୍ଗୀର ଓ ବରଗଡ଼ ଅଞ୍ଚଳରେ ଅପରେଶନ ଚାଲୁ ରହିଛି ବୋଲି ଆଇଜି ହିମାଂଶୁ ଲାଲ କହିଥିଲେ।