Latest Odisha News

ଆଦିତ୍ୟ ବିର୍ଲା ଗ୍ରୁପ୍ ରୁ ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତୃପତ ମିଶ୍ରଙ୍କ ଅବସର ଘୋଷଣା

ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ ଆର୍ ନିର୍ଦ୍ଦେଶକ ସନ୍ତ୍ରୁପତ ମିଶ୍ର କର୍ପୋରେଟ୍ କ୍ଷେତ୍ରରୁ ଅବସର ନେଇ ବିକଳ୍ପ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବୁଧବାର ଆଦିତ୍ୟ ବିର୍ଲାର ମୁଖ୍ୟଙ୍କ ଦ୍ୱାରା ଆଭ୍ୟନ୍ତରୀଣ ଇ-ମେଲ୍ ଜରିଆରେ ଶ୍ରୀ ମିଶ୍ରଙ୍କ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଥିଲା।

ଆଦିତ୍ୟ ବିର୍ଲାରେ ସନ୍ତ୍ରୁପତ ମିଶ୍ର ଦୀର୍ଘ ୨୮ ବର୍ଷ ଧରି ବିଭିନ୍ନ ଦାୟିତ୍ୱ ତୁଲାଇ ଆସୁଥିଲେ। ଯେଉଁଥିରେ ସେ କେବଳ ଗ୍ରୁପ୍ ର ମାନବ ସମ୍ବଳ କାର୍ଯ୍ୟକ୍ରମରେ ସ୍ଥାନ ପାଇନଥିଲେ ବରଂ ବିଭିନ୍ନ ବ୍ୟବସାୟିକ ୟୁନିଟର ନେତୃତ୍ୱ ନେଇଥିଲେ। ଯାହା ଜଣେ ଏଚ୍ଆର୍ ପ୍ରଫେସନାଲଙ୍କ ପାଇଁ ଏକ ବିରଳ ସଫଳତା।

ତାଙ୍କର ବିବିଧ ପୋର୍ଟଫୋଲିଓ ମଧ୍ୟରେ ଆଇଟି କାର୍ଯ୍ୟର ନେତୃତ୍ୱ ନେବା, କାର୍ବନ ବ୍ଲାକ ଏବଂ କେମିକାଲ୍ସ ବ୍ୟବସାୟର ସିଇଓ ଭାବରେ କାର୍ଯ୍ୟ କରିବା ଏବଂ ସଙ୍ଗେ ସଙ୍ଗେ ଗ୍ରୁପ୍ ଏଚ୍ଆର୍ ନିର୍ଦ୍ଦେଶକ, ବିର୍ଲା କାର୍ବନର ଗ୍ରୁପ୍ ନିର୍ଦ୍ଦେଶକ ଏବଂ ରସାୟନ ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରିବା ଅନ୍ତର୍ଭୁକ୍ତ ଥିଲା ।

ଏଚ୍ ଆର୍ ଲିଡର ଭାବେ ମିଶ୍ରଙ୍କ ସଫଳତା ଉଲ୍ଲେଖନୀୟ। ଆଦିତ୍ୟ ବିର୍ଲା ଗ୍ରୁପକୁ ଏକ ଶକ୍ତିଶାଳୀ ନିଯୁକ୍ତିଦାତା ବ୍ରାଣ୍ଡ ଭାବରେ ପ୍ରତିଷ୍ଠା କରିବା ଏବଂ କାର୍ବନ ବ୍ଲାକକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ଉଦ୍ୟୋଗରେ ପ୍ରୋତ୍ସାହିତ କରିବାର ଶ୍ରେୟ ତାଙ୍କୁ ଦିଆଯାଏ । ଏହା ବ୍ୟତୀତ ସେ ବିର୍ଲା ପରିବାରର ଷଷ୍ଠ ପିଢ଼ିର ପୁଅ ଆର୍ଯ୍ୟମାନ ଓ ଅନନ୍ୟା ବିର୍ଲାଙ୍କୁ ମାର୍ଗଦର୍ଶନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଆଦିତ୍ୟ ବିର୍ଲା ଗ୍ରୁପ୍ ମିଶ୍ରଙ୍କ ଉତ୍ତରାଧିକାରୀ ଘୋଷଣା କରିସାରିଛି। ମାନବ ସମ୍ବଳ ର ଗ୍ରୁପ୍ କାର୍ଯ୍ୟନିର୍ବାହୀ ସଭାପତି ଅଶୋକ ରାମଚନ୍ଦ୍ରନ୍ ଗ୍ରୁପ୍ ଏଚ୍ ଆର୍ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ଭୋଡାଫୋନ୍ରୁ ୨୦୧୫ରେ ଗ୍ରୁପ୍ ରେ ଯୋଗ ଦେଇଥିବା ରାମଚନ୍ଦ୍ରନ୍ କର୍ମଚାରୀଙ୍କୁ, ବିଶେଷ କରି ଯୁବ ବର୍ଗଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା ପାଇଁ ତାଙ୍କର ଅତୁଟ ପ୍ରତିବଦ୍ଧତା ପାଇଁ ଜଣାଶୁଣା। ସେ ବିଶ୍ୱାସ କରନ୍ତି ଯେ ଯୁବ, ଉଦୀୟମାନ ନେତାମାନେ ମାନବ ସମ୍ବଳ ଏବଂ ସମଗ୍ର ବ୍ୟବସାୟରେ ପରିବର୍ତନ ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି ।

Comments are closed.