Latest Odisha News

BREAKING NEWS

ମୌଳିକ ସୁବିଧା ଯୋଗାଇବାରେ ପ୍ରଶାସନ ଫେଲ୍; ପର୍ଯ୍ୟଟକଙ୍କ ତୁଳନାରେ ଶୌଚାଳୟ ଓ ସ୍ନାନାଗାର କମ୍

ପୁରୀ: ଅତିଥି ଦେବୋ ଭବଃର ଉଡିଲା ଧଜିଆ। ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଅଣଦେଖା। ବିଶ୍ୱଐତିହ୍ୟ ନଗରୀ ପୁରୀରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ପୁରୀ ପ୍ରଶାସନ। ବିସ୍ତ୍ରୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ସୁଲଭ ଶୌଚାଳୟ। ଦିଗବାରେଣୀ ଛକରୁ ବଳିଆପଣ୍ଡା ଯାତ୍ରୀକା ମଧ୍ୟରେ ମାତ୍ର ଗୋଟିଏ ଶୌଚାଳୟ ଓ ସ୍ନାନାଗାର ଥିବାରୁ ନାହିଁ ନଥିବା କଲବଲ ହେଉଛନ୍ତି ପର୍ଯ୍ୟଟକ। ଯାହାଫଳରେ ବେଳାଭୂମି କଡ ରାସ୍ତା ଉପରେ ଗୋଟିଏ କି ଦୁଇଟି ନଳକୂପ ଉପରେ ଲକ୍ଷାଧିକ ପର୍ଯ୍ୟଟକ ନିର୍ଭର କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ସେପଟେ ପର୍ଯ୍ୟଟକଙ୍କ ତୁଳନାରେ ଶୌଚାଳୟ ଓ ସ୍ନାନାଗାର କମ୍ ରହିଥିବା କଥା ପ୍ରଶାସନ ସ୍ୱୀକାର କରିଥିବା ବେଳେ ବେଳାଭୂମି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଯୋଜନାରେ ଓବିସିସି ଦ୍ବାରା ଖୁବଶୀଘ୍ର ଆଉ କିଛି ଶୌଚାଳୟ ନିର୍ମାଣ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

ଆର୍ନ୍ତଜାତୀୟ ପର୍ଯ୍ୟଟନକ୍ଷେତ୍ର ପୁରୀରେ ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ଅତିଥି ମାନଙ୍କୁ ଦେବତା ଭଳି ମନେକରି ସେମାନଙ୍କୁ ସ୍ୱାଗତ କରିବା ଆବଶ୍ୟକ ବୋଲି ସରକାର ସବୁବେଳେ ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଏଠାରେ ଯେ ପର୍ଯ୍ୟଟକ ମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହା କେହି ଦେଖୁନାଁହାନ୍ତି। ବହିରାଗତ ପର୍ଯ୍ୟଟକ ପୁରୀକୁ ଆସିବା ଯୋଗୁଁ ପୁରୀ ବାସୀନ୍ଦା ଓ ସରକାରଙ୍କ ଆର୍ଥିକ ଉନ୍ନତି ହେଉଥିବା ବେଳେ ପର୍ଯ୍ୟଟକ ମାନଙ୍କୁ ନାହିଁନଥିବା ନିର୍ଯ୍ୟାତନା ଦିଆଯାଉଛି। ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ପରେ ସ୍ୱର୍ଣ୍ଣାଭ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ, ସୂର୍ଯ୍ୟାସ୍ତଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜହ୍ନର ଆଲୁଅରେ ବେଳାଭୂମିରେ ପ୍ରତ୍ୟକଦିନ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଥାଏ। କିଏ ପବିତ୍ର ବେଳାଭୂମିରେ ସ୍ନାନ କରି ପାପ କ୍ଷୟ କରିଥାଏ, ତ ଆଉ କିଏ ସପରିବାର, ସାଙ୍ଗସାଥି ସହ ବେଳାଭୂମିରେ ସ୍ନାନ କରି ମନଭରି ଉପଭୋଗ କରିଥାନ୍ତି।

କେହି କେହି ସ୍ୱର୍ଗଦ୍ବାରରେ ନିଜ ଆତ୍ମୀୟଙ୍କ ଶବସତ୍କାର ପରେ ବେଳାଭୂମିରେ ସ୍ନାନ କରିଥାନ୍ତି। କିନ୍ତୁ ବେଳାଭୂମିରେ ସ୍ନାନ କରିବା ପରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ। ବିସ୍ତ୍ରୀର୍ଣ୍ଣ ବେଳାଭୂମିର ଦିଗବାରେଣୀ ଛକଠାରୁ ବଳିଆପଣ୍ଡା ଯାତ୍ରୀକା ପର୍ଯ୍ୟନ୍ତ ମାତ୍ର ଗୋଟିଏ ଶୌଚାଳୟ ଥିବାରୁ ରାସ୍ତା ଉପର ନଳକୂପରେ ଖୋଲାଖୋଲି ପର୍ଯ୍ୟଟକ ମାନେ ସ୍ନାନ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପର୍ଯ୍ୟଟକ ମାନେ ଅସନ୍ତୋଷ ଜାହିର୍ କରିଥିବା ବେଳେ ସମସ୍ତଙ୍କ କ୍ଷେତ୍ରରେ ଟଙ୍କା ଦେଇ ହୋଟେଲରେ ଏ ସୁବିଧା ପାଇବା ଅସମ୍ଭବ ବୋଲି ମତ ଦେଇଛନ୍ତି। ତେଣୁ ତୁରନ୍ତ ସରକାର ବହୁଳମାତ୍ରାରେ ଶୌଚାଳୟ ନିର୍ମାଣ କରିବାକୁ ଦାବି ହୋଇଛି।

ବିଶ୍ୱସ୍ତରୀୟ ସହରର ପରିକଳ୍ପନାକୁ ଉପହାସ କରୁଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି। ସେପଟେ ପର୍ଯ୍ୟଟକଙ୍କ ତୁଳନାରେ ଶୌଚାଳୟ ବହୁତ୍ କମ୍ ରହିଥିବା କଥାକୁ ସ୍ୱୀକାର କରିଛନ୍ତି ଖୋଦ୍ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ। ଅନ୍ୟପଟେ ବେଳାଭୂମି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପରେ ଓବିସିସି ଦ୍ୱାରା ଯଥେଷ୍ଟ ଶୌଚାଳୟ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀ କରିବାକୁ କୋଟିକୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ବେଳେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ସରକାର ଫେଲ୍ ମାରିବାରୁ ଏହା ବିଶ୍ୱସ୍ତରୀୟ ଯୋଜନାକୁ ଉପହାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.