Latest Odisha News

BREAKING NEWS

ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାରରୁ ବାଦ୍ ପଡିଛି ।

ଏବେ ସାରା ଦେଶରେ  କଂଗ୍ରେସ ବହୁତ କମ୍ ରାଜ୍ୟରେ ସରକାରରେ ରହିଛି । ଯାହା ବିରୋଧୀଙ୍କୁ ରଣନୈତିକ ଦୃଷ୍ଟିରୁ ଦୁର୍ବଳ କରିଛି। ମହାରାଷ୍ଟ୍ରରେ ବିଜେପିକୁ ଦୂରେଇ ରଖିବା ପାଇଁ କଂଗ୍ରେସ ଶିବସେନା ଓ ଏନସିପି ସହ ମେଣ୍ଟ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ସଦ୍ୟତମ ପରିବର୍ତ୍ତନ ପରେ ଏହାର ଉଦ୍ୟମକୁ ବଡ଼ ଝଟକା ଲାଗିଛି ବୋଲି କହିଲେ ଭୁଲ୍ ହେବ ନାହିଁ।

ବିରୋଧୀ ନିଜ ନୀତିରେ ସାଲିସ କରି ବିଜେପିର ରାସ୍ତାକୁ ବନ୍ଦ କରିବାକୁ ପ୍ରସ୍ତୁତ ହୋଇଥିଲେ। ଏହାର ଜ୍ୱଳନ୍ତ ଉଦାହରଣ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ନିଜ ନୀତି ଆଦର୍ଶର ଘୋର ବିରୋଧୀ କହୁଥିବା ଶିବସେନା ସହ ହାତ ମିଳାଇଥିଲା କଂଗ୍ରେସ । ଏହି ରଣନୀତି ପଛରେ ଉଦ୍ଦେଶ୍ୟ କ୍ଷମତା ହାସଲ କରିବା କମ୍, ବରଂ ବିଜେପିକୁ ସରକାର ଗଢିବାରେ ଅଟକାଇବା ଅଧିକ ଉଦ୍ଦେଶ୍ୟ ଥିଲା। କିନ୍ତୁ ଶିବସେନା ବିଧାୟକଙ୍କ ବିଦ୍ରୋହ ଏହି ଅଢ଼େଇ ବର୍ଷର ପ୍ରୟାସକୁ ଭଣ୍ଡୁର କରିଦେଇଥିଲା।

ମହାରାଷ୍ଟ୍ରରେ ପୂର୍ବରୁ ୨୦୧୫ରେ ବିହାର ଓ ୨୦୧୩ରେ କର୍ଣ୍ଣାଟକରେ ଏଭଳି ପରୀକ୍ଷା କରାଯାଇଥିଲା। କର୍ଣ୍ଣାଟକରେ ଜେଡିଏସ୍ ଓ ବିହାରରେ ମହାମେଣ୍ଟ ସହ କଂଗ୍ରେସ ମେଣ୍ଟ କରିଛି। ତେବେ ୨୦୧୯ ପରେ ବିରୋଧୀଙ୍କ ମଧ୍ୟରେ ସସପେନ୍ସ ଦେଖାଦେଇଛି। ଏପରିକି କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ବିଫଳତା ପୁଣି ଥରେ ବିଜେପିର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଡୁଆରେ ପକାଇଛି। ସେହିପରି ଝାଡଖଣ୍ଡରେ ଜେଏମ୍ଏମ୍-କଂଗ୍ରେସ-ଆରଜେଡି ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି।

କହିରଖୁଛୁ ବିରୋଧୀଙ୍କ ପାଖରେ ପ୍ରସଙ୍ଗର ଅଭାବ ସ୍ପଷ୍ଟ। ଅତୀତରେ ଯେଉଁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ନିର୍ବାଚନ ଲଢ଼ିଥିଲେ, ତାହା ସେତେଟା ଫଳପ୍ରଦ ହୋଇ ନ ଥିଲା। ସେ ଦୁର୍ବଳ ଅର୍ଥନୀତି ହେଉ କି ମାନ୍ଦାବସ୍ଥା, ବେକାରୀ କିମ୍ବା ଚୀନର ବଢୁଥିବା ଜବରଦଖଲ। କେବଳ ସେତିକି ନୁହେଁ କରୋନା ସମୟରେ ଯେଉଁ ଅସୁବିଧା ଦେଖାଦେଇଥିଲା, ବିମୁଦ୍ରାକରଣ ଓ କୃଷି ବିଲକୁ ନେଇ ଯେଉଁ ବିରୋଧ ପ୍ରଦର୍ଶନ ହୋଇଥିଲା, ତାହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିନଥିଲା। କିଛି ଆଞ୍ଚଳିକ ଦଳ ବିଜେପିକୁ କାଉଣ୍ଟର କରିବାରେ ସଫଳ ହୋଇଥିବା ବେଳେ କଂଗ୍ରେସକୁ ଏଯାଏଁ ସଫଳତା ମିଳିପାରିନାହିଁ।

Leave A Reply

Your email address will not be published.