ମୁମ୍ବାଇ: ଏ.ଆର୍.ରେହମାନ l ଆଜି ତାଙ୍କୁ କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି । ସମୟ ଥିଲା ଯେତେବେଳେ ତାଙ୍କୁ ନିଜର ଷ୍ଟୁଡ଼ିଓ କୋଲିବାକୁ ଗୁରୁତର ଭାବେ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିଥିଲା । ଏତେ ବର୍ଷର ସଂଘର୍ଷ ଓ ସାଧନା ବଳରେ ଆଜି ସେ ଏପରି ସ୍ତରରେ ପହଞ୍ଚି ପାରିଛନ୍ତି । ତେବେ ବର୍ତ୍ତମାନ ଏ.ଆର୍.ରେହମାନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି l ବିବାହର ଦୀର୍ଘ ୨୯ ବର୍ଷ ପରେ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହେବେ ୫୭ ବର୍ଷିୟ ଗାୟକ ଏ.ଆର.ରେହମାନ୍ l ଏନେଇ ସାଇରାଙ୍କ ଓକିଲ ତରଫରୁ ସୂଚନା ମିଳିଛି l
ସୂଚନା ଅନୁସାରେ, ଗତକାଲି ଉଭୟଙ୍କ ଓକିଲ ଛାଡ଼ପତ୍ରନେଇ ଘୋଷଣା କରିଛନ୍ତି । ସାଇରା ବାନୁଙ୍କ ଓକିଲ କହିଛନ୍ତି, “ସାଇରା ଏହି ସମ୍ପର୍କକୁ ନେଇ ଅନେକ କଷ୍ଟ ପାଉଛନ୍ତି । ଯାହାକୁ ସମ୍ଭାଳିବା ତାଙ୍କ ପାଇଁ ଏବେ ମୁସ୍କିଲ ହୋଇପଡ଼ିଛି । ଏଥିପାଇଁ ସେ ଏହି ବିବାହ ବିଚ୍ଛେଦ ପରି କଠୋର ନିଷ୍ପତ୍ତି ନେଇଛନ୍ତି। ତେବେ ଏନେଇ ଏପର୍ଯ୍ୟନ୍ତ ଏହି ଦମ୍ପତ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗିରହିଥିବା ନେଇ ସୂଚନା ମିଳିଛି l ସେସବୁକୁ ସମାଧାନ କରିବାକୁ ଉଭୟେ ଅନେକ ଚେଷ୍ଟା କରୁଥିବା ବେଳେ ସେସବୁ ସମାଧାନ ନ ହୋଇ ଦିନ କୁ ଦିନ ବଢ଼ୁଥିଲା l ଶେଷରେ ଏହି ଦମ୍ପତ୍ତି ଏପରି ନିଷ୍ପତି ନେଇଛନ୍ତି l
ତେବେ ଏକ ସାକ୍ଷାତକାରରେ ଏ.ଆର ରେହମାନ ଏହି ବିବାହ ତାଙ୍କ ମାଆଙ୍କ ଇଛାରେ ହୋଇଥିବା ନେଇ ସୂଚନା ଦେଇଥିଲେ l ଉଭୟଙ୍କ ମଧ୍ୟରେ ସଂସ୍କୃତିକୁ ନେଇ ମତଭେଦ ଥିବା ଏହା ସତ୍ତ୍ବେ ମଧ୍ୟ ସେମାନେ ଏହି ସମ୍ପର୍କ ନିଭାଇଥିଲେ ବୋଲି କହିଥିଲେ ରେହମାନ । ରହମାନ ୧୯୯୦ରେ ଇସଲାମ ଧର୍ମ ପରିବର୍ତ୍ତନ କରି ନିଜ ନାଁ ଦିଲୀପ କୁମାରରୁ ଅଲ୍ଲାହ ରକ୍ଖା ରହମାନ କରିଥିଲେ। ପରେ ୧୯୯୫ରେ ଏଆର୍ ରହମାନ ସାଇରା ବାନୁଙ୍କୁ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି। ଖତିଜା, ରହୀମା ଏବଂ ଆମିନ । ବଡ ଝିଅ ଖତିଜା ମେ ୨୦୨୨ରେ ରିୟାସଦ୍ଦିନ ଶେଖ ମହମ୍ମଦଙ୍କୁ ବିବାହ କରିଥିଲେ।
ସୂଚନାଯୋଗ୍ୟ, ସ୍ଲମଡଗ ମିଲେନିୟର ଫିଲ୍ମ ପାଇଁ ରେହମାନ ଓସ୍କାର ପାଇଥିଲେ l ‘ମା ତୁଝେ ସଲାମ’, ‘ହେ ହମ୍ଦମ୍ ସୁନିଓ ରେ’ ଏବଂ ‘ତେରେ ବିନା’ ଭଳି ହିଟ୍ ଗୀତ ଗାଇ ସେ ବେଶ ପ୍ରସିଦ୍ଧ ସାଉଁଟିଛନ୍ତି ।