Latest Odisha News

BREAKING NEWS

ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ସୁବର୍ଣ୍ଣପୁର: ଉଲୁଣ୍ଡା ବ୍ଲକ ମହଦାଠାରେ ବୁଲେଟ ଓ ସାଇକେଲ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା। ମୃତକ ହେଲେ ମହଦା ଗାଁର ୨୨ ବର୍ଷୀୟ ତ୍ରିଲୋଚନ ଭୋଇ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଘଟଣାଟି ଗୁରୁବାର ସନ୍ଧ୍ୟାରେ ଘଟିଥିବା ଜଣାପଡିଛି।

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୟନଶିଳ୍ପ ବିଭାଗର ବୈଷୟିକ ସହାୟକ ଅଶୋକ କୁମାର ମିଶ୍ର ସନ୍ଧ୍ୟାରେ ବୀରମହାରାଜପୁର ଅଞ୍ଚଳରୁ ତାଙ୍କ ସରକାରୀ କାର୍ଯ୍ୟ ସାରି ସୋନପୁର ଯାଉଥିଲେ। ଏହି ସମୟରେ ଟିଉସନ୍ ପାଠ ପଢା କାର୍ଯ୍ୟ ସାରି ସାଇକେଲରେ ତ୍ରିଲୋଚନ ଭୋଇ ନିଜ ଘରକୁ ଫେରୁଥିଲେ। କୌଣସି କାରଣରୁ ଅଶୋକ ଭାରସାମ୍ୟ ହରାଇ ତ୍ରିଲୋଚନଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତ୍ରିଲୋଚନଙ୍କର ମୃତ୍ୟୁ ଘଟିଥିଲା।

ତ୍ରିଲୋଚନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାରେ ଉତ୍ୟକ୍ତ ଗ୍ରାମବାସୀ ସୋନପୁର-ବୀରମହାରାଜପୁର ରାସ୍ତାକୁ ଅବରୋଧ କରିଥିଲେ। ଘଟଣାସ୍ଥଳ ସମ୍ପର୍କରେ ପୋଲିସ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚିଥିଲା। ପୋଲିସ ଲୋକଙ୍କୁ ବୁଝା ସୁଝା କରୁଥିଲେ ମଧ୍ୟ ଉତ୍ତେଜନା କମିନଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ ପ୍ରତ୍ୟାହାର ନ କରି ବୁଲେଟ ଚାଲକଙ୍କୁ ଅଟକ ରଖିଥିଲେ। ଦୀର୍ଘ କିଛି ସମୟ ପରେ ପୋଲିସ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.