Latest Odisha News

BREAKING NEWS

ଗଞ୍ଜାମରୁ ଆରମ୍ଭ ହେବ ପରିବର୍ତ୍ତନ: ଆପ୍‌

ବ୍ରହ୍ମପୁର:ଆମ୍ ଆଦମୀ ପାର୍ଟି ଗଞ୍ଜାମ ଜିଲାର କର୍ମକର୍ତା ସମ୍ମିଳନୀ ବୁଧବାର ସ୍ଥାନୀୟ ଟାଉନ ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଳର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗଦେଇଥିଲେ । ସେ କହିଥିଲେ ଯେ, ଗଞ୍ଜାମ ହେଉଛି ରାଜନୈତିକ ଦୃଷ୍ଟିକୋଣରୁ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ଜିଲା । ଏହି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନିଜେ ପ୍ରତିନିଧିତ୍ବ କରୁଛନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ରାଜ୍ୟର ସର୍ବାଧିକ ଦାଦାନ ଶ୍ରମିକ ଏହି ଜିଲ୍ଲାରେ ରହିଛନ୍ତି। ଜିଲ୍ଲାର ବିକାଶ ହୋଇନି। ଆଗାମୀ ଦିନରେ ଆପ୍‌ ଏହି ପ୍ରସଙ୍ଗକୁ ନେଇ ଲଢ଼େଇ କରିବ।

ଓଡ଼ିଶାରେ ଆପ୍‌ ଆଗାମୀ ଦିନରେ କ୍ଷମତାକୁ ଆସିବ। ଗଞ୍ଜାମ ଜିଲ୍ଲାରୁ ପରିବର୍ତ୍ତନ ଆରମ୍ଭ ହେବ ବୋଲି ସେ କହିଥିଲେ । କେବଳ ଗଞ୍ଜାମ ନୁହଁ, ଓଡ଼ିଶାରେ ମଧ୍ୟ ଲୋକମାନଙ୍କ ମୌଳିକ ସମସ୍ୟା ନେଇ ଲଢ଼େଇ ଜାରି ରହିବ। ଓଡ଼ିଶାରେ କେବଳ ଆପ୍‌ ହିଁ ବିକଳ୍ପ ଭାବେ ଉଭା ହେଉଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ସହ ମୌଳିକ ବିଷୟଗୁଡ଼ିକୁ ନେଇ ଆପ୍‌ ଲୋକମାନଙ୍କ ପାଖକୁ ଯିବ ବୋଲି ସେ କହିଥିଲେ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥାର ମଡେଲକୁ ସାରା ଭାରତବର୍ଷର ଲୋକେ ପସନ୍ଦ କରୁଛନ୍ତି। ତେଣୁ ପଞ୍ଜାବରେ ଦଳକୁ ଏକତରଫା ବିଜୟ ମିଳିଥିଲା। ଆଗାମୀ ଦିନରେ ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ ମଧ୍ୟ ବିଜୟ ହେବ ବୋଲି କହିଥିଲେ ଆବାହକ ନିଶିକାନ୍ତ।

ଜିଲ୍ଲା ଆବାହକ ସୁବାଷ ରାଉତ ସଭାପତିତ୍ବ କରିଥିବା ବେଳେ ଜିଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ ମଞ୍ଚ ପରିଚାଳନା କରିଥିଲେ। ଜିଲା ପର୍ଯ୍ୟବେକ୍ଷକ ରୁଚିର ରୁଦ୍ର ରଥ, ବାଙ୍ଗାଲୋରର ଯୁବ ଉଦ୍ୟୋଗପତି ନିତ୍ୟାନନ୍ଦ ସାହୁ, ଉପ ସଭାପତି ସୁଧୀର ପ୍ରଧାନ, ନଗର ସଭାପତି ସି. ହରପ୍ରସାଦ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ପି. ମନୋଜ ଏବଂ ନୂତନ ଭାବେ ଦଳରେ ସାମିଲ ହୋଇଥିବା ନେତୃବୃନ୍ଦ ମଞ୍ଚାସିନ ଥିଲେ। ଏହା ପୂର୍ବରୁ ଦଳର ଏକ ବିରାଟ ବାଇକ୍‌ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

Comments are closed.