Latest Odisha News

ସସ୍ମିତ ପାତ୍ରଙ୍କ ଦସ୍ତଖତ ନକଲ ଅଭିଯୋଗ, ବଡ଼ ଅଡ଼ୁଆରେ ଆପ୍ ସାଂସଦ ରାଘବ; ହରାଇପାରନ୍ତି ପଦ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ସାଂସଦ ରାଘବ ଚଢ଼ା ସୋମବାର ଦିନ ରାଜ୍ୟସଭାରେ ଦିଲ୍ଲୀ ସେବା ବିଲ୍କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିବା ପରେ ଏକ ବଡ଼ ବିବାଦରେ ଫସିଛନ୍ତି। ଭାରତୀୟ ଜନତା ପାର୍ଟି (ବିଜେପି) ଏହି ପ୍ରସ୍ତାବରେ ଚଢାଙ୍କ ବିରୋଧରେ ଦସ୍ତଖତ ଜାଲିଆତି ଅଭିଯୋଗ ଆଣିଛି।

ଏହି ପ୍ରସ୍ତାବ ଆଗତ ହେବା ପରେ ବିଜେଡିର ସସ୍ମିତ ପାତ୍ର ଓ ଏଆଇଏଡିଏମକେର ଏମ୍ ଥମ୍ବିଦୁରାଇଙ୍କ ସମେତ ପାଞ୍ଚଜଣ ସାଂସଦ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ବିନା ସହମତିରେ ଦିଲ୍ଲୀ ସେବା ବିଲ୍ ଉପରେ ପ୍ରସ୍ତାବିତ ସିଲେକ୍ଟ କମିଟିରେ ସେମାନଙ୍କ ନାମ ସାମିଲ କରାଯାଇଛି।

ଗୃହ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ପ୍ରସ୍ତାବରେ ୫ ସାଂସଦଙ୍କ ନାମ ରହିଛି, ଯେଉଁଥିରେ ସାଂସଦଙ୍କ ନକଲି ଦସ୍ତଖତ ରହିଛି। ସଂସଦର ବିଶେଷ ଅଧିକାର କମିଟି ଦ୍ୱାରା ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ରାଘବ ଚଢ଼ା ଏହି ପ୍ରସଙ୍ଗକୁ ଟାଳି ଦେଇଥିଲେ, ଯଦି ପ୍ରିଭିଲେଜ କମିଟି ତାଙ୍କୁ ନୋଟିସ୍ ପଠାଇବ ତେବେ ସେ ଏହାର ଜବାବ ଦେବେ ବୋଲି କହିଛନ୍ତି।

ସିଲେକ୍ଟ କମିଟି ପାଇଁ ଯେଉଁ ୫ ସାଂସଦଙ୍କ ନାଁ ପ୍ରସ୍ତାବକ ଭାବେ ରଖାଯାଇଛି ସେମାନେ ହେଲେ ବିଜେପିର ଏସ୍ ଫାଙ୍ଗନୋନ୍ କୋନ୍ୟାକ୍, ନରହରି ଅମିନ ଓ ସୁଧାଂଶୁ ତ୍ରିବେଦୀ, ଏଆଇଏଡିଏମକେର ଏମ୍ ଥମ୍ବିଦୁରାଇ ଓ ବିଜେଡିର ସସ୍ମିତ ପାତ୍ର। ସୋମବାର ବିଳମ୍ବିତ ସନ୍ଧ୍ୟାରେ ସଂସଦରେ ଦିଲ୍ଲୀ ସର୍ଭିସ ବିଲ୍ ପାରିତ ହୋଇଛି, ଯେଉଁଥିରେ ଆମ୍ ଆଦମୀ ପାର୍ଟି ସରକାରରେ ଥିବା ଅମଲାତନ୍ତ୍ର ଉପରେ ଉପରାଜ୍ୟପାଳଙ୍କୁ ନିୟନ୍ତ୍ରଣ ଦେବାକୁ କୁହାଯାଇଛି।

ବିଜେଡିର ସସ୍ମିତ ପାତ୍ର ଏଏନଆଇକୁ କହିଛନ୍ତି, ଯେତେବେଳେ ଗୃହରେ ପ୍ରସ୍ତାବ ଆଗତ ହେଉଥିଲା (ଦିଲ୍ଲୀ ସର୍ଭିସ ବିଲ୍ ଉପରେ ଆଲୋଚନା ସମୟରେ) ମୁଁ ଜାଣିବାକୁ ପାଇଲି ଯେ ରାଘବ ଚଢାଙ୍କ ଦ୍ୱାରା ଆଗତ ଏକ ପ୍ରସ୍ତାବରେ ମୋ ନାଁ ଉଲ୍ଲେଖ କରାଯାଇଛି। ମୋର ସମ୍ମତି ବିନା ସେ ପ୍ରସ୍ତାବରେ ମୋ ନାମ କେମିତି ରଖିଲେ? ଆଶା କରୁଛି ଗୃହର ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆମେ ସମସ୍ତେ ବ୍ୟକ୍ତିଗତ ଭାବେ ଏ ନେଇ ଅଭିଯୋଗ କରିଛୁ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଅଭିଯୋଗର ତଦନ୍ତ ପାଇଁ ଘୋଷଣା କରିଛନ୍ତି। ଏହି ବିଲର ତର୍ଜମା ପାଇଁ ଉଚ୍ଚ ସଦନରେ ରାଘବ ଚଢା ସିଲେକ୍ଟ କମିଟିକୁ ପ୍ରସ୍ତାବ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିନା ସହମତିରେ ଯଦି ରାଘବ ୫ ସାଂସଦଙ୍କ ଦସ୍ତଖତ ଜାଲିଆତି କରିଥିବେ ତାହେଲେ ତାଙ୍କୁ ଜେଲ୍ ଦଣ୍ଡାଦେଶ ହେବ ସହିତ ରାଜ୍ୟସଭା ପଦ ହରାଇବାର ସମ୍ଭାବନା ରହିଛି।

Comments are closed.