ନୂଆପଡ଼ା: ଥମୁନି ବିସ୍ଥାପିତଙ୍କ ଦୁଃଖ, ମିଳୁନି ଉପଯୁକ୍ତ କ୍ଷତିପୂରଣ। ଗୋଟିଏ ପଟେ ଆନ୍ଦୋଳନ ଉପରେ ଆନ୍ଦୋଳନ। ଅନ୍ୟପଟେ ଅଧିକାରୀ, ଦଲାଲ ବର୍ଷ ବର୍ଷ ଧରି ଦୁର୍ନୀତି କରି ମାଲାମାଲ। ଭିଟାମାଟି ହରାଇ ସର୍ବସ୍ୱାନ୍ତ ବିସ୍ଥାପିତ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ ସମସ୍ୟା ଥମିବା ବଦଳରେ ବଢ଼ିବାରେ ଲାଗିଛି। ନୂଆପଡା ଜିଲ୍ଲାର ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ହେଉଛି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମ। ଏହି ଡ୍ୟାମ ତିଆରି ପାଇଁ ଶହଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇ ଖର୍ଚ୍ଚ ହୋଇଛି।
ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ନୂଆପଡା ଜିଲ୍ଲା ଖଡ଼ିଆଳ ଓ ବୋଡେନ ବ୍ଲକର ୧୩ ହଜାର ୫ ଶହ ହେକ୍ଟର ଜମି ଓ ବଲାଙ୍ଗୀର ଜିଲ୍ଲାର ୧୬ ହଜାର ୪ ଶହ ହେକ୍ଟର ଜମି ଜଳସେଚିତ ହୋଇ ଶହଶହ ଚାଷୀ ଉପକୃତ ହେଉଛନ୍ତି। ହେଲେ ପରିତାପର ବିଷୟ ଯେଉଁମାନଙ୍କର ଜମି, ଘର-ଦ୍ଵାର ଗଲା ସେମାନେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ବିସ୍ଥାପିତ ସହାୟତା ସମିତି, ବିସ୍ଥାପିତ ଜନ ସଚେତନତା ମଞ୍ଚ ସହ ଅନେକ ସଂଗଠନ ବାରମ୍ବାର ଆନ୍ଦୋଳନ ଓ ଧାରଣା ଦେଇଥିଲେ ହେଁ ପ୍ରତିଶ୍ରୁତି ହିଁ ଏକ ପଦକ୍ଷେପ ହୋଇ ରହିଯାଇଛି।
ଆଜିକୁ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ଦିନ ହେବ ବିସ୍ଥାପିତ ମାବେ ନିଜ ହକ ଓ ଅଧିକାର ପାଇବା ପାଇଁ ଖରା ବର୍ଷାରେ ଦିନରାତି ଧାରଣାରେ ବସିଥିଲେ। ଆଜି ସ୍ଥାନୀୟ ବିଧାୟକ ଏବଂ ନୂଆପଡା ଜିଲ୍ଲାପାଳ ଆଗାମୀ ଏକ ମାସ ମଧ୍ୟରେ ସମସ୍ତ ସମସ୍ୟାର ସମାଧାନ ହେବାର ନିର୍ଭର ପ୍ରତିଶୃତି ଦେଇଥିବାରୁ ଉଭୟଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ଆନ୍ଦୋଳନକାରୀ ମାନେ କହିଛନ୍ତି।
୨୦୦୦ ମସିହାରେ ଏହି ଡ୍ୟାମ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୨୦୨୧ ରେ କାର୍ଯ୍ୟକ୍ଷମ ହୋଇ ପାରିଥିଲା। ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ତିରିଶଟି ଗାଁ ବୁଡି ଅଞ୍ଚଳ ଭାବେ ଘୋଷଣା ହୋଇଥିଲା। ଦଶଟି ଗାଁ ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ହୋଇଥିବା ବେଳେ ୨୦ ଗାଁ ଆଂଶିକ ବୁଡି ଅଞ୍ଚଳ ଭାବରେ ଘୋଷିତ ହୋଇଥିଲା। କିନ୍ତୁ ଏଯାଏଁ ବିସ୍ଥାପିତଙ୍କ ଦୁଃଖ ଦୁର୍ଦ୍ଦଶା ଥମିବାର ନାଁ ନେଉ ନାହିଁ। ଅନେକ ଦାବି ପୂରଣ ହୋଇ ନାହିଁ, ତେଣୁ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ପରିବାରଙ୍କ ସହ ବିସ୍ଥାପିତ ଜନ ସଚେତନତା ମଞ୍ଚ ଦାବି କରି ଆସିଥିଲେ ହେଁ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଆଜକୁ ୩୨ ଦିନ ହେବ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଥିଲେ ଶହ ଶହ ବିସ୍ଥାପିତଙ୍କ ସହ ବିସ୍ଥାପିତ ଜନ ସଚେତନତା ମଞ୍ଚ। ଏହାକୁ ସମର୍ଥନ ଜଣାଇ ସମାଜସେବୀ, ବିଭିନ୍ନ ରାଜନୈତିକ କର୍ମକର୍ତ୍ତା ଅଞ୍ଚଳର ବୁଦ୍ଧିଜୀବୀ ସମର୍ଥନ ଜଣାଇ ଦାବି ପୂରଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଲୋୟର ଇନ୍ଦ୍ର ଜନ ସଚେତନତା ମଞ୍ଚ ତରଫରୁ ଆୟୋଜିତ ଏହି ଗଣ ଧାରଣାରେ ଅନେକ ଦାବି ମାନଙ୍କ ମଧ୍ୟରୁ ୨୦୨୧କୁ କଟଅଫ୍ ଡେଟ୍ ଭାବେ ଗ୍ରହଣ କରିବା ହେଉଛି ମୁଖ୍ୟ ଦାବି। ସାଗମାଛ ଦରରେ ବିସ୍ଥାପିତଙ୍କୁ ସହାୟତା ଦେଇ ଦଲାଲ ଓ ପ୍ରଶାସନିକ ଅଧିକାରୀମାନେ ମାଲାମାଲ୍ ହୋଇ ବିସ୍ଥାପିତଙ୍କୁ ଦୁର୍ଦ୍ଦିନକୁ ଠେଲି ଦେଇଛନ୍ତି। ଏହି ସବୁକୁ ବିରୋଧ କରି ଆଜକୁ ୩୨ ଦିନ ପରେ ବିଳମ୍ବ ହେଲେ ହେଁ ଶେଷରେ ଜିଲ୍ଲାପାଳ ହେମକାନ୍ତ ସାଏ ଏବଂ ସ୍ଥାନୀୟ ଖଡ଼ିଆଳ ବିଧାୟକ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଦାବି ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାର ନିର୍ଭର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ସହ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଛନ୍ତି।
ବିସ୍ଥାପିତଙ୍କ ଆନ୍ଦୋଳନ ଆଜକୁ ଦୀର୍ଘ ଦିନ ବିତିଯାଇଥିଲେ ହେଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଇ ପାରିନାହିଁ। ଶେଷରେ ଖଡ଼ିଆଳ ବିଧାୟକ ଓ ନୂଆପଡା ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ପ୍ରତିଶ୍ରୁତି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ।
Comments are closed.