ବାଲେଶ୍ୱର: ଖୁବଶୀଘ୍ର ନୀଳଗିରିର ଗୋଇନାଥପୁର ରେଳ ଷ୍ଟେସନରୁ ବାଲେଶ୍ୱର ଯାଏଁ ମେମୁ ଟ୍ରେନ୍ ଗଡ଼ିବ। ଦକ୍ଷିଣ-ପୂର୍ବ ରେଳପଥର ଆଞ୍ଚଳିକ ପ୍ରବନ୍ଧକ ଅନିଲ କୁମାର ମିଶ୍ର ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ମେମୁ ଟ୍ରେନ ପାଇଁ ରେକ ଆସିସାରିଛି ଏବଂ ମନ୍ତ୍ରଣାଳୟ ତାରିଖ ସ୍ଥିର କରିବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂତନ ଟ୍ରେନକୁ ଉଦଘାଟନ କରିବେ। 10ରୁ 15 ଦିନ ମଧ୍ୟରେ ତାରିଖ ଚୂଡ଼ାନ୍ତ ହେବ ବୋଲି ଅନୀଲ ମିଶ୍ର ଆଶାବ୍ୟକ୍ତ କରିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଏସ୍ଇଆର୍ ଡିଭିଜନ୍ ଅଧୀନରେ ଥିବା ସମସ୍ତ ପୁରୁଣା ଷ୍ଟେସନର ସିଗନାଲ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନିଆଯାଇଛି।ଷ୍ଟେସନଗୁଡ଼ିକର ଆଧୁନିକୀକରଣ କାମ ଶେଷ ହେବା ପରେ ଏହାକୁ ଚଲାଯିବ।
ସେହିପରି ଭଦ୍ରକ ଜିଲ୍ଲାର ରାଣୀତାଲ ଠାରୁ ବାଲେଶ୍ୱର ଯାଏଁ ରେଳଷ୍ଟେସନର ଆଧୁନିକୀକରଣ କାମ ପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ରୟାଲଟି ବୃଦ୍ଧି କରାଯାଇଥିବାରୁ ତୃତୀୟ ଟ୍ରାକ୍ କାମ ଆଗକୁ ବଢ଼ି ପାରିନି।
ଉଲ୍ଲେଖଯୋଗ୍ୟ, ଏହି ଟ୍ରେନ ଗଡିଲେ ନୀଳଗିରି ବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ। ଯାହାକୁ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବାଲେଶ୍ବର ସାଂସଦ ତଥା ପୂର୍ବତନ ନୀଳଗିରି ବିଧାୟକ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।
Comments are closed.