ପୁରୀ:ପୁରୀରେ ମଙ୍ଗଳା ନଦୀ ମୁହାଣ ନିକଟ ବେଳାଭୂମିରେ ଶ୍ରୀବିଚ୍ ନିର୍ମାଣ ହେବ । ଏଥିପାଇଁ ୧୮ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପୁରୀକୁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନର ବିକାଶ ଉପରେ ସରକାରଙ୍କ ଅଧିକ ଗୁରୁତ୍ୱ ରହିଛି । ତେବେ ଶ୍ରୀବିଚ୍ ପ୍ରକଳ୍ପକୁ ୧୬ ମାସରେ ଶେଷ କରିବା ପାଇଁ ଟେଣ୍ଡରରେ ସମୟ ଅବଧି ରଖାଯାଇଛି ।
ପୁରୀକୁ ଆସୁଥିବା ପର୍ଯ୍ୟଟକ ନୂଆ ଶ୍ରୀବିଚ୍ ବେଳାଭୂମିକୁ ଆହୁରି ଉପଭୋଗ କରିବେ ।ଶ୍ରୀବିଚ୍ ପ୍ରକଳ୍ପରେ ଓଡିଆ କଳା ଓ କାରୁକାର୍ଯ୍ୟ ସ୍ଥାପତ୍ୟ ରହିବ । କାଫେର ସୁବିଧା ରହିବ । ପର୍ଯ୍ୟଟକଙ୍କ ଲାଗି ବେଳାଭୁମିରେ ବସିବା ପାଇଁ ଓ ଯୋଗ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରହିବ । ଶୌଚାଳୟ ସହ ପୋଷାକ ପରିବର୍ତ୍ତନ ପାଇଁ ଗୃହ ରହିବ । ଦିବ୍ୟାଙ୍ଗ ମାନଙ୍କ ପାଇଁ ମଧ୍ୟ ସମସ୍ତ ସୁବିଧା ଉପଲବ୍ଧ ରହିବ । ଛୋଟ ପିଲାଙ୍କ ଖେଳିବା ପାଇଁ ଶିଶୁ ଉଦ୍ୟାନ ରହିବ । ପରିବେଶ ଅନୁକୂଳ ସାମଗ୍ରୀକୁ ନେଇ ପ୍ଲେ ଜୋନ୍ ତିଆରି ହେବ । ପର୍ଯ୍ୟଟକ ମାନେ ଏକ ନିଆରା ଅନୁଭୂତି ହାସଲ କରିବା ପାଇଁ ଏକ ସେଲ୍ଫି ଜୋନ୍ ରହିବ । ପର୍ଯ୍ୟଟକଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା ସହିତ ପାନୀୟ ଜଳ, ଭିଜିଟର ସେଣ୍ଟର ରହିବ ।
ପୁରୀ ବେଳାଭୂମିକୁ ଏକାଧିକ ଜୋନରେ ବିଭକ୍ତ କରାଯାଇ ଏହାର ଉନ୍ନତି କରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ଶା ଖଣି ନିଗମ ପକ୍ଷରୁ ଏନେଇ ଟେଣ୍ଡର ଆହ୍ୱାନ କରାଯାଇଛି ।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ମଙ୍ଗଳା ମୁହାଣ ନିକଟରେ ଥିବା ବେଳାଭୂମି ର ବିକାଶ କରାଯିବ। ତେବେ ଏହି ପ୍ରକଳ୍ପ ର ଏବେ ଡିପିଆର୍ ପ୍ରସ୍ତୁତ ହୋଇଛି।