Latest Odisha News

କାହାକୁ ନମିଳୁ ଏମିତିକା ସ୍ୱାମୀ ! ରକ୍ତ ପରୀକ୍ଷା ନାଁରେ ବିକ୍ରି କରିଦେଲା ସ୍ତ୍ରୀର କିଡନୀ

ମାଲକାନଗିରି: ସ୍ୱାମୀ ସ୍ତ୍ରୀର କିଡନୀ ବିକ୍ରି କରିଦେବା ମାମଲାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମହିଳାଙ୍କ ଡାହାଣ କିଡନୀ କାଢି ବିକ୍ରି କରାଯାଇଥିବା ମେଡିକାଲ ରିପୋର୍ଟରୁ ଜଣାପଡିଛି। ଯାହାକୁ ନେଇ ଆଜି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି।

ବୁଧବାର ମହିଳା ଜଣଙ୍କ ଆଦର୍ଶ ଥାନାରେ ନ୍ୟାୟ ଦାବିରେ ବସିବା ପରେ ଏହି ଖବର ସାମ୍ନାକୁ ଆସିଛି । ପୀଡ଼ିତା ଜଣକ ହେଲେ ମାଲକାନଗିରି ସଦର ବ୍ଲକ କତାମେଟା ଗ୍ରାମର ରଞ୍ଜିତା କୁଣ୍ଡୁ। ସେ ୧୨ ବର୍ଷ ତଳେ ପ୍ରଶାନ୍ତ କୁଣ୍ଡୁଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଏବଂ ନଣନ୍ଦ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି।

୨୦୧୮ରେ ରଞ୍ଜିତାଙ୍କ କିଡ୍‌ନୀରେ ଷ୍ଟୋନ୍ ହୋଇଥିବା ଜଣାପଡିଥିଲା। ଏହାପରେ ଚାକିରି ନାଁରେ ତାଙ୍କ ସ୍ୱାମୀ ଏବଂ ନଣନ୍ଦ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲକୁ ଆଣିଥିଲେ ବୋଲି ସୂଚନା ରହିଛି। ସେଠାରେ ରକ୍ତ ପରୀକ୍ଷା କରାଇବା ଆଳରେ କିଡ୍‌ନୀ କାଢି ନିଆଯାଇ ବିକ୍ରି କରାଯାଇଥିବା ଖବର ସାମ୍ନାକୁ ଆସିଛି। ଆଧାର କାର୍ଡରେ ନାଁ ପରିବର୍ତ୍ତନ କରାଇ କିଡନି ବିକ୍ରି ହୋଇଥିବା ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି। ଯେଉଁମାନେ ଜାଲ କାଗଜ ପତ୍ର ପ୍ରସ୍ତୁତ କରିଛନ୍ତି ଏବଂ କି଼ଡନୀ ଚୋରୀ ରାକେଟରେ ସାମିଲ ରହିଛନ୍ତି ସମସ୍ତଙ୍କ ବିରୋଧରେ ସେ କାର‌୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି।

ରଞ୍ଜିତା ଜୁଲାଇ ୨୮ରେ ପ୍ରଥମେ ଆଦର୍ଶ ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ କୌଣସି ପଦକ୍ଷେପ ନନେବାରୁ ବୁଧବାର ସେ ପୁଣିଥରେ ଥାନାକୁ ଆସି ନ୍ୟାୟ ଦାବି କରିଛନ୍ତି। ଥାନା  ଅଧିକାରୀ ରିଗାନ୍ କିଣ୍ଡୋ କହିଛନ୍ତି ରଞ୍ଜିତାଙ୍କ ସ୍ୱାମୀ ପ୍ରଶାନ୍ତଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରଶାନ୍ତ ପେଶାରେ ଜଣେ ଶିକ୍ଷକ ବୋଲି ଜଣାପଡିଛି। ସେ ଏବେ ଛୁଟିରେ ଥିବା ସୂଚନା ରହିଛି। ଏମିତିକି ତାଙ୍କ ମୋବାଇଲ ଫୋନ୍ ସୁଇଚ ଅଫ୍ ରହିଥିବା ଜଣାପଡିଛି।

ଅନ୍ୟପଟେ ଏବେ ପୀଡିତା ଯେଉଁ ଘରୋଇ ହସ୍ପିଟାଲ ନାଁରେ ଅଭିଯୋଗ ଆଣିଛନ୍ତି ତାହା ମଧ୍ୟ ତଦନ୍ତପରିସର ଭୁକ୍ତ ହେବା ଆବଶ୍ୟକ। କିଏ ଏବଂ କେଉଁ ପରିସ୍ଥିତିରେ ମହିଳାଙ୍କ ଶରୀରରୁ କିଡନୀ ବାହାର କରାଗଲା ତାର ତଦନ୍ତ ହେବା ଜରୁରୀ।

Leave A Reply

Your email address will not be published.