Latest Odisha News

କଳାକାରଙ୍କ କଳା କାହାଣୀ

ନୂଆଦିଲ୍ଲୀ: କନ୍ନଡ ସିନେମାର ଲୋକପ୍ରିୟ କିନ୍ତୁ ବିବାଦୀୟ ଷ୍ଟାର ଦର୍ଶନଙ୍କୁ ନେଇ ଚର୍ଚ୍ଚା । ଚର୍ଚ୍ଚା ତାଙ୍କର କୌଣସି ଫିଲ୍ମ ରିଲିଜକୁ ନେଇ ନୁହେଁ । ଚର୍ଚ୍ଚା ଏଥିପାଇଁ ଯେ, ନିଜର ଜଣେ ଫ୍ୟାନଙ୍କୁ ଅପହରଣ, ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଦର୍ଶନ । କନ୍ନଡ ସିନେମାର ୪୭ ବର୍ଷିୟ ସୁପରଷ୍ଟାରଙ୍କ ନାଁରେ ଆଗରୁ ରହିଛିି ଅନେକ ଅଭିଯୋଗ । ଏଥରର ଅଭିଯୋଗ ଅତି ସଂଗୀନ । ଦର୍ଶନ ବିବାହିତ । ତାଙ୍କର ଗୋଟିଏ ପୁଅ ବି ରହିଛି । ବିବାହିତ ସତ୍ତ୍ୱେ ଦର୍ଶନ ପବିତ୍ରା ଗୌଡା ନାମ୍ନୀ ଜଣେ ଛୋଟକାଟିଆ ଅଭିନେତ୍ରୀଙ୍କ ସହ ସଂପର୍କ ରଖିଛନ୍ତି । ସୋସିଆଲ ମିିଡିଆରେ ଦର୍ଶନ-ପବିତ୍ରା ଗୌଡାଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ କିଛି ପ୍ରଶଂସକ ଏ ସଂପର୍କକୁ ଗ୍ରହଣ କରିପାରିନାହାନ୍ତି । ସେମାନେ ଦର୍ଶନଙ୍କ ପତ୍ନୀ ବିଜୟଲକ୍ଷ୍‌ମୀଙ୍କ ପ୍ରତି ସମ୍ବେଦନା ଓ ଅନୁକମ୍ପା ପ୍ରକାଶ କରିବା ସହ ପବିତ୍ରାଙ୍କଠାରୁ ଦୂରେଇ ରହିବା ପାଇଁ ନିଜର ଫେଭରିଟ ଷ୍ଟାରଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ, ନିଜର ପ୍ରିୟ ତାରକାଙ୍କୁ ପରାମର୍ଶ ଦେବାକୁ ଯାଇ ସୀମା ଅତିକ୍ରମ କରିଥିଲେ ରେଣୁକାସ୍ୱାମୀ ନାମକ ଜଣେ ପ୍ରଶଂସକ । ପେଷାରେ ଫାର୍ମାସିଷ୍ଟ ରେଣୁକାସ୍ୱାମୀ ଦର୍ଶନଙ୍କ ସହ ସଂପର୍କ ରଖିଥିବାରୁ ପବିତ୍ରାଙ୍କୁ ସୋସିଆଲ ମିଡିଆରେ ଗାଳିଗୁଲଜ କରିବା ସହ ଅଶ୍ଳୀଳ ମେସେଜ ପଠାଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପବିତ୍ରା ରେଣୁକାସ୍ୱାମୀଙ୍କୁ ପାନେ ଦେବା ପାଇଁ ଉସୁକାଇଥିଲେ । ଆଉ ଗାର୍ଲଫ୍ରେଣ୍ଡଙ୍କ କଥା ରଖିଥିଲେ ଦର୍ଶନ । ଫ୍ୟାନଙ୍କୁ ପାନେ ଦେବା ପାଇଁ ଆଉ କିଛି ଫ୍ୟାନଙ୍କ ସହାୟତା ନେଇଥିଲେ । ରେଣୁକାସ୍ୱାମୀଙ୍କୁ ଅପହରଣ କରାଯାଇଥିଲା । ତାଙ୍କୁ ନିର୍ଯାତନା ଦିଆଯାଇ ହତ୍ୟା କରାଯିବା ପରେ ମୃତଦେହକୁ ଏକ ନାଳରେ ଫୋପଡା ଦିଆଯାଇଥିଲା । ପୋଲିସ କହିଛି ଯେ, ଦର୍ଶନ ଓ ବାନ୍ଧବୀ ପବିତ୍ରାଙ୍କ ଉପସ୍ଥିତିରେ ରେଣୁକାସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ଅଭିଯୋଗରେ ଦର୍ଶନ, ପବିତ୍ରାଙ୍କ ସମେତ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏ ସମଗ୍ର ଘଟଣା ଏକ ପରଫେକ୍ଟ କ୍ରାଇମ ଥ୍ରୀଲରଠାରୁ ଆହୁରି ରୋମାଂଚକର ଲାଗୁଛି ।

ଅତୀତରେ ଅନେକ ଅଭିନେତା ଅଭିନେତ୍ରୀ ଅପରାଧରେ ଜଡିତ ହୋଇଥିବା ଅଭିଯୋଗ ହୋଇଛି । କିଛି ଅଭିଯୋଗ ପ୍ରମାଣିତ ହୋଇଛି । ଆଉ କିଛି ଅଭିଯୋଗ ମଧ୍ୟରେ ହିଁ ସୀମିତ ରହିଯାଇଛି । କିଏ ଜେଲ୍ ଯାଇଛି ତ ଆଉ କିଏ କୋର୍ଟରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । କିଛି ବର୍ଷ ତଳେ ମାଲୟଲମ ଅଭିନେତା ଦିଲୀପଙ୍କ ବିରୋଧରେ ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ନିର୍ଯାତନା ଅଭିଯୋଗ ହଇଚଇ ସୃଷ୍ଟି କରିଥିଲା । ଏହି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ଦିଲୀପ ।

ଦିନେ ବଲିଉଡରେ ପ୍ରତିଭାବାନ ଅଭିନେତା ଥିବା ସାଇନି ଆହୁଜା ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଥିଲେ ।  ସାଇନିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ତାଙ୍କ ଚାକରାଣୀ । ଏହି ମାମଲା ସାଇନିଙ୍କ ସମ୍ଭାବନାମୟ ଫିଲ୍ମ କ୍ୟାରିୟରରେ ଅସମୟ ପୂର୍ଣ୍ଣଚ୍ଛେଦ ଟାଣିଥିଲା ।

୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ବେଳେ ଅଣ୍ଡରୱାର୍ଲଡ ସହ ସଂପର୍କ ଓ ଅସ୍ତ୍ରଶସ୍ତ୍ର କିଣିଥିବା ଅଭିଯୋଗରେ ଫସିଥିଲେ ଅଭିନେତା ସଂଜୟ ଦତ୍ତ । ଆର୍ମସ ଆକ୍ଟ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ଜେଲରେ ରହିଥିଲେ ସଂଜୟ ଦତ୍ତ ।

ହିଟ୍ ଆଣ୍ଡ୍ ରନ୍ ଓ କୃଷ୍ଣସାର ମୃଗ ଶୀକାର ଅଭିଯୋଗରେ ଫସିଥିଲେ ସଲମାନ ଖାନ । ସଂଜୟ ଓ ସଲମାନଙ୍କ ମାମଲା ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । କୋକେନ ରଖିଥିବା ଅଭିଯୋଗରେ ଅଭିନେତା ଫରଦିନଙ୍କ ଖାଁ ଗିରଫ ହୋଇଥିଲେ ।

ଗ୍ୟାଙ୍ଗଷ୍ଟର ଆବୁ ସାଲେମ ସହ ଅଭିନେତ୍ରୀ ମୋନିକା ବେଦୀଙ୍କ ଆଫେୟାର, ମମତା କୁଲକର୍ନିଙ୍କ ବିରୋଧରେ ଡ୍ରଗ୍ସ ଟ୍ରାଫିକିଂ ମାମଲା ଓ ଡନ୍ ଭିକି ଗୋସ୍ୱାମୀଙ୍କ ସହ ତାଙ୍କର ସମ୍ପର୍କ ବଲିଉଡର ଚର୍ଚ୍ଚିତ ସ୍କାଣ୍ଡାଲ ମଧ୍ୟରେ ରହିଛି ।

 

Comments are closed.