Latest Odisha News

ଶିକ୍ଷକଙ୍କ ପରେ ଅଙ୍ଗନବାଡି ଦିଦିଙ୍କ ଗର୍ଜନ, ନିର୍ବାଚନ ବେଳେ ସରକାରଙ୍କ ତଣ୍ଟିରେ କଣ୍ଟା

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଅଙ୍ଗନବାଡି କର୍ମୀମାନେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନା ସହିତ ବିଭିନ୍ନ ସଂଗଠନକୁ ଖୁସି କରାଇବାକୁ ସରକାର ରଣନୀତି ତିଆରି କରୁଥିବା ବେଳେ ଶିକ୍ଷକ ଏବଂ ଦିଦିଙ୍କ ନିର୍ବାଚନ ବୟକଟ ଭୋଟରେ ପରିଣତ ହେଲେ ସରକାରଙ୍କୁ ଅଡୁଆ ହେବ। ଯାହାକୁ ନେଇ ଏବେ ଚିନ୍ତାରେ ସରକାର।

ଅଖିଳ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କସ ଆସୋସିଏସନର ନେତୃତ୍ୱରେ ହଜାର ହଜାର ଅଙ୍ଗନବାଡି କର୍ମୀ ମହାତ୍ମାଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ମାସିକ ୧୮ ହଜାରେ ଟଙ୍କା ଦରମା ସବ ଅନ୍ୟାନ୍ୟ ଦାବି ମଧ୍ୟ ରହିଛି। ଯାହାକୁ ବିରୋଧୀ ମଧ୍ଯ ସମର୍ଥନ  କରିଛନ୍ତି। ଆଉ ଚଳିତ ମୌସୁମୀ ଅଧିବେଶନରେ ନିର୍ବାଚିତ ପ୍ରତିନିଧିମାନେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ମଧ୍ୟ କହିଛନ୍ତି।

ସଂଘର ସଦସ୍ୟମାନେ କହିଛନ୍ତି ଯେ, ୩୦-୪୦ ବର୍ଷ ଧରି ଅଙ୍ଗନବାଡି କର୍ମୀମାନେ କାମ କରିବା ପରେ ମଧ୍ୟ ଅବସର ପରେ ଦୁର୍ବିସହ ଜୀବନ ବିତାଉଛନ୍ତି। ତୃଣମୂଳସ୍ତରରେ ସମସ୍ତ ପ୍ରକାର କ୍ଷେତ୍ରୀୟ କାମରେ ସରକାରଙ୍କୁ ସହଯୋଗ କରିବା ଏବଂ ଅଙ୍ଗନବାଡି କର୍ତ୍ତବ୍ୟ ସମ୍ପାଦନ କରିବା ସତ୍ତ୍ୱେ ସେମାନଙ୍କ ପାରିଶ୍ରମିକ ଜଣେ ଦିନ ମଜୁରିଆଠାରୁ ମଧ୍ୟ କମ୍ ବୋଲି ସେମାନେ କହିଛନ୍ତି।

ଅଙ୍ଗନବାଡି କର୍ମୀଙ୍କୁ ମାତ୍ର ୭  ହଜାର ୫୦୦ ଟଙ୍କା ଦିଆଯାଉଛି ଓ ଅଙ୍ଗନବାଡି ସହାୟିକାଙ୍କୁ ମାତ୍ର ୩ ହଜାର ୭୦୦ ଟଙ୍କା ମିଳୁଛି, ସଂଘର ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ ଏହାକୁ ଅଙ୍ଗନବାଡି କର୍ମୀଙ୍କ ପାଇଁ ୧୮ ହଜାର ଟଙ୍କା ଓ ସହାୟିକାଙ୍କ ପାଇଁ ୯  ହଜାର ଟଙ୍କା ଦେବାକୁ ଦାବି କରିଛନ୍ତି।

ଅଙ୍ଗନବାଡି କର୍ମୀଙ୍କ ଦାବି ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିକ୍ଷକଙ୍କ ମାନ୍ୟତା, ଅବସର ସମୟରେ ୫ ଲକ୍ଷ ଟଙ୍କା ସୁବିଧା, ୫ ହଜାର ଟଙ୍କା ପେନସନ ଓ ଅଙ୍ଗନବାଡି କର୍ମୀ ଓ ସହାୟିକା କଲ୍ୟାଣ ବୋର୍ଡ ଗଠନ ଦାବି ମଧ୍ୟ ରହିଛି।

ସେହିପରି ଇପିଏଫ୍, ଇଏସ୍ଆଇସି ଓ ଗ୍ରାଚୁଇଟି ବ୍ୟବସ୍ଥା ଯଥାଶୀଘ୍ର କରିବାକୁ ଅଙ୍ଗନବାଡି କର୍ମୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେଲେ ୭୨ ହଜାର ଅଙ୍ଗନବାଡି କେନ୍ଦ୍ରର ସମସ୍ତ ୧ ଲକ୍ଷ ୩୦ ହଜାର କର୍ମୀ ଓ ସହାୟିକା ଏହି ଆନ୍ଦୋଳନକୁ ତୀବ୍ରତର କରିବେ ବୋଲି କହିଛନ୍ତି।

Comments are closed.