ଭୁବନେଶ୍ବର: ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ ।ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ସଙ୍କଟରୁ ବାହାରିଛନ୍ତି ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି । ଆଗାମୀ ଦୁଇଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍ସର ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ଆଜି ସୂଚନା ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିଜିତ । ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ । ନିଜର ଦୈନନ୍ଦିନ କାମକୁ ଠିକ୍ ରୂପେ କରୁଥିବା ବେଳେ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଗଣେଶ ପୂଜା ଏବଂ ଦଶହରାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ସେ ବେଶ୍ ଉତ୍ସାହିତ ମଧ୍ଯ ଥିଲେ । ମାତ୍ର ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ପରିବାର ତଥା ଆତ୍ମୀୟମାନେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେବେଠାରୁ ସେ କୋମାରେ ରହିଛନ୍ତି। ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ନିରନ୍ତର ଚିକିତ୍ସା ଚାଲିଛି।ଗତ ଅକ୍ଟୋବର ୨୩ରେ ତାଙ୍କର MRI brain scan କରାଯାଇଥିବା ବେଳେ ରିପୋର୍ଟରେ ମଧ୍ୟ କୌଣସି ସୁଧାର ଦେଖାଯାଇନଥିଲା। ଡାକ୍ତରମାନେ ଅଭିଜିତଙ୍କୁ ଭେଣ୍ଟିଲେଟର ସହାୟତାରୁ ଧୀରେ ଧୀରେ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ତାଙ୍କୁ ସୁସ୍ଥ କରିବା ପାଇଁ ପରିବାର ଓ ଡାକ୍ତରମାନେ ଉଦ୍ୟମ ଚଳାଇଥିଲେ।