Latest Odisha News

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ବିଞ୍ଝାରପୁରରେ ମିଳିତ ଫ୍ଲାଗମାର୍ଚ୍ଚ ଓ ସଚେତନ ବାର୍ତ୍ତା

ଯାଜପୁର: ବାଜିସାରିଛି ନିର୍ବାଚନ ବିଗୁଲ। ଆଉ ଦିନ କେଇଟା ପରେ ଆରମ୍ଭ ହେବ ନିର୍ବାଚନ ପର୍ବ। ଏଥିଲାଗି ତାରିଖ ଘୋଷଣା ମଧ୍ୟ ହୋଇସାରିଛି । ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପ୍ରସ୍ତୁତି ଜୋରଦାର କଲେଣି। ନିର୍ବାଚନୀ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଏହାକୁ ଅବାଧ ଓ ଶୃଙ୍ଖଳିତ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍ ଓ ପ୍ରଶାସନ। ଏଥିପାଇଁ ବିଞ୍ଝାରପୁରରେ ପୋଲିସ ପକ୍ଷରୁ କରାଯାଇଛି ଫ୍ଲାଗମାର୍ଚ୍ଚ ଓ ସଚେତନତା ।

ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଠିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ଆଜି ବିଞ୍ଝାରପୁର ଥାନାର ବିଭିନ୍ନ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚରେ ବିଞ୍ଝାରପୁର ତହସିଲଦାର କୈଳାଶ ଚନ୍ଦ୍ର ମହାଳିକ, ବିଡ଼ିଓ ଦିବ୍ୟେନ୍ଦୁ କୁମାର ଦାସ, ବିଞ୍ଝାରପୁର ଥାନା ଅଧିକାରିଣୀ ଅଶୁଂମାଳା ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସିଆରପିଏଫର ସଶସ୍ତ୍ର ଜବାନ ବିଞ୍ଝାରପୁର ବଜାର,ମାଶଡ଼ା, କଏଣା ରଘୁନାଥପୁର ଆଦି ଅଂଚଳରେ ଫ୍ଲାଗମାର୍ଚ୍ଚ କରିଥିଲେ। ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା କ୍ଷେତ୍ରରେ ପୋଲିସ ଓ ସୁରକ୍ଷା ବାହିନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Comments are closed.