Latest Odisha News

BREAKING NEWS

ଆଫଗାନିସ୍ତାନ କ୍ରିକେଟ ଟିମ୍ ଲେଖିଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଦଶକ ଦଶକ ଧରି ଗୃହଯୁଦ୍ଧ ଓ ଅନ୍ୟ ସମସ୍ୟାରେ ଜର୍ଜରିତ ଆଫଗାନିସ୍ତାନର କ୍ରିକେଟ ଟିମ ଲେଖିଛି ନୂଆ ଅଧ୍ୟାୟ । ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଟିମ୍ ଏକ ଆଇସିସି ବିଶ୍ୱକପ୍ ଟୁର୍ନାମେଂଟର ସେମିଫାଇନାଲରେ ପହଂଚିଛି । ରଚିଛି ନୂଆ ଇତିହାସ । ଚଳିତ ଟି-୨୦ ବିଶ୍ୱକପର ଶେଷ ସୁପର ଏଇଟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ରୋମାଂଚକର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବା ସହ ଅଷ୍ଟ୍ରେଲିଆକୁ ବିଦା କରିଛି ଆଫଗାନିସ୍ତାନ । ସେମିଫାଇନାଲକୁୁ ଯିବା ପାଇଁ ସୁପର ଏଇଟରେ ବାଂଲାଦେଶ ବିପକ୍ଷରେ ଆଫଗାନିସ୍ତାନକୁ ବିଜୟ ଆବଶ୍ୟକ ହେଉଥିଲା । ଆଉ ହାରିଥିଲେ ଉନ୍ନତ ନେଟ୍ ରନ୍ ରେଟ୍ ଯୋଗୁଁ ଅଷ୍ଟ୍ରେଲିଆ ଫାଇନାଲକୁ ଯାଇଥାଆନ୍ତା । କିନ୍ତୁ ରସିଦ ଖାନ ଆଣ୍ଡ୍ କୋ ଏହା ହେବାକୁ ଦେଲେ ନାହିଁ । ଡକୱର୍ଥ ଲୁଇସ ନିୟମ ଅନୁସାରେ ବାଂଲାଦେଶକୁ ୮ ରନରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ ଟିମ୍ । ସୁପର ଏଇଟରେ ପୂର୍ବରୁ ଟାଇଟଲ ଫେଭରିଟ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଏକ ବଡଧରଣର ବିପର୍ଯ୍ୟୟ ସୃଷ୍ଟି କରିବା ସହ ନିଜର ସେମିଫାଇନାଲ୍ ଆଶା ଉଜ୍ଜିବୀତ ରଖିଥିଲା ଆଫଗାନିସ୍ତାନ ।

ଆଫଗାନିସ୍ତାନ କ୍ରିକେଟ ଗତ କିଛି ବର୍ଷ ହେବ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରିଆସୁଛନ୍ତି । ସବୁ ଫର୍ମାଟରେ ଏକ ଲଢୁଆ ଦଳ ଭାବେ ନିଜକୁ ପ୍ରତିପାଦିତ କରିଛି ଆଫଗାନିସ୍ତାନ । ବିଶେଷ କରି ସୀମିତ ଓଭର ମ୍ୟାଚରେ ଆଫଗାନିସ୍ତାନର ପ୍ରଦର୍ଶନରେ କ୍ରମାଗତ ଉନ୍ନତି ପରିଲକ୍ଷିତ ହୋଇଛି । ଟାଣୁଆ ଟିମକୁ ମାତ୍ ଦେଉଛି ଆଫଗାନିସ୍ତାନ । ଲଢୁଆ ଓ ଆକ୍ରମଣାତ୍ମକ କ୍ରିକେଟ ପାଇଁ ପ୍ରଶଂସା ସାଉଁଟିଛନ୍ତି ଆଫଗାନିସ୍ତାନ କ୍ରିକେଟର୍ । ଲଗାତର ଭଲ ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଆଫଗାନିସ୍ତାନର ଚରମପନ୍ଥୀ ଓ ରକ୍ଷଣଶୀଳ ଶାସକ ତାଲିବାନ ମଧ୍ୟ ଖୁସି । ଦେଶରେ କ୍ରିକେଟ ଖେଳ ପ୍ରତି କୋହଳ ମନୋଭାବ ପ୍ରକାଶ କରିଛି ତାଲିବାନ ସରକାର । ଆଫଗାନିସ୍ତାନକୁ ଏଣିକି ଅଣ୍ଡରଡଗ୍ କହିଲେ ବୋଧହୁଏ ମସ୍ତବଡ ଭୁଲ୍ ହେବ ।

ଗତବର୍ଷ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ୍ କ୍ରିକେଟରେ ଆଫଗାନିସ୍ତାନର ପ୍ରଦର୍ଶନକୁ କିଏ ବା ଭୁଲିପାରିବ । ଏହି ଟୁର୍ନାମେଂଟରେ ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କା ପରି ପୂର୍ବତନ ଚାମ୍ପିଅନ ଟିମକୁ ହରାଇଥିଲା ଆଫଗାନିସ୍ତାନ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରି ଅଳ୍ପକେ ସେମିଫାଇନାଲରୁ ବଂଚିତ ହୋଇଥିଲା ଆଫଗାନିସ୍ତାନ । ମୁମ୍ବାଇରେ ଏକ ସ୍ମରଣୀୟ ବିଜୟ ହାସଲ କରିବା ଅପେକ୍ଷାରେ ଥିଲା ଆଫଗାନିସ୍ତାନ । କିନ୍ତୁ ଗ୍ଲେନ ମ୍ୟାକ୍ସୱେଲଙ୍କ ଏକ ଅବିଶ୍ୱସନୀୟ ଦ୍ୱିଶତକୀୟ ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ଆଫଗାନିସ୍ତାନଠାରୁ ବିଜୟ ଛଡାଇ ଆଣିଥିଲା । ଏଥର ଟି-୨୦ ବିଶ୍ୱକପର ସୁପର ଏଇଟରେ ଅଷ୍ଟ୍ରେଲିଆକୁ ହରାଇ ସେହି ଯନ୍ତ୍ରଣାଦାୟକ ପରାଜୟର ମଧୁର ପ୍ରତିଶୋଧ ନେଇଛି ଆଫଗାନିସ୍ତାନ । କେବଳ ସେତିକି ନୁହେଁ, ବ।।ଂଲାଦେଶକୁ ହରାଇ ଅଷ୍ଟ୍ରେଲିଆକୁ ଟୁର୍ନାମେଂଟରୁ ବିଦା କରିଛି ଆଫଗାନିସ୍ତାନ ।

ବର୍ଷତମାମ ଟି-୨୦ କ୍ରିକେଟ ଖେଳିଥାଆନ୍ତି ଆଫଗାନିସ୍ତାନର କ୍ରିକେଟର । ଜାତୀୟ ଦଳର ଅନେକ ଖେଳାଳି ବିଭିନ୍ନ ଦେଶର ପେଷାଦାର ଟି-୨୦ ଲିଗରେ ଖେଳନ୍ତି । ଏଥିସହ ବିଭିନ୍ନ ଦଳ ସହ ଦ୍ୱିପାକ୍ଷିକ ଟି-୨୦ ସିରିଜ ଖେଳିଥାଏ ଆଫଗାନିସ୍ତାନ । ଏହା ହିଁ ଫଟାଫଟ୍ କ୍ରିକେଟରେ ଆଫଗାନ କ୍ରିକେଟରଙ୍କ ସଫଳତାର ଏକ କାରଣ ବୋଲି କୁହାଯାଇପାରେ ।

ଆଫଗାନିସ୍ତାନରେ କ୍ରିକେଟର ଲୋକପ୍ରିୟତା ବେଶୀ ପୁରୁଣା ନୁହଁ । ୧୯୭୯ ମସିହାରେ ତତ୍କାଳୀନ ସୋଭିଏତ ସଂଘର ଆଫଗାନିସ୍ତାନ ଆକ୍ରମଣ ପରେ ପଡୋଶୀ ପାକିସ୍ତାନର ଶରଣାର୍ଥୀ ଶିବିରରେ ହିଁ ଆଫଗାନିସ୍ତାନ କ୍ରିକେଟ୍ ର ଏବିସି ଜାଣିଲା । ପାକିସ୍ତାନର ଶରଣାର୍ଥୀ ଶିବିରଗୁଡିକରୁ ହିଁ ଆଫଗାନ୍ କ୍ରିକେଟର ସୃଷ୍ଟି ବୋଲି କହିଲେ ଭୁଲ୍ ହେବ ନାହିଁ ।

ସୌଭାଗ୍ୟବଶତଃ ନବେ ଦଶକର ଦ୍ୱିତୀୟ ପର୍ଯ୍ୟାୟରେ ଯେତେବେଳେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଅକ୍ତିଆର କଲା, ସେମାନେ କ୍ରିକେଟକୁ ବ୍ୟାନ କରିନଥିଲେ । କେବଳ ପୁରୁଷମାନଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ଥିଲା । କିନ୍ତୁ ଭିତ୍ତିଭୂମି ନଥିବାରୁ ପ୍ରତଭାବାନ ଆଫଗାନ କ୍ରିକେଟରମାନେ ପାକିସ୍ତାନର ପେଶାୱର ସହରର ଶରଣାର୍ଥୀ ଶିବିରରେ ଶିଖିଥିଲେ କ୍ରିକେଟର କଳାକୌଶଳ ।

୧୯୯୫ରେ ଗଠନ ହୋଇଥିଲା ଆଫଗାନିସ୍ତାନ କ୍ରିକେଟ ଫେଡେରେସନ । ୨୦୦୧ରେ ଆଫଗାନିସ୍ତାନ କ୍ରିକେଟ ଫେଡେରେସନକୁ ସ୍ୱୀକୃତି ଦେଇଥିଲା ଆଇସିସି । ୨୦୦୧ରେ ଗଠନ ହୋଇଥିଲା ଆଫଗାନିସ୍ତାନ କ୍ରିକେଟ ଟିମ୍ । ପ୍ରଥମେ ଏହି ଦଳ ପାକିସ୍ତାନର ଘରୋଇ କ୍ରିକେଟରେ ଖେଳିବା ଆରମ୍ଭ କରିଥିଲା । ୨୦୦୪ରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଏସିଆନ ରିଜିଓନାଲ୍ ଟୁର୍ନାମେଂଟରେ ଖେଳିବା ଆରମ୍ଭ କଲା । ଏସିସି ଟ୍ରଫିରେ ଷଷ୍ଠ ସ୍ଥାନରେ ରହିଥିଲା ଆଫଗାନିସ୍ତାନ । ୨୦୦୯ ମସିହାରେ ସ୍କଟଲାଣ୍ଡ ବିପକ୍ଷରେ ନିଜର ପ୍ରଥମ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ ଖେଳିଥିଲା ଆଫଗାନିସ୍ତାନ । ୨୦୧୦ରେ ଆୟର୍ଲାଣ୍ଡ ବିପକ୍ଷରେ ମ୍ୟାଚ ଥିଲା ଆଫଗାନିସ୍ତାନର ପ୍ରଥମ ଆନ୍ତର୍ଜାତିକ ଟି-୨୦ ମ୍ୟାଚ୍ ।

ଅନେକ ଆଇସିସି କ୍ୱାଲିଫାଇଂ ଟୁର୍ନାମେଂଟରେ ଲଗାତର ଭଲ ପ୍ରଦର୍ଶନ ପରେ ୨୦୧୧ ମସିହାରେ ଆଫଗାନିସ୍ତାନକୁ ଦିନିକିଆ ଟିମ୍ ଭାବେ ମାନ୍ୟତା ଦେଇଥିଲା ଆଇସିସି । ୨୦୧୭ରେ ଆଫଗାନିସ୍ତାନ ଟେଷ୍ଟ ମାନ୍ୟତା ମଧ୍ୟ ପାଇଥିଲା । ୨୦୨୩ ଦିନିକିଆ ବିଶ୍ୱକପରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ଷଷ୍ଠ ସ୍ଥାନରେ ରହିଥିଲା ଆଫଗାନିସ୍ତାନ ।

ଆଫଗାନ କ୍ରିକେଟର ବିକାଶ ପଛରେ ବିସିସିଆଇର ଉଲ୍ଲେଖନୀୟ ଅବଦାନ ରହିଛି । ଆଫଗାନିସ୍ତାନ କ୍ରିକେଟ ବୋର୍ଡକୁ ସବୁ ସମୟରେ ସହ ଯୋଗ କରିଛି ବିସିସିଆଇ । ଗ୍ରେଟର ନୋଏଡା ଓ ଡେରାଡୁନର କ୍ରିକେଟ ଷ୍ଟାଡିୟମ ଆଫଗାନିସ୍ତାନ କ୍ରିକେଟ ଟିମ୍ ପାଇଁ ଅସ୍ଥାୟୀ ହୋମ୍ ଗ୍ରାଉଣ୍ଡ୍ ରହିଛି । ଏଠାରେ ଆଫଗାନ ଟିମ୍ ବିଭିନ୍ନ ଦଳ ସହ ଏକାଧିକ ଦ୍ୱିପାକ୍ଷିତ ସୀମିତ ଓଭର ସିରିଜ ଖେଳିଛି । ଲାଲଚାନ୍ଦ ରାଜପୁତ, ମନୋଜ ପ୍ରଭାକରଙ୍କ ଭଳି ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ବିଭିନ୍ନ ସମୟରେ ଆଫଗାନିସ୍ତାନ ଜାତୀୟ ଦଳର କୋଚିଂ ଦେଇଛନ୍ତି । ଗତ ୨୦୨୩ ଦିନିକିଆ ବିଶ୍ୱକପରେ ଅଜୟ ଜାଡେଜା ଥିଲେ ଆଫଗାନିସ୍ତାନ କ୍ରିକେଟ ଦଳର ମେଂଟର । ଆଫଗାନିସ୍ତାନର କିଛି ଖେଳାଳି ଆଇପିଏଲରେ ମଧ୍ୟ ଖେଳୁଛନ୍ତି । ଭାରତରେ ଆଫଗାନିସ୍ତାନ ଖେଳାଳିମାନଙ୍କ ଲୋକପ୍ରିୟତା ବି ରହିଛି । ଟେଷ୍ଟ ମାନ୍ୟତା ପାଇଲା ପରେ ଆଫଗାନିସ୍ତାନ ଭାରତ ସହ ହିଁ ଖେଳିଥିଲା ନିଜର ପ୍ରଥମ ମ୍ୟାଚ୍ ।

ନିଜ ଦେଶରେ ବିଶେଷ କିଛି ସୁବିଧାସୁଯୋଗ ଅଭାବ ସତ୍ତ୍ୱେ ମାତ୍ର ୨୫ ବର୍ଷ ମଧ୍ୟରେ ଆଫଗାନିସ୍ତାନ ଆନ୍ତର୍ଜାତିକ କ୍ରିକେଟର ନିଜକୁ ପ୍ରମାଣିତ କରିଛି । ଆଉ ଏହି ଟିମ୍ ଅଣ୍ଡରଡଗ୍ ହୋଇ ରହିନାହିଁ ବୋଲି ନିଶ୍ଚିତ ଭାବେ କୁହାଯାଇପାରିବ ।

Comments are closed.