Latest Odisha News

BREAKING NEWS

ମୁଦ୍ଦା ‘ଆଦାନୀ’: ୧୭ ବିରୋଧୀ ଦଳ ଗୋଷ୍ଠୀରୁ ଦୂରେଇ ରହିଲା ଟିଏମସି

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୁଦ୍ଦା ଗୋଟିଏ। କିନ୍ତୁ ଏକାଠି ପ୍ରତିବାଦ କିମ୍ବା ବୈଠକରେ ସାମିଲ ନହୋଇ ବିରୋଧୀ ଅଲଗା ଅଲଗା ସ୍ଥାନରେ ପ୍ରତିବାଦ କରିବା ଶାସକ ଦଳ ବିଜେପିକୁ ବେଶ ସୁହାଇଛି। ଆଦାନୀ ପ୍ରସଙ୍ଗରେ ବିରୋଧୀ ମେଳିରୁ ଦୂରେଇ ମଙ୍ଗଳବାର ଏକାକୀ ଟିଏମସି ପ୍ରତିବାଦ କରିଛି। ଏହାପରେ ଦେଶର ରାଜନୀତିରେ ବିରୋଧୀ ମେଳିରେ ଟିଏମସି ସାମିଲ ନହୋଇ ‘ଏକଲା ଚଲୋ’ ନୀତି ଆପଣାଉଥିବା ଦେଖିବାକୁ ମିିଳିଛି।

ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ପାଇଁ ରାଜ୍ୟସଭାରେ ବିଆରଏସ, ଆମ୍ ଆଦମୀ ପାର୍ଟି ନୋଟିସ୍ ଦେଇଥିଲେ। ହେଲେ ଏହାକୁ ନେଇ ସଂସଦରେ ହୋହାଲ୍ଲା ଭିତରେ ରାଜ୍ୟସଭା ଦିନକ ପାଇଁ ମୁଲତବୀ ରହିଥିଲା। ପରେ ଗାନ୍ଧୀ ମୂର୍ତ୍ତି ତଳେ ଏବଂ ସଂସଦ ପରିସରରେ ବିରୋଧୀ ଜେପିସି ତଦନ୍ତ ଦାବି କରି ପ୍ରତିବାଦ କରିଥିଲେ। ଏହି ସମୟରେ କିନ୍ତୁ ବିରୋଧୀ ମେଳିରେ ସାମିଲ ନହୋଇ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଦଳ ଟିଏମସି ଅଲଗା ପ୍ରତିବାଦ କରିଥିଲା। ଆଉ ସମାନ ଜେପିସି ତଦନ୍ତ ଦାବି କରିଥିଲା।

ଏମିତିକି ସଂସଦରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳର ବୈଠକରେ ତୃଣମୂଳ କଂଗ୍ରେସର ସାଂସଦ ଯୋଗ ଦେଇନଥିଲେ। ଯେଉଁଥିରେ କଂଗ୍ରେସ ସମେତ ୧୭ଟି ବିରୋଧୀ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ଡିଏମକେ, ସିପିଏମ୍, ଜେଡିୟୁ, ଆରଜେଡି, ଏନସିପି, ଏସପି, ଜେଡିୟୁ, ଉଦ୍ଧବ ଗୋଷ୍ଠୀ, ଆପ୍, ସିପିଆଇ, ଜେଏମ୍ଏମ୍ ଇତ୍ୟାଦି ପ୍ରମୁଖ ଦଳର ନେତା ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ଟିଏମସି ପ୍ରାର୍ଥୀ ହାରିଥିଲେ। ଆଉ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜୟ ହୋଇ ବିଧାନସଭାରେ ଗୋଟିଏ ଆସନ ହାତେଇଛି। ଏହା ବିଜେପି ଓ କଂଗ୍ରେସର ମେଣ୍ଟ ବୋଲି ମମତା ବାନାର୍ଜୀ କହିବା ସହିତ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ମେଣ୍ଟ ବୋଲି କହିଥିଲା। ପରେ ଆଗାମୀ ନିର୍ବାଚନରେ ଟିଏମସି ଏକାକୀ ଲଢ଼ିବ ବୋଲି ମମତା ଘୋଷଣା କରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଗକୁ ସାଧାରଣ ନିର୍ବାଚନ ରହିଛି। ସମସ୍ତ ରାଜନୈତିକ ଦଳ ଅନୁଭବ କରିସାରିଛନ୍ତି ବିଜେପି ଭଳି ଦଳକୁ ଶାସନ ଗାଦିରୁ ହଟାଇବାକୁ ହେଲେ ବିରୋଧୀ ଏକାଠି ହେବା ଦରକାର। ତେଣୁ ପ୍ରଥମେ ବିରୋଧୀ ଏକାଠି ହୋଇ ନିର୍ବାଚନ ଲଢ଼ିବା ଆବଶ୍ୟକ ବୋଲି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଭିନ୍ନ ଭିନ୍ନ ସ୍ଥାନରେ କହି ସାରିଛନ୍ତି।

କିନ୍ତୁ ନିକଟରେ ସିବିଆଇ-ଇଡିର ଦୂରୁପଯୋଗ ହେଉଛି ବୋଲି ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ସାମିଲ ନଥିଲା ନୀତୀଶଙ୍କ ଦଳ। ଏପରି ସ୍ଥିତିରେ ବିରୋଧୀ ଏକାଠି ନରହିବା କେଉଁଠି ନା କେଉଁଠି ଶାସକ ଦଳକୁ ସୁହାଉଛି।

Leave A Reply

Your email address will not be published.