Latest Odisha News

BREAKING NEWS

ପିଲାଙ୍କ ଦ୍ୱାରା ଅନୁଦିତ ଗପବହି ‘ଆମ କୁନି ଗପ’ ଲୋକାର୍ପିତ

ଭୁବନେଶ୍ୱର : ଖଣ୍ଡଗିରି ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ‘ଆମ କୁନି ଗପ’ ବହି ଉନ୍ମୋଚିତ ହୋଇଯାଇଛି । ୫ମ, ୬ଷ୍ଠ ଓ ୭ମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାମାନଙ୍କ ଦ୍ୱାରା ଅନୂଦିତ ୫୦ଟି ଗପ ଏହି ବହିରେ ସ୍ଥାନ ପାଇଛି । । ଖଣ୍ଡଗିରି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍କ ଶିକ୍ଷାକେନ୍ଦ୍ରର ଶ୍ରୀନିକା ସନୋଜା, ଭାନୁପ୍ରତାପ ଖଣ୍ଡା, ଆୟୁସ ଦାସ, ଇନ୍ଦିରା ପ୍ରିୟଦର୍ଶିନୀ, ସାଇ ଶ୍ରୀୟା ସିଂହ, ମିଲନ ପ୍ରସାଦ ବେହେରା, ସତ୍ୟପ୍ରକାଶ ବାରିକ, ଗୁଣବର୍ଦ୍ଧନ ସ୍ୱାଇଁ, ପ୍ରିୟମ ପରିଡ଼ା, ସ୍ମୃତିମୟୀ ମହାରଣା, ଶୁବ୍ରଜିତ୍ ବଳିଆରସିଂହ ଓ ଖଣ୍ଡଗିରି ସ୍ଥିତ ଜାଭିଅର ସ୍କୁଲର ପଞ୍ଚମ ଶ୍ରେଣୀର ଛାତ୍ର ଅଦ୍‌ଭିକ୍ ପଟ୍ଟନାୟକ ଏସବୁ ଗପର ଅନୁବାଦ କରିଛନ୍ତି।

ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ରନାଥ ପାଢ଼ୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବିନୋଦ କୁମାର ସାହୁ ଓ ସୃଜନିକାର ପ୍ରତିଷ୍ଠାତା ସଦସ୍ୟା ପୁଷ୍ପଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ବିଦ୍ୟାଳୟର ଉପାଧ୍ୟକ୍ଷା ପଦ୍ମଜା ନନ୍ଦିନୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ବହିର ଗପଗୁଡ଼ିକ ଅନୁବାଦ କରିଥିବା ସମସ୍ତ ୧୨ ଜଣ ପିଲା ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ସେମାନଙ୍କୁ ଖଣ୍ଡିଏ ଲେଖାଏଁ ବହି ପ୍ରଦାନ କରାଯାଇଥିଲା। ଆଗାମୀ ଦିନରେ ‘ଆମ କୁନି ଗପ’ ବହିର ଡିଜିଟାଲ କପି ଓଡ଼ିଆ ବିଭବ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ତେଣୁ ଯେକେହି ବ୍ୟକ୍ତି ଏଥିରୁ ଡାଉନଲୋଡ୍ କରି ପଢ଼ିପାରିବେ ବୋଲି ସୃଜନିକା ପକ୍ଷରୁ ସୂଚନା ଦିଆଯାଇଛି। ମୂଳ ବହିର ଅନ୍ୟ ଗପଗୁଡ଼ିକୁ ପିଲାମାନେ ଅନୁବାଦ କରିବା ପରେ ପୂର୍ଣ୍ଣାଙ୍ଗ ବହି ପ୍ରସ୍ତୁତ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ମତ ଦେଇଥିଲେ।  ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ନମିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.