ଭୁବନେଶ୍ୱର:କୁଆଡେ ଗଲେ ACF ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟା ଭାରତୀ ? ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରି ହେବା ପରେ ପୋଲିସ ତାଙ୍କୁ ଖୋଜୁଛି । ହେଲେ କାହିଁକି ପାଉନି ? ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କୋର୍ଟ ନିର୍ଦ୍ଦେଶ ପାଇବା ପରେ ପୁଣି ତତ୍ପରତା ଦେଖାଇଛି ପୋଲିସ ।
କୋର୍ଟ ବିଦ୍ୟାଭାରତୀଙ୍କ ସମେତ ତିନି ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ପୋଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇଥିଲା । ହେଲେ ବିଦ୍ୟା ଭାରତୀଙ୍କୁ ନ ପାଇ ପୋଲିସ ଖାଲି ହାତରେ ଫେରିଛି । ଏପରିକି ବିଦ୍ୟାଭାରତୀ କାର୍ଯ୍ୟରତ ବେତନଟୀ ଅଫିସକୁ ପୋଲିସ ଯାଇଥିଲା । କିନ୍ତୁ ସେଠାରେ ବି ତାଙ୍କୁ ପାଇ ନ ଥିଲା ପୋଲିସ ।
ଏଠି କହି ରଖିବୁ, ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ DFO ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ବି NBW ଜାରି କରିଛନ୍ତି କାେର୍ଟ । ଏହା ପରେ ତିନିଜଣଙ୍କୁ ଧରିବା ପାଇଁ ପୋଲିସ ତତ୍ପରତା ପ୍ରକାଶ ପାଇଛି ।
ସୂଚନାଥାଉ କି, ପାରଳାଖେମୁଣ୍ଡି ସରକାରୀ କ୍ୱାର୍ଟରରେ ୨୦୨୧ ଜୁଲାଇ ୧୨ ତାରିଖ ଦିନ ଏସିଏଫ ସୌମ୍ୟରଞ୍ଜନ ଦେହରେ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସୌମ୍ୟ କେମିତି ପୋଡି ହେଲେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ଏକାଠି ଗୋଟିଏ ଘରେ ରହୁଥିଲେ ହେଁ ବିଦ୍ୟାଭାରତୀ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରି ନ ଥିଲେ ଯାହାକୁ ନେଇ ସନ୍ଦେହ ବଢିଥିଲା । ଏପରିକି ଏହି ଘଟଣାରେ ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥଙ୍କ ସଂପୃକ୍ତିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆ ଯାଇଥିଲା।
୩ ମାସ ତଦନ୍ତ ପରେ DFO ଓ ରୋଷେୟାଙ୍କୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ । ଏହା ଏକ ଦୁର୍ଘଟଣା ବୋଲି କହିବା ସହ ଏଥିପାଇଁ ବିଦ୍ୟାଭାରତୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଚାର୍ଜସିଟ ଦାଖଲ କରିଥିଲା ତଦନ୍ତକାରି ସଂସ୍ଥା। ଅନ୍ୟପକ୍ଷେ ସୌମ୍ୟଙ୍କ ବାପା ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି କୋର୍ଟର ଦ୍ବାରସ୍ଥ ହୋଇଥିଲେ।
Comments are closed.