ମୁମ୍ବାଇ: କର୍ଣ୍ଣାଟକ, ଗୁଜୁରାଟ ପରେ ଏବେ ମହାରାଷ୍ଟ୍ରରେ ପ୍ରବେଶ କରିସାରିଲାଣି ଏଚଏମପିଭି ଭାରସ୍ । ନାଗପୁର ପରେ ଏବେ ମୁମ୍ବାଇର ପୱଇ ସ୍ଥିତ ହିରାନନ୍ଦାନୀ ହସ୍ପିଟାଲରୁ ଏକ ଏଚଏମପିଭି ମାମଲା ସାମ୍ନାକୁ ଆସିଛି। ସେଠାରେ ଏକ ୬ମାସର ଶିଶୁ ଶରୀରରେ ଏହି ଲକ୍ଷଣ ଦେଖିବାକୁ ମିଳିଛି । ଶିଶୁଟିର ଭୀଷଣ କାଶ ହେବା ସହ ଶ୍ଵାସକ୍ରିୟାରେ ଯନ୍ତ୍ରଣା ହେଉଥିଲା । ଏଥିସହ ଶିଶୁଟିର ଅମ୍ଳଜାନ ସ୍ତର ୮୪ ପ୍ରତିଶତକୁ ଖସିଯିବା କାରଣରୁ ଗତ ଜାନୁଆରୀ ୧ ରେ ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ନୂତନ ରାପିଡ୍ ପିସିଆର୍ ଟେଷ୍ଟ୍ ମାଧ୍ୟମରେ ଏହି ଭାଇରସରେ ଶିଶୁଟି ଆକ୍ରାନ୍ତ ହୋଇଥିବା ନେଇ ନିଶ୍ଚିତ କରିଛନ୍ତି ।
ଡାକ୍ତରଙ୍କ କହିବା ଅନୁସାରେ, ଶିଶୁଟିକୁ ଆଇସିୟୁ ଭିତରେ ରଖା ଯାଇଥିଲା । ସେଠାରେ ତାଙ୍କୁ ବ୍ରୋକେଡାୟଲେଟର୍ସ ଭଳି ଔଷଧ ଦିଆଯାଇଥିଲା । ଏହି ଭାଇରସ ପାଇଁ ଏଯାବତ୍ ସେପରି କୌଣସି ଔଷଧ ନଥିବାରୁ ତାଙ୍କୁ ଏହି ଔଷଧ ଦିଆଯାଇଥିଲା । ୫ଦିନ ପରେ ଶିଶୁଟିକୁ ଡିସଚାର୍ଜ କରାଯାଇଥିଲା। ଅନ୍ୟପଟେ ଏନେଇ ବିଏମସି ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ସେମାନଙ୍କୁ ଏନେଇ କୌଣସି ରିପୋର୍ଟ ଦିଆଯାଇନାହିଁ ।
କରୋନା ପରେ ଏବେ ଏଚଏମପିଭି ଭାଇରସ୍ ଚିନ୍ତାର କାରଣ ହେଲାଣି । ଏହି ଭାଇରସ୍ ମୁଖ୍ୟତଃ ୮ ବର୍ଷରୁ କମ୍ ଶିଶୁଙ୍କୁ ସଂକ୍ରମିତ ହେଉଛି । ଗତ ଦୁଇ ଦିନରେ ଦେଶରେ ୭ ଜଣ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ । ତେବେ ସବୁଠୁ ବଡ଼ ଚିନ୍ତାର କାରଣ ହେଉଛି ଏହି ଭାଇରସ୍ ଛୋଟପିଲାଙ୍କୁ ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି । ଏହି ଭାଇରସ ଫୁସ୍ଫୁସ୍ର ଉପର ଓ ତଳ ଭାଗକୁ ଆକ୍ରାନ୍ତ କରୁଛି । ସାଧାରଣ ଥଣ୍ଡାରେ ଯେଉଁ ଲକ୍ଷଣ ସବୁ ଦେଖାଯାଏ, ଏହି ଭାଇରସ ସଂକ୍ରମିତ ହେଲେ, ସେହି ସବୁ ଲକ୍ଷଣ ଦେଖାଯିବାର ସମ୍ଭାବନା ରହିଛି ।
ଭାରତରେ ଚାଇନା ଭାଇରସ ପ୍ରବେଶ କରିବା ପରେ ଦିଲ୍ଲୀ ସରକାର, ସବୁ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଚୀନ ପରେ ମାଲେସିଆରେ ମଧ୍ୟ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି । ମାଲେସିଆ ସରକାର ଏଥିପାଇଁ ଗାଇଡ୍ଲାଇନ୍ ଜାରି କରିଛନ୍ତି । ଭିଡ଼କୁ ନଯିବା, ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବା ପାଇଁ ମାଲେସିଆ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛି ।