Latest Odisha News

BREAKING NEWS

ଶ୍ଵେତାପର୍ଣ୍ଣା ପଣ୍ଡା ୩୩ତମ ଏକଲବ୍ୟ ପୁରସ୍କାର ବିଜେତା 

ପ୍ରୀତିସ୍ମିତ ଭୋଇ ଓ ଆହାନ ଉପବିଜେତା

ଭୁବନେଶ୍ଵର: ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ୨୦୨୫ ମସିହାର ସମ୍ମାନଜନକ ୩୩ତମ ଏକଲବ୍ୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।  ବିଭିନ୍ନ କ୍ଷେତ୍ରର ପ୍ରଖ୍ୟାତ ଜୁରି ସଦସ୍ୟମାନଙ୍କୁ ନେଇ ଗଠିତ ଏକଲବ୍ୟ ପୁରସ୍କାର କମିଟି ଏକ ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି।

ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡା ଏହି ବର୍ଷର ବିଶିଷ୍ଟ ପୁରସ୍କାର ପାଇଛନ୍ତି। ପୁରସ୍କାରର ଅଂଶ ସ୍ଵରୂପ ତାଙ୍କୁ ଏକଲବ୍ୟ ପୁରସ୍କାର ଉତ୍ସବରେ ୭ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି ଏବଂ ଏକ ଟ୍ରଫି ପ୍ରଦାନ କରାଯିବ। ସେହିପରି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରୋତ୍ତୋଳକ ପ୍ରୀତିସ୍ମିତା ଭେଇ ଏବଂ ଟେନିସ୍ ଖେଳାଳି ଆହାନ, ପ୍ରତ୍ୟେକଙ୍କୁ ୧.୫ ଲକ୍ଷ ଟଙ୍କା ରାଶି ଓ ମାନପତ୍ର ପ୍ରଦାନ କରାଯିବ।

ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ଵାରା ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ଦ୍ଵାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠାରୁ ମର୍ଯ୍ୟାଦାଜନକ କ୍ରୀଡା ପୁରସ୍କାର ହୋଇଛି। କ୍ରୀଡାରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡାବିତ୍ ଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ପୁରସ୍କାରପ୍ରାପ୍ତମାନଙ୍କ ନାମ ଘୋଷଣା କରି, ଏକଲବ୍ୟ ପୁରସ୍କାର କମିଟିର ଅଧ୍ୟକ୍ଷ ଏବଂ ଇମ୍ପାକ୍ଟ ର ଟ୍ରଷ୍ଟି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କହିଛନ୍ତି, ଇମ୍ପାକ୍ଟ ସମାଜର ସାମଗ୍ରିକ କଲ୍ୟାଣରେ ଅବଦାନ ରଖୁବା ସହିତ କ୍ରୀଡ଼ାରେ ଉତ୍କର୍ଷତାକୁ ଚିହ୍ନଟ ଏବଂ ପ୍ରେରଣା ଦେବା ପାଇଁ ନିରନ୍ତର ଚେଷ୍ଟା କରୁଛି। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ ରାଜ୍ୟର ଯୁବ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଛି।

ଏହି କାର୍ଯ୍ୟକ୍ରମଟି ଏକଲବ୍ୟ ପୁରସ୍କାର କମିଟିର ସଂଯୋଜକ  ଅଶ୍ବିନୀ ପ୍ରସାଦ ମହାନ୍ତିଙ୍କ ଦ୍ଵାରା ଆୟୋଜିତ ହୋଇଥିଲା।

 

Comments are closed.