Latest Odisha News

BREAKING NEWS

ସରିଲା ନବଯୗେବନ ଦର୍ଶନ; ମହାବାହୁଙ୍କ ଅପେକ୍ଷାରେ ସିଂହଦ୍ୱାରରେ ଉଭା ତିନି ରଥ

ପୁରୀ:ରାତି ପାହିଲେ ରଥଯାତ୍ରା । ସଜେଇ ହୋଇ ରହିଛି ତିନି ରଥ । ବଡ ଦାଣ୍ଡରେ ବଢିଲାଣି ଭକ୍ତଙ୍କ ଗହଳଚହଳ ।  ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।   ଆଜ୍ଞାମାଳ  ଧରି ରଥଖଳାକୁ ଆସିଥିଲେ ସେବାୟତ ।

ରଥଖଳାରେ ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଏହା ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି ହୋଇଥିଲା । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ କର ଯାଇଥିଲା । ଦକ୍ଷିଣମୋଡ ହେବା ପରେ  ରଥଖଳାରୁ ରଥକୁ ସେବାୟତମାନେ ଟାଣି ଟାଣି ସିଂହଦ୍ୱାର ଚକଡା ନିକଟକୁ  ଆଣିଥିଲେ ।

ଆଜ୍ଞାମାଳ ବିଜେ ପରେ  ପ୍ରଥମେ ସିଂହଦ୍ୱାରକୁ ଆସିଥିଲା ନନ୍ଦିଘୋଷ ରଥ । ପରେ ପରେ ଆସିଥିଲା ଦର୍ପଦଳନ ଓ ତାଳଧ୍ୱଜ ।  ସିଂହଦ୍ୱାର ସମ୍ମୁଖରେ ତିନିରଥ । ଏବେ ଖାଲି ମହାବାହୁଙ୍କ ଅପେକ୍ଷା । କେତେବେଳେ ରାତି ପାହିବ । ରଥାରୁଢ ହେବେ ବିଶ୍ୱନିୟନ୍ତା । ଧନ୍ୟ ହେବ ଏ ରଥ । ଧନ୍ୟ ହେବ ପଥ ।

ଆଜି ଭକ୍ତଙ୍କ ଭଡରେ ସରିଛି ତିନିଠାକୁରଙ୍କ ନବ ଯୌବନ ଦର୍ଶନ ।  ଦୀର୍ଘଦିନ ପରେ ଭକ୍ତ ଭଗବାନଙ୍କ ହୋଇଥିଲା ମହାମିଳନ । ଶ୍ରୀମନ୍ଦିରରେ ଆଜି ସକାଳ ୬ଟା ୩୫ରେ ଚକା ଅପସର, 6ଟା ୪୫ରେ ମଙ୍ଗଳ ଆଳତି ସରିବା ପରେ ହୋଇଥିଲା ଅବକାଶ ପୂଜା, ମଇଲମ ନୀତି । ୭ଟା ୨୫ରେ ତାଟି ଫିଟିଥିଲା ।  ୭ଟା ୩୦ରେ  ଆରମ୍ଭ ହୋଇଥିଲା ପରିମାଣିକ ଦର୍ଶନ। ଦକ୍ଷିଣ ଦ୍ୱାର ଦେଇ ଭକ୍ତ ଶ୍ରଦ୍ଧାଳୁ ମାନେ ପରିମାଣିକ ଟିକେଟ ଯୋଗେ ଶୃଙ୍ଖଳିତ ଦର୍ଶନ କରିଥିଲେ। ଏହାପରେ ସକାଳ ୮ ଟା ରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ।ଏହା ସକାଳ ୧୧ଟା ୨୦ ପର୍ଯ୍ୟନ୍ତ ଚାଲିଥିଲା।

ପ୍ରବଳ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଛତା,ସେଡ୍,ପାନୀୟ ଜଳ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସିଞ୍ଚନର ବ୍ୟବସ୍ଥା ହୋଇଥିଲା। ସେବାୟତଙ୍କ ମଧ୍ୟରେ ଉଚିତ୍ ସମନ୍ଵୟ ଯୋଗୁଁ ନୀତି ଶୃଙ୍ଖଳିତ ଓ ଆଗୁଆ ହୋଇଥିଲା। ଭକ୍ତମାନେ ଏକପାଖିଆ ବ୍ୟାରିକେଡ଼ ଦେଇ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୭୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ। ଅନ୍ୟପଟେ ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ କରିବା ପରେ ମୁଖ୍ୟ ଶାସନସଚିବ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ଭକ୍ତମାନେ କରୁଛନ୍ତି ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ଆସନ୍ତାକାଲି ରଥଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବେ ଶେଷ ହେବ ।

 

Comments are closed.