Latest Odisha News

BREAKING NEWS

କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ‘ଟୁ ସାର୍‌‌-ଉଇଥ୍‌‌ ଲଭ୍‌‌’

କଟକ : ହେରିଟେଜ୍‌‌ ୱାକସ୍‌‌ କଟକ ଓ ଓଡ଼ିଶା କ୍ରିକେଟ୍‌‌ ଆସୋସିଏସନ୍‌‌(ଓସିଏ)ର ମିଳିତ ଆନୁକୂଲ୍ୟରେ ଓସିଏ ସମ୍ମିଳନୀ କକ୍ଷରେ ବିଶିଷ୍ଟ କବି ସ୍ବର୍ଗତ ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ‘ଟୁ ସାର୍‌‌-ଉଇଥ୍‌‌ ଲଭ୍‌‌’ ଶୀର୍ଷକରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବଲିଉଡ୍‌‌ର ବିଶିଷ୍ଟ ଗୀତିକାର ତଥା କବି ଗୁଲଜାର୍‌‌ ଜୟନ୍ତ ମହାପାତ୍ରଙ୍କ ପ୍ରତି ଦେଇଥିବା ଶ୍ରଦ୍ଧାଞ୍ଜଳିର ଅଡିଓ ରେକର୍ଡିଂକୁ ମଞ୍ଚରେ ଉପସ୍ଥାପନ କରାଯାଇଥିଲା।

କବି ସ୍ୱର୍ଗତ ମହାପାତ୍ରଙ୍କଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା ସହ ଆରମ୍ଭ ହୋଇଥିବା ଏହି ସ୍ମୃତି ସଭାରେ ଓଡ଼ିଶା ହାଇକୋର୍ଟର ବିଚାରପତି ଶିଶିକାନ୍ତ ମିଶ୍ର କବିଙ୍କ ସହ ତାଙ୍କ ଏ ନୁଭୂତି ବର୍ଣ୍ଣନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଦୀର୍ଘ ଅର୍ଦ୍ଧ ଶତାବ୍ଦୀର ସମ୍ପର୍କକୁ ମନେପକାଇ ଜଣେ ଉଚ୍ଚକୋଟିର କବି ହେବା ସହ ସ୍ୱର୍ଗତ ମହାପାତ୍ର ଜଣେ ନିହାତି ସରଳ ଓ ଶିଶୁ ସୁଲଭ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଚିନ୍ମୟ ଜେନା ମତବ୍ୟକ୍ତ କରିଥିଲେ ।

ଏହି ସ୍ମୃତି ସଭାରେ କବିଙ୍କ ରଚିତ ‘ଓଡ଼ିଶା’ ପୁସ୍ତକର ନିର୍ବାଚିତ ଅଂଶକୁ ଫ୍ରେଡ୍‌‌ରିକ୍‌‌ ରାଇଟ୍‌‌ ପାଠ କରିଥିବା ବେଳେ ଆତ୍ମଜୀବନୀ ‘ଭୋର ମୋତିର କାନଫୁଲ’ର ନିର୍ବାଚିତ ଅଂଶକୁ ବିଶିଷ୍ଟ ସାହିତ୍ୟିକ ବିଜୟ ମଲ୍ଲ ଓ କବି ଅମୀୟ ରଞ୍ଜନ ମହାପାତ୍ର ଉପସ୍ଥାପିତ କରିଥିଲେ । ଏହା ସହ ଶୈଲେନ୍‌‌ ରାଉତରାୟ କବିଙ୍କ ବିଭିନ୍ନ ସାକ୍ଷାତକାରର ଅଂଶବିଶେଷ ଏବଂ ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର କବିଙ୍କ କବିତାର ଏକ ଚମତ୍କାର ଅନୁଶୀଳନ ଉପସ୍ଥାପନା କରିଥିଲେ। ତାଙ୍କ ସହ କବି ସଂଗ୍ରାମ ଜେନା କଟକ ଓ ଜୟନ୍ତ ମହାପାତ୍ରଙ୍କୁ ନେଇ ଜାପାନୀ କବି କାଜୁକୋ ସିରାଇସି ଲେଖିଥିବା କବିତାକୁ ପାଠ କରିଥିଲେ।

ଏହି ଅବସରରେ କବୀ ଗାୟତ୍ରୀବାଳା ପଣ୍ଡା, କବି ସୁରେଶ ନାୟକ, ରବୀନ୍ଦ୍ର କୁମାର ସ୍ୱାଇଁ, ପ୍ରସନ୍ନ ସ୍ୱାଇଁ, ସରିତା ସାମଲ, ଅଶୋକ ପଟ୍ଟନାୟକ, କେଦାର ମିଶ୍ର, ବାସୁଦେବ ସୁନାନି ଗୋପ ରଞ୍ଜନ ମିଶ୍ର ଜୟନ୍ତ ଦାସ ପ୍ରମୁଖ କବିଙ୍କ ଇଂରାଜୀ ଓ ଓଡ଼ିଆ କବିତା ପାଠ କରିଥିଲେ ଏବଂ ପ୍ରକାଶକ ମନୁ ଦାସ କବି ଜୟନ୍ତ ମହାପାତ୍ରଙ୍କ ପାଖକୁ ଆସିଥିବା ୨ଟି ଚିଠି ପଢ଼଼ି ଶୁଣାଇଥିଲେ।

କଟକ ହେରିଟେଜ୍‌‌ ୱାକସ୍‌‌ ପକ୍ଷରୁ ଦୀପକ ସାମନ୍ତରାୟଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଅନ୍ତିମ ଚରଣରେ କୁମାର ପ୍ରସନ୍‌‌ଜିତ୍‌‌ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।।

Leave A Reply

Your email address will not be published.