Latest Odisha News

BREAKING NEWS

୧୧ ବର୍ଷ ହେଲା ଶୋଇ ନାହାନ୍ତି ମହିଳା

ଭିଏତ୍‌ନାମ: ପ୍ରତ୍ୟେକ ବ୍ୟକ୍ତି ଦିନକୁ ୮ ଘଣ୍ଟା ଶୋଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି । ପ୍ରତ୍ୟେକ ଦିନ ଠିକ୍ ଭାବେ ନ ଶୋଇଲେ ବିଭିନ୍ନ ରୋଗ ଦେଖାଦେଇଥାଏ । ତେଣୁ ସୁସ୍ଥ ରହିବାକୁ ହେଲେ ଭଲ ଭାବେ ଶୋଇବା ଉଚିତ । ହେଲେ ଭିଏତ୍‌ନାମରେ ଏମିତି ଜଣେ ମହିଳା ଅଛନ୍ତି, ଯିଏ ୧୧ ବର୍ଷ ହେଲା ଶୋଇନାହାନ୍ତି । ଏନେଇ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତ୍ରାନ୍ ଥି ଲ୍ୟୁ ନାମକ ଜଣେ ୩୬ ବର୍ଷୀୟା ମହିଳା ଭିଏତ୍‌ନାମର କ୍ୱାଙ୍ଗ୍‌ଙ୍ଗାଇ ସହରରେ ରୁହନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷୟିତ୍ରୀ । ସେ ନିଦ୍ରାହୀନତା ରୋଗରେ ପୀଡ଼ିତ । ତେଣୁ ଦୀର୍ଘ ୧୧ ବର୍ଷ ହେଲାଣି ଆଦୌ ଶୋଇନାହାନ୍ତି । ନିକଟରେ ତ୍ରାନ୍ ନିଦ୍ରାହୀନ ଅନୁଭୂତି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତିି । ସେ କହିଛନ୍ତି ଯେ, ତାଙ୍କର ଏହି ଲକ୍ଷଣ ଦିନେ ଏକ କାନ୍ଦିବା ଘଟଣାରୁ ଆରମ୍ଭ ହୋଇଥିଲା । ପରେ ତାଙ୍କ ଆଖିରୁ ପାଣି ବାହାରିବାକୁ ଲାଗିଲା । ଯେତେ ଚେଷ୍ଟା କଲେ ବି ସେ ତାହା ଅଟକାଇ ପାରି ନ ଥିଲେ । ପରେ ତାହା ତାଙ୍କ ଶୋଇବାରେ ବାଧା ସୃଷ୍ଟି କଲା ।

ପରେ ଲୁହ ଝରିବା ବନ୍ଦ ହୋଇଯାଇଥିଲେ ବି ଆଖିକୁ ନିଦ ଆସୁ ନ ଥିଲା । ତେଣୁ ସେ ସ୍ଥାନୀୟ ମାନସିକ ଚିକିତ୍ସାଳୟରେ ପରୀକ୍ଷାନିରୀକ୍ଷା କଲେ । ସେ ଭୀଷଣ ଭାବରେ ନିଦ୍ରାହୀନତାରେ ଆକ୍ରାନ୍ତ ବୋଲି ବିଶେଷଜ୍ଞ ଡାକ୍ତରମାନେ ଜାଣିବାକୁ ପାଇଲେ । ଏଥିପାଇଁ ନିୟମିତ ଆବଶ୍ୟକ ଔଷଧ ଖାଇବାକୁ ପରାମର୍ଶ ଦେଲେ । ମାତ୍ର ଔଷଧ ଖାଇବାରୁ ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲା । ତେଣୁ ସେ କିଛି ମାସ ପରେ ବାଧ୍ୟ ହୋଇ ଔଷଧ ଖାଇବା ବନ୍ଦ କରିଦେଲେ । ଇତିମଧ୍ୟରେ ୧୧ ବର୍ଷ ହେଲାଣି ସେ ଟିକେ ବି ଶୋଇ ନାହାନ୍ତି ।

ଘରେ ଅନ୍ୟ ସଦସ୍ୟମାନେ ରାତିରେ ଶୋଇଲା ବେଳେ ସେ ଆଖିବୁଜି ଶୋଇବାକୁ ଚେଷ୍ଟା କରନ୍ତି । ଦୀଘ ବର୍ଷ ଅନିଦ୍ରା ରହିବା କାରଣରୁ ତାଙ୍କର ଆଖିର ତଳ କଳା ପଡ଼ିଯାଇଛି । ନିଦ୍ରାହୀନତା ଯୋଗୁଁ ସେ ଅସ୍ଥି ଓ ପେଟରେ ଭୀଷଣ ଯନ୍ତ୍ରଣା ଭୋଗୁଛନ୍ତି । ତଥାପି ସ୍ୱାଭାବିକ ଭାବେ ଦିନେ ଭଲ ନିଦରେ ଶୋଇପାରିବେ ବୋଲି ତ୍ରାନ୍ ଲ୍ୟୁ ଆଶା ରଖିଛନ୍ତି ।

Comments are closed.