Latest Odisha News

BREAKING NEWS

ବିଦ୍ୟାଭାରତୀଙ୍କୁ ମିଳିଲା ଆଶ୍ୱସ୍ତି; ତଳକୋର୍ଟର NBW ଉପରେ ହାଇକୋର୍ଟଙ୍କ ରୋକ

ଭୁବନେଶ୍ୱର:ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟା ଭାରତୀଙ୍କୁ ମିଳିଲା ସାମୟିକ ଆଶ୍ୱସ୍ତି । ତଳକୋର୍ଟର NBW ଉପରେ ହାଇକୋର୍ଟ ଲଗାଇଛନ୍ତି ରୋକ ।  NBW କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ହାଇକୋର୍ଟ । ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବା ନେଇ ଦିନ ଧାର୍ଯ୍ୟ ହୋଇଛି ।

ACF ସୌମ୍ୟରଞ୍ଜନଙ୍କ ମୃତ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତତ୍କାଳୀନ ଡିଏଫଓ ଏବଂ ସୌମ୍ୟଙ୍କ ରୋଷୟାଙ୍କୁ କ୍ଲିନ ଚିଟ ଦେବା ପରେ ବିଦ୍ୟାଭାରତୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଚାର୍ଜସିଟ ଦାଖଲ କରିଥିଲା । ହେଲେ ସୌମ୍ୟଙ୍କ  ବାପା ଏଥିରେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଭାରତୀଙ୍କ ସମେତ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି କୋର୍ଟର ଦ୍ବାରସ୍ଥ ହୋଇଥିଲେ।

ଗତ ୨ ଦିନ ତଳେ କୋର୍ଟ  ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ DFO ସଂଗ୍ରାମ ବେହେରା, ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ବି NBW ଜାରି କରିଥିଲେ ।। ଏହା ପରେ ତିନିଜଣଙ୍କୁ ଧରିବା ପାଇଁ ପୋଲିସ ତତ୍ପରତା ପ୍ରକାଶ ପାଇଥିଲା । ତେବେ ପୋଲିସ ଦୁଇ ଦୁଇ ଥର ବିଦ୍ୟାଭାରତୀୟଙ୍କ ଗାଁ କପ୍ତିପଦା ସ୍ଥିତ ଗୌଡ ଗାଁକୁ ଯାଇଥିଲେ ହେଁ ତାଙ୍କୁ ନ ପାଇ ଖାଲି ହାତରେ ଫେରି ଆସିଥିଲା ।

ହେଲେ ତଳକୋର୍ଟଙ୍କ ଏପରି ନିର୍ଦ୍ଦେଶ ଉପରେ ଆଜି ହାଇକୋର୍ଟ ରୋକ ଲଗାଇଛନ୍ତି । ଏନବିଡବ୍ଲୁ କାର୍ଯ୍ୟକାରୀ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ବିଦ୍ୟାଭାରତୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି ।

ସୂଚନାଥାଉ କି,  ପାରଳାଖେମୁଣ୍ଡି ସରକାରୀ କ୍ୱାର୍ଟରରେ ୨୦୨୧ ଜୁଲାଇ ୧୨ ତାରିଖ ଦିନ ଏସିଏଫ ସୌମ୍ୟରଞ୍ଜନ ଦେହରେ ନିଆଁ ଲାଗି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସୌମ୍ୟ କେମିତି ପୋଡି ହେଲେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା ।  ଏପରିକି ଏକାଠି ଗୋଟିଏ ଘରେ ରହୁଥିଲେ ହେଁ ବିଦ୍ୟାଭାରତୀ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରି ନ  ଥିଲେ ଯାହାକୁ ନେଇ ସନ୍ଦେହ ବଢିଥିଲା ।  ଏପରିକି ଏହି ଘଟଣାରେ  ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥଙ୍କ ସଂପୃକ୍ତିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା ।   ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆ ଯାଇଥିଲା।

 

Comments are closed.