Latest Odisha News

BREAKING NEWS

କିଏ ସେଇ ମୋଗଲ ସମ୍ରାଟ ଯାହାଙ୍କୁ ନେଇ ରାଜନୀତି ?

ନୂଆଦିଲ୍ଲୀ:  ଔରଙ୍ଗଜେବଙ୍କୁ ନେଇ ଜୋରଦାର ହୋଇଛି ରାଜନୀତି। ଔରଙ୍ଗଜେବଙ୍କ ମହିମାମଣ୍ଡନ କରି ବିବାଦରେ ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ। ବିବାଦ ବଢିବା ପରେ ସେ କ୍ଷମା ମାଗିଛନ୍ତି। ତେବେ ଇମ୍ରାନ ମସୁଦ ହୁଅନ୍ତୁ କି ରସିଦ ଅଲଭି, ଅବୁ ଆଜମୀଙ୍କ ବୟାନକୁ ସମର୍ଥନ କରିଛନ୍ତି । ଘଟଣାକୁ ନେଇ ବିରୋଧୀ ନେତାଙ୍କୁ ଜୋରଦାର ଟାର୍ଗେଟ୍ କରିଛି ବିଜେପି। ସେପଟେ ମହାରାଷ୍ଚ୍ର ବିଧାନସଭା ବାଚସ୍ପତି ଅବୁ ଆଜମୀଙ୍କୁ ବଜେଟ୍ ଅଧିବେଶନ ଶେଷ ଯାଏଁ ନିଲମ୍ବନ କରିଛନ୍ତି।

ଔରଙ୍ଗଜେବଙ୍କୁ ନେଇ ବିବାଦ କଣ ?
ନିକଟରେ ରିଲିଜ ହୋଇଥିବା ଫିଲ୍ମ ଛାବାକୁ ନେଇ ଆରମ୍ଭ ହୋଇଥିଲା ଔରଙ୍ଗଜେବ ବିବାଦ। ଫିଲ୍ମରେ ଔରଙ୍ଗଜେବ ଛତ୍ରପତି ସମ୍ଭାଜୀ ମହାରାଜଙ୍କୁ 40ଦିନ ଧରି ଭୟାନକ ନିର୍ଯାତନା ଦେବା ସହ କ୍ରୁରତା ସହ ତାଙ୍କୁ ହତ୍ୟା କରିଥିବା ଫିଲ୍ମରେ ଦେଖାଯାଇଛି। ତେବେ ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ ଔରଙ୍ଗଜେବଙ୍କୁ ଜଣେ କ୍ରୁର ଶାସକ ମାନୁନଥିବା କହିଥିଲେ। ସେତେବେଳେ ଧର୍ମକୁ ନେଇ ସଂଘର୍ଷ ହୋଇନଥିଲା ବରଂ ରାଜନୀତିକୁ ନେଇ ହୋଇଥିଲା। ଔରଙ୍ଗଜେବଙ୍କ ସେନାରେ ଅନେକ ହିନ୍ଦୁ ଥିବା ବେଳେ ସମ୍ଭାଜୀ ମହାରାଜଙ୍କ ସେନାରେ ଅନେକ ମୁସଲିମ ଥିଲେ। ଔରଙ୍ଗଜେବ ଓ ସମ୍ଭାଜୀ ମହାରାଜଙ୍କ ମଧ୍ୟରେ ହିନ୍ଦୁ, ମୁସଲିମ ଲଢେଇ ନଥିଲା। ଔରଙ୍ଗଜେବ ଅନେକ ହିନ୍ଦୁ ମନ୍ଦିର ନିର୍ମାଣ କରିଥିଲେ।

ବିବାଦ ପରେ ଅବୁ ଆଜମୀଙ୍କ ୟୁଟର୍ଣ୍ଣ
ବିବାଦ ପରେ ନିଜ ବୟାନ ପାଇଁ କ୍ଷମା ମାଗିଛନ୍ତି ଅବୁ ଆଜମୀ। ତାଙ୍କ ବୟାନକୁ ଏପାଖ ସେପାଖ କରି ଦେଖାଯାଇଛି। ସେ ସମ୍ଭାଜୀ ମହାରାଜଙ୍କୁ ନେଇ କୌଣସି ଅପମାନସୂଚକ ବୟାନ ଦେଇନାହାନ୍ତି। ଔରଙ୍ଗଜେବଙ୍କୁ ନେଇ ଯାହା ଐତିହାସିକ କହିଛନ୍ତି, ସେ କେବଳ ସେତିକି କହିଛନ୍ତି। ଏହା ପରେ ବି ତାଙ୍କ ବୟାନକୁ ନେଇ କେହି କଷ୍ଟ ପାଇଥିଲେ ସେ ଏହାକୁ ପ୍ରତ୍ୟାହାର କରୁଥିବା କହିଛନ୍ତି।

ଅବୁ ଆଜମୀଙ୍କ ସମର୍ଥନରେ ନେତା
ଗୋଟିଏ ଫିଲ୍ମ କରି ଇତିହାସକୁ ଲିଭା ଯାଇପାରିବନି। ଔରଙ୍ଗଜେବ 49ବର୍ଷ ପର୍ଯ୍ୟନ୍ତ ବାହଶାହା ରହିଥିଲେ। ତାଙ୍କ ସମୟରେ ରାଜ୍ୟ ଭିତରେ ଜିଡିପି କେତେ ଥିଲା? ବର୍ମା ପର୍ଯ୍ୟନ୍ତ ଅଖଣ୍ଡ ଭାରତ କିଏ ବନାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ସାଂସଦ ଇମ୍ରାନ ମସୁଦ। ସେହିପରି ସବୁ ରାଜା ମହାରାଜାଙ୍କର କାମ କରିବାର ନିଜସ୍ବ ଷ୍ଟାଇଲ ଥିଲା ବୋଲି କହିଛନ୍ତି କଂଗ୍ରେସ ନେତା ଦାନିଶ ଅଲ୍ଲୀ। ସେପଟେ କେବଳ ଔରଙ୍ଗଜେବଙ୍କୁ କାହିଁକି ଟାର୍ଗେଟ୍ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ଉଦିତ ରାଜ। କଂଗ୍ରେସ ନେତା ରସିଦ ଅଲଭି କହିଛନ୍ତି, ଔରଙ୍ଗଜେବ ମନ୍ଦିରକୁ ବି ଅର୍ଥ ଦେଉଥିଲେ। ସେପଟେ ଅବୁ ଅଜମୀ ବିଜେପି ଇସାରାରେ ଗୁରୁତ୍ବପୂର୍ଣ୍ଣ ବିଷୟରୁ ଧ୍ୟାନ ହଟାଇବାକୁ ଏଭଳି କହିଥିବା ଏଆଇଏମଆଇଏମ୍ କହିଛି।

ଅବୁ ଆଜମୀଙ୍କ ବୟାନକୁ ନେଇ ବର୍ଷିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ତାଙ୍କୁ ବିଧାନସଭାରୁ ନିଲମ୍ବନ କରିବାକୁ ସେ ଦାବି କରିଥିଲେ। ଅବୁ ଆଜମୀ ଦେଶଦ୍ରୋହୀ। ସମ୍ଭାଜୀ ମହାରାଜଙ୍କୁ ଅକଥନୀୟ ନିର୍ଯାତନା ପରେ ବି ସେ ଇସଲାମ ଧର୍ମ ଗ୍ରହଣ କରିନଥିଲେ ବୋଲି ସିନ୍ଦେ କହିଛନ୍ତି। ଏପରିକି ପୂରା ରାଜ୍ୟରେ ବିରୋଧ ପ୍ରଦର୍ଶନ କରିବାକୁ କହିଛି ଶିବସେନା। ବିଜେପି ନେତ୍ରୀ ନବନୀତ ରାଣା ମଧ୍ୟ ବୟାନକୁ ସମାଲୋଚନା କରିଛନ୍ତି। ଭାରତୀୟଙ୍କ ଉପରେ ଜିଜିୟା କର ଲଗାଉଥିବା ଶାସକଙ୍କୁ ଏସପି ତାର ଆଦର୍ଶ ମାନେ। ଏଭଳି ନେତାଙ୍କୁ ୟୁପି ପଠାଯାଉ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Comments are closed.