Latest Odisha News

BREAKING NEWS

ଆଦିବାସୀଙ୍କ ଅନନ୍ୟ ପରମ୍ପରା କରମଶୁଣି ପୂଜା, କୃଷି ଭିତ୍ତିକ ଏହି ପର୍ବର ମୁଖ୍ୟ ଆକର୍ଷଣ ସାଜେ କରମା ନାଚ

ସୁବର୍ଣ୍ଣପୁର: କାହିଁ କେଉଁ ଆବହାମାନ କାଳରୁ ପଶ୍ଚିମ ଓଡିଶାର ଆଦିବାସି ସମ୍ପ୍ରଦାୟର ଲୋକେ ପାଳନ କରୁଛନ୍ତି ମାଁ କରମଶୁଣି ପୂଜା । କୃଷି ଭିତ୍ତିକ ଏହି ପର୍ବ ପାଳନ କଲେ ବର୍ଷର ଫସଲ ଭଲ ହେବା ସହ ଧନ, ଜନ, ଗୋପ ଲକ୍ଷ୍ମୀ ଚର୍ତୁବର୍ଗ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ଏଥିପାଇଁ ଭାଦ୍ରବ ମାସ ଏକାଦଶୀ ତିଥିରେ ଆଦିବାସୀ ସଂସ୍କୃତିର ଏହି ମହାନ ପର୍ବ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ପାଳିତ ହୁଏ । ଗତକାଲିଠୁ ସୁବର୍ଣ୍ଣପୁର ଜିଲ୍ଲାର ଅନେକ ଆଦିବାସୀ ଅଞ୍ଚଳରେ ଆରମ୍ଭ ହୋଇଛି ମାଁ କରମଶୁଣି ପୂଜା ।

ତୁହି ମାଁ କରମଶୁଣି, ଅପୁତ୍ରିକ କେ ପୁତ୍ର ଦାନୀ……. ଭାଦ୍ରବ ମାସ ଏକାଦଶୀ ତିଥିରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରତିଟି ଆଦିବାସୀ ପଡାରେ ଶୁଭେ ଏହି ଗୀତ । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରୁ ଆରମ୍ଭ ହେଉଥିବା ଏହି ପର୍ବ ଶୁକ୍ଳ ଦ୍ୱାଦଶ ତିଥିରେ ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ହୁଏ । ନଦୀରୁ ବାଲି ଆଣି ସାତ ପ୍ରକାର ଶସ୍ୟକୁ ସାତ ଦିନ ପୂର୍ବରୁ ଗଜା କରି ଜଙ୍ଗଲରୁ କରମା ଡାଳକୁ ବରଣ କରି ପୂଜା ମଣ୍ଡପରେ ପ୍ରତିଷ୍ଠା କରାଯାଏ । ଏକାଦଶୀ ତିଥି ରାତ୍ରୀରେ ସାତ ଭଉଣୀ ମାଇ ମୁଜୁଲିକୁ ଆଣି ମଡୁଆ ତଳେ ରଖି ସାତ ପ୍ରକାର ଫୁଲ, ସାତ ପ୍ରକାର ଫଳ, ଧୁପ, ଦୀପ ନୈବେଦ୍ୟ ଦେଇ ପୂଜା ଆରାଧନା କରି ଆବାହନ କରନ୍ତି ମାଁ କରମଶୁଣିଙ୍କୁ ।

ଏହି ପର୍ବର ମୂଖ୍ୟ ଆକର୍ଷଣ ହେଲା ଆଦିବାସୀ ମାନଙ୍କର କରମଶୁଣି ନୃତ୍ୟ । ଧଂଙ୍ଗରା, ଧାଙ୍ଗିରୀ, ବୁଢା ବୁଢୀଠୁ ଆରମ୍ଭ କରି ଛୋଟ ପୁଅ ଝିଅ ସଭିଏଁ ମାନ୍ଦଲର ସୂରେ ସୂରେ ନାଚିଥାନ୍ତି ରାତିସାରା ମଡୁଆ ଚାରିପାଖରେ । କୃଷି ଭିତ୍ତିକ କରମଶୁଣି ପର୍ବ ପାଳନ କଲେ ମାଟି ମାଁ ବର୍ଷ ଯାକର ଆହାର ଦିଏ ବୋଲି ଆଦିବାସୀ ମାନଙ୍କର ବିଶ୍ୱାସ ରହିଛି । ଆଧୁନିକତାର ପ୍ରଭାବରେ ଆଜି ବି ମଳିନ ପଡିନାହିଁ କରମଶୁଣି ପରମ୍ପରା । ଗାଁ ଗହଳିଠୁ ଆରମ୍ଭ କରି ସହରରେ ରହୁଥିବା ଆଦିବାସୀ ସଂମ୍ପ୍ରଦାୟର ଲୋକେ ବଡ ଜାକଜମକର ସହିତ ପାଳନ କରୁଛନ୍ତି ଏହି କରମଶୁଣି ପର୍ବ ।

Comments are closed.