ଅହମ୍ମଦାବାଦ: ବାଙ୍କକର ଡନ୍ ମୁଏଆଙ୍ଗ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅହମ୍ମଦାବାଦ ଯାଉଥିବା ଲାୟନ୍ ଏୟାର ବିମାନରେ ଏୟାର କଣ୍ଡିସନିଂ ସିଷ୍ଟମ୍ ହଠାତ୍ ମଝି ଆକାଶରେ କାମ କରିବା ବନ୍ଦ କରିଦେଇଥିଲା। ଯାହାଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା।
ଏହାକୁ ନେଇ ଜଣେ ଯାତ୍ରୀ କହିଛନ୍ତି ଯେ ସେମାନଙ୍କୁ ନିଶ୍ୱାସ ନେବାରେ କଷ୍ଟ ହୋଇଥିଲା ଓ ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେବା ସହ ଜଣେ ମହିଳା ଯାତ୍ରୀ ଚେତାଶୂନ୍ୟ ମଧ୍ୟ ହୋଇଯାଇଥିଲେ।ଯାହାଫଳରେ କ୍ୟାବିନ କ୍ରୁଙ୍କୁ ତାଙ୍କର ଯତ୍ନ ନେବାକୁ ପଡିଥିଲା ଓ ପରେ ପାଇଲଟ୍ ବ୍ୟାଙ୍କକ ଫେରିବାକୁ ନିଷ୍ପତ୍ତି ନେଇଥିଲେ।ତେବେ ବ୍ୟାଙ୍ଗକ୍ ରେ ହୋଇଥିବା ଏହି ଘଟଣାଟି ବିଦ୍ୟୁତ୍ ବିଫଳତା ଯୋଗୁଁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।
ପରେ ବୈଷୟିକ କର୍ମଚାରୀମାନେ ଏହି ବିମାନର ଯାଞ୍ଚ କରି ଏହାକୁ ଉଡ଼ାଣ ପାଇଁ ଅନୁପଯୁକ୍ତ ଘୋଷଣା କରିଥିଲେ। ଯାହାପରେ ବିମାନ SL-୨୧୨ ବାତିଲ କରାଯିବା ନେଇ କର୍ତ୍ତୃପକ୍ଷ ମାନେ ଘୋଷଣା କରିଥିଲେ। ତେବେ ଯାତ୍ରୀଙ୍କ ପାଇଁ ଲାୟନ୍ ଏୟାର ଅନ୍ୟ ଏକ ବିମାନ ବ୍ୟବସ୍ଥା କରିଥିଲା।
ସୂତ୍ର ଅନୁଯାୟୀ ବିମାନର ସହାୟକ ପାୱାର ୟୁନିଟ୍ (APU)ରେ କୌଣସି ତ୍ରୁଟି ହୋଇଥିବାରୁ ଏପରି ଘଟଣା ଘଟିଥିବା ଜଣା ପଡ଼ିଛି। ତେବେ ଲାୟନ୍ ଏୟାର ତରଫରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ। କିଛି ଦିନ ତଳେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ଡ୍ରିମଲାଇନର୍ ଦୁର୍ଘଟଣା ପରେ ଯାତ୍ରୀ ମାନଙ୍କ ମଧ୍ୟରେ ଏପରି ଆତଙ୍କ ଖେଳିଯିବା ସ୍ଵାଭାବିକ ଅଟେ। କାରଣ ସେହି ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଥିଲା।
Comments are closed.