Latest Odisha News

BREAKING NEWS

ଆଜି ଅଧରପଣା ନୀତି, ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଉତ୍ସୁକତା

ପୁରୀ : ବାହୁଡ଼ା ଯାତ୍ରାର ଅବସାନ ପରେ ଏକାଦଶୀ ତିଥିରେ ସୂଚାରୁରୂପେ ସମ୍ପନ୍ନ ହେଲା ତିନିଠାକୁରଙ୍କ ସୁନାବେଶ । ଆଜିର ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ତିନୋଟି ରଥରେ ସଜା ହେବ ୯ଟି ଲମ୍ବା ଲମ୍ବା ମାଟି ପାତ୍ର । ତିନିଠାକୁର ତାଙ୍କର ଅଧର ନିକଟରୁ ପିଇବେ ମଧୁର ପଣା । ରାତି ୮ଟା ୩୦ ସୁଦ୍ଧା ଏହି ଅଧରପଣା ନୀତି ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

 

ତିନିଠାକୁରଙ୍କ ତିନିରଥରେ ଅଧରପଣା ନୀତି ଲାଗି ସମସ୍ତ ପୂର୍ବ ପ୍ରସ୍ତୁତି ସରିଛି । ଶ୍ରୀମନ୍ଦିର ଛାଉଣୀ ମଠ କୂଅରୁ ପାଣି ଆଣି ପିତ୍ତଳ ହଣ୍ଡାରେ ରଖିବେ । ଏହି ପାଣିରେ ବିଭିନ୍ନ ସୁବାସିତ ଦ୍ରବ୍ୟ ମିଶ୍ରଣ କରି ସୁଆର ମାନେ ପ୍ରସ୍ତୁତ କରିବେ ଅଧରପଣା ।

ଏହି ପଣାରେ ମିଶ୍ରିତ ହେବ କଦଳୀ, ସର, ଛାଚି, ଛେନା, ଗୋଲମରିଚ, କର୍ପୁର ଓ ଜାଇଫଳ । ପରେ ପରେ ଗରାବଡୁ, ସୁଆରବଡୁ ଓ ପତ୍ରିବଡୁ ସେବକମାନେ ତିନିରଥରେ ମହାପ୍ରଭୁଙ୍କ ନିକଟରେ ରଖିବେ । ପୂଜାପଣ୍ଡା ପୂଜା କରି ଏହାକୁ ତିନିଠାକୁରଙ୍କୁ ଲାଗି କରାଇବେ । ପୂଜାପରେ ଏହି ଅଧରପଣା ପାତ୍ର ଗୁଡ଼ିକୁ ରଥଉପରେ ଭଙ୍ଗାଯିବ । କିମ୍ବଦନ୍ତୀ କହେ, ଭୂତ, ପ୍ରେତ, ଖପିସ, ବ୍ରହ୍ମରାକ୍ଷସ ବା ଅଶରୀରୀ ମାନଙ୍କ ସ୍ୱର୍ଗପ୍ରାପ୍ତି ନିମେନ୍ତେ ରଥ ଉପରେ ଭଙ୍ଗାଯାଏ ଅଧରପଣା ପାତ୍ର ।

ଏହି ଅଧରପଣାକୁ ସାଧାରଣ ଭକ୍ତମାନେ ସେବନ କରିବା ନିଷେଧ ରହିଛି । ରଥ ଚାରିପାଖେ ରହିଥିବା ଚଣ୍ଡି, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ ଏହି ପଣା ।

 

ତିନିରଥଉପରେ ସକାଳ ୬ଟା ୩୦ରୁ ମଙ୍ଗଳଆଳତୀ ନୀତି ଆରମ୍ଭ ହେବ । ମଇଲମ, ଅବକାଶ, ଗୋପାଳବଲ୍ଲଭ, ସକାଳଧୂପ, ମହାସ୍ନାନ ହେବା ପରେ ମଧ୍ୟାହ୍ନ ଧୂପ ହେବ । ରାତ୍ର ୮ଟା ୩୦ ସୁଦ୍ଧା ଏହି ଅଧରପଣା ନୀତି ସମ୍ପନ୍ନ ହେବ । ତାପରେ ମହାସ୍ନାନ, ମଇଲମ, ବେଶ, ସନ୍ଧ୍ୟା ଆଳତୀ ସମ୍ପନ୍ନ ହେବ । ରଥ ଉପରେ ବଡ଼ସିଂହାର ବେଶ ହୋଇ ବଡ଼ ସିଂହାର ଗରୁଡ଼ ଶୟନ ନୀତି ସମ୍ପନ୍ନ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.