ଭୁବନେଶ୍ୱର: ରାଜଧାନୀସ୍ଥିତ ଆଇଆରସି ଭିଲେଜ ଅଞ୍ଚଳରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି। ମାତ୍ର ୧୩ ବର୍ଷ ବୟସର ସୋହନ ଦିଗଲ ନାମକ ଜଣେ ନାବାଳକ ଛାତରୁ ଖସି ଏକ ଲୁହା ଗ୍ରିଲ ଉପରେ ପଡ଼ିଯିବାରୁ ଗୁରୁତର ଆହତ ହୋଇଛି। ସେ ଛାତ ଉପରେ ନିଜ ସ୍କୁଲ ୟୁନିଫର୍ମ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଛି।
ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସକାଳେ କାଳବୈଶାଖୀ ଯୋଗୁଁ ଭାଙ୍ଗି ପଡ଼ିଥିବା ଗଛ ହଟାଇବା ପାଇଁ ଏହି ଅଞ୍ଚଳରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀମାନେ ଏକ କଟିଂ ମେସିନ ବ୍ୟବହାର କରି ସୋହନକୁ ଲୁହା ଗ୍ରିଲରୁ ମୁକୁଳାଇଥିଲେ। ଏହାପରେ ,ସୋହନଙ୍କୁ ତୁରନ୍ତ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
କନ୍ଧମାଳର ବାସିନ୍ଦା ସୋହନ ଏବେ ମଧ୍ୟ ଗୁରୁତର ଥିବା ଏମ୍ସର ଡାକ୍ତରମାନେ ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ତାଙ୍କର ଆରୋଗ୍ୟ ପାଇଁ ଚାରିଆଡେ ଏବେ ପ୍ରାର୍ଥନା କରାଯାଉଛି।
Comments are closed.