Project Lakshya: ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଲକ୍ଷ୍ୟ’; ଗ୍ରାମାଞ୍ଚଳ ଝିଅଙ୍କ ଫୁଟବଲ ସ୍ୱପ୍ନକୁ ଦେଉଛି ନୂଆ ଉଡାଣ…
ଭୁବନେଶ୍ୱର: ଗ୍ରାମାଞ୍ଚଳ ଓ ଆଦିବାସୀ ବାଳିକାଙ୍କ ଫୁଟବଲ ପ୍ରତିଭାକୁ ଆଗକୁ ଆଣିବା ସହ ସେମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ନୂଆ ସୁଯୋଗ ଦେଉଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଲକ୍ଷ୍ୟ’। ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଏକ ୟୁନିଟ୍ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍ରେ ଏହି କାର୍ଯ୍ୟକ୍ରମ ଚାଲିଛି।
ପଞ୍ଜିକୃତ ଆଦିତ୍ୟ ଉଦୟ ସ୍ପୋର୍ଟସ୍ କ୍ଲବ୍ ଜରିଆରେ ଏହା କାର୍ଯ୍ୟକାରୀ ହେଉଛି। ୬ ଟି ଗ୍ରାମ ପଞ୍ଚାୟତର ବିଦ୍ୟାଳୟ ଓ ଗ୍ରାମରୁ ପ୍ରତିଭା ଚିହ୍ନଟ କରି ଏହି ପ୍ରୟାସରେ ୫୫ ଜଣ କିଶୋରୀ ବାଳିକାଙ୍କୁ ଫୁଟବଲ ପ୍ରଶିକ୍ଷଣ ଦିଆଯାଉଛି। ଏଥିରେ ନିୟମିତ ତାଲିମ ସହ କ୍ରୀଡ଼ା ଭିତ୍ତିଭୂମି, ପୁଷ୍ଟିସାଧନ, ମାର୍ଗଦର୍ଶନ ଓ ପ୍ରତିଯୋଗିତାରେ ଭାଗନେବାର ସୁଯୋଗ ରହିଛି। ଖେଳ ସହିତ ଶୃଙ୍ଖଳା, ଦଳଗତ କାର୍ଯ୍ୟ, ନେତୃତ୍ୱ ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟକ୍ରମରୁ ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ସଫଳତା ମିଳିଛି। ପାଞ୍ଚଜଣ ଖେଳାଳି ଜିଲ୍ଲା ଅଣ୍ଡର୍-୧୪ ଫୁଟବଲ୍ ଦଳ ପାଇଁ ମନୋନୀତ ହୋଇଥିବାବେଳେ ଆଉ ଜଣେ ଖେଳାଳି ଗୋଆର ସମ୍ମାନଜନକ ସେସା (SESA) ଫୁଟବଲ୍ ଏକାଡେମୀରେ ପ୍ରଶିକ୍ଷଣ ନେବା ପାଇଁ ନାମ ଲେଖାଇଛନ୍ତି।
ଜାଙ୍ଗଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପଡ଼ାର ୧୫ ବର୍ଷୀୟା ନନ୍ଦିନୀ ଓରାମ କହିଛନ୍ତି ଯେ, ପିଲାଦିନରୁ ଫୁଟବଲ୍ ପ୍ରତି ତାଙ୍କର ଆଗ୍ରହ ଥିଲେ ମଧ୍ୟ ଏହାକୁ ଗୁରୁତ୍ୱର ସହ ନେବାକୁ ସୁଯୋଗ ମିଳିନଥିଲା। ପ୍ରୋଜେକ୍ଟ ଲକ୍ଷ୍ୟ ତାଙ୍କୁ ତାଲିମ ନେବାର ସୁଯୋଗ ଦେବା ସହ ନିଜ ଦକ୍ଷତା ଉପରେ ବିଶ୍ୱାସ ବଢ଼ାଇଛି। ଫୁଟବଲ୍ ଏବେ ତାଙ୍କୁ ନୂଆ ଆଶା ଓ ପରିଚୟ ଦେଇଛି। ରେଙ୍ଗାଲି ବ୍ଲକ୍ର କଟବଗା ଗ୍ରାମର ସୁରଭି ମୁଣ୍ଡା ନିଜ ଝିଅ ବର୍ଷା ସେସା ଫୁଟବଲ୍ ଏକାଡେମୀ ପାଇଁ ମନୋନୀତ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି। ଝିଅର ପ୍ରତିଭା ଚିହ୍ନଟ କରି ତାକୁ ଆଗକୁ ବଢ଼ିବାର ସୁଯୋଗ ଦେଇଥିବାରୁ ସେ ଆଦିତ୍ୟ ଆଲୁମିନିୟମର ସିଏସ୍ଆର୍ ପ୍ରୟାସ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଜାଙ୍ଗଲା ପଞ୍ଚାୟତର ସାଲେପଡ଼ା ଗ୍ରାମର ୨୦ ବର୍ଷୀୟା ସୁନିତା ମିଞ୍ଜଙ୍କ କହିବା ଅନୁଯାୟୀ, ପୂର୍ବରୁ ସୀମିତ ସୁଯୋଗ ତାଙ୍କ ଫୁଟବଲ୍ ସ୍ୱପ୍ନରେ ବାଧା ସୃଷ୍ଟି କରୁଥିଲା। ଏବେ ନିୟମିତ ପ୍ରଶିକ୍ଷଣ ତାଙ୍କୁ ଉଚ୍ଚ ଲକ୍ଷ୍ୟ ରଖିବା ଓ ପ୍ରତିଯୋଗିତାମୂଳକ ସ୍ତରରେ ଖେଳିବା ପାଇଁ ପ୍ରେରଣା ଦେଇଛି। ସେହିପରି ଲୁଧାପାଲି ଗ୍ରାମର ୨୧ ବର୍ଷୀୟା ନିକିତା ଓରାମଙ୍କ ପାଇଁ ଫୁଟବଲ୍ ଏକ ପାରିବାରିକ ପରମ୍ପରା। ଜାତୀୟ ସ୍ତରର ଫୁଟବଲ୍ ଖେଳାଳି ତାଙ୍କ ମା’ଙ୍କଠାରୁ ପ୍ରେରଣା ପାଇ ସେ ଏବେ ଆଦିତ୍ୟ ଉଦୟ ସ୍ପୋର୍ଟସ୍ କ୍ଲବ୍ ପାଇଁ ଗୋଲକିପର୍ ଭାବେ ଖେଳୁଛନ୍ତି। ପ୍ରୋଜେକ୍ଟ ଲକ୍ଷ୍ୟ ତାଙ୍କୁ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ତାଲିମ ଓ ଖେଳିବାର ସୁଯୋଗ ଦେଇଛି।
ଏହି ପ୍ରୟାସ ସମ୍ପର୍କରେ ଆଦିତ୍ୟ ଆଲୁମିନିୟମ, ଲପଙ୍ଗାର ୟୁନିଟ୍ ହେଡ୍ ଜଗନ୍ନାଥ ନାୟକ କହିଛନ୍ତି ଯେ, ପ୍ରତ୍ୟେକ ବାଳିକା ନିଜ ସାମର୍ଥ୍ୟ ଅନୁଯାୟୀ ଆଗକୁ ବଢ଼ିବାର ସୁଯୋଗ ପାଇବା ଉଚିତ। ପ୍ରୋଜେକ୍ଟ ଲକ୍ଷ୍ୟ ଜରିଆରେ କ୍ରୀଡ଼ାକୁ ମାଧ୍ୟମ କରି ଗ୍ରାମାଞ୍ଚଳର ବାଳିକାଙ୍କୁ ସଶକ୍ତ କରିବା, ଆତ୍ମବିଶ୍ୱାସ ବଢ଼ାଇବା ଓ ଭବିଷ୍ୟତରେ ଅଧିକ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରହିଛି। ଯୁବ ଖେଳାଳିଙ୍କ ସଫଳତା ପ୍ରତିଭା ସହ ସଠିକ୍ ସମର୍ଥନ ଓ ସୁଯୋଗର ଗୁରୁତ୍ୱକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
ପରିବାରଗୁଡ଼ିକ ମଧ୍ୟ ଝିଅମାନଙ୍କ କ୍ରୀଡ଼ା ଆକାଂକ୍ଷାକୁ ଅଧିକ ସମର୍ଥନ କରୁଥିବାରୁ ଏହି ପ୍ରକଳ୍ପ ପାରମ୍ପରିକ ପ୍ରତିବନ୍ଧକ ଦୂର କରିବାରେ ସହାୟକ ହେଉଛି। ପ୍ରଶିକ୍ଷଣ, ପୁଷ୍ଟିସାଧନ, ଭିତ୍ତିଭୂମି, ମାର୍ଗଦର୍ଶନ ଓ ପ୍ରତିଯୋଗିତାର ସୁଯୋଗକୁ ଏକାଠି କରି ଭବିଷ୍ୟତରେ ଓଡ଼ିଶା ଓ ଦେଶ ପାଇଁ ଖେଳିପାରିବା ଭଳି ଦକ୍ଷ ମହିଳା ଫୁଟବଲ୍ ଖେଳାଳି ସୃଷ୍ଟି କରିବା ଦିଗରେ ପ୍ରୋଜେକ୍ଟ ଲକ୍ଷ୍ୟ କାର୍ଯ୍ୟ କରୁଛି।

