ନୂଆଦିଲ୍ଲୀ: ଅଧିକାଂଶ ବ୍ୟବସାୟୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିଏ ଅଫର ଦେଉଥିବା ବେଳେ ଆଉ କିଏ ଗୋଟେରେ ଗୋଟେ ଫ୍ରି କରିଥାନ୍ତି । ହେଲେ ଦିଲ୍ଲୀର ଜଣେ ଷ୍ଟ୍ରିଟ୍ ବିକ୍ରେତା
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଆକର୍ଷଣୀୟ ଚ୍ୟାଲେଞ୍ଜ ଦେଇଛନ୍ତି । ତାଙ୍କ ଆମଲେଟ ଚ୍ୟାଲେଞ୍ଜରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଯାହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ।
ନୂଆଦିଲ୍ଲୀର ରାସ୍ତା କଡ଼ରେ ରହିଛି ଏକ ଛୋଟ ଫାଷ୍ଟଫୁଡ଼ ଦୋକାନ । ଏହାର ଦୋକାନୀ ରାଜୀବ ଭାଇ ନାମରେ ବେଶ୍ ଜଣାଶୁଣା । ରାଜୀବ ଭାଇ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ବଡ଼ ପରିମାଣର ନଗଦ ପୁରସ୍କାର ଜିତିବାର ସୁଯୋଗ ଦେଇଛନ୍ତି । ୩୧ ଅଣ୍ଡାରେ ପ୍ରସ୍ତୁତ ଆମ୍ଲେଟ୍କୁ ଯିଏ ମାତ୍ର ୩୦ ମିନିଟରେ ଖାଇଦେବ, ତାହାକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର ମିଳିବ ବୋଲି ସେ ଘୋଷଣା କରିଛନ୍ତି । ରାଜୀବ ଭାଇ ନିଜେ ଏହି ଆମଲେଟ ତିଆରି କରିଛନ୍ତି । ଏହି ଆମ୍ଲେଟ ଅନେକ ଉପାଦାନ ମିଶ୍ରଣ ଦ୍ୱାରା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ବହୁ ପରିମାଣର ବଟର, ୩୧ରୁ ଅଧିକ ଅଣ୍ଡା, କବାବ ଏବଂ ମିକ୍ସ ଭେଜ୍ ମଧ୍ୟ ସାମିଲ ଅଛି ।
ଫିଟନେସ ପ୍ରେମୀ ଚିରାଗ ବଡ଼ଜାତ୍ୟ ଏହି ବିଶାଳ ଆମଲେଟର ଭିଡିଓକୁ ଏକ୍ସରେ ସେୟାର କରିଛନ୍ତି, ଯାହା ମୂଳତଃ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା । ଭିଡିଓରେ ରାଜୀବ ଏକ ଗରମ ପ୍ୟାନରେ ବଟର ସହିତ ଆମଲେଟ ପ୍ରସ୍ତୁତ କରିବା ଆରମ୍ଭ କରନ୍ତି, ତା’ପରେ କଟା ପିଆଜ, ଲଙ୍କା ଏବଂ ଟମାଟୋ ପକାନ୍ତି । ତା’ପରେ ସେ ୩୧ଟି ଅଣ୍ଡା ପକାନ୍ତି । ଅନ୍ତିମ ସ୍ପର୍ଶରେ କବାବ, ପିଆଜ, ଅତିରିକ୍ତ ପନିପରିବା, ଗ୍ରେଡ ପନିର ପକାନ୍ତି । ଏହାର ମୋଟ ମୂଲ୍ୟ ୧୩୨୦ ଟଙ୍କା । ଏହି ମୂଲ୍ୟରେ କେହି କିଣି ଖାଇପାରିବେ । ନଚେତ୍ ଏହାକୁ ମାତ୍ର ୩୦ ମିନିଟ୍ରେ ଖାଇଲେ ୧ ଲକ୍ଷ ଟଙ୍କା ପୁରସ୍କାର ପାଇବେ ।
Comments are closed.