Latest Odisha News

BREAKING NEWS

ୟୁଟ୍ୟୁବ ଦେଖାଇଲା ରୋଜଗାରର ବାଟ, ବଟନଛତୁ ଚାଷ କରି ଲାଭବାନ ହେଲେ ଚାଷୀ

ନବରଙ୍ଗପୁର: ଅବିଭକ୍ତ କୋରାପୁଟ ଜିଲ୍ଲାମଧ୍ୟରେ ପ୍ରଥମକରି ନବରଙ୍ଗପୁର ଜିଲ୍ଲାରେ ବଟନଛତୁର ଚାଷ କରାଯାଉଛି । ପ୍ରଥମକରି ବଟନଛତୁର ଚାଷ ଆରମ୍ଭ କରି ବେଶ ଲାଭବାନ ହେଉଛନ୍ତି ଚାଷୀ ସେପଟେ ରାୟପୁର ଠାରୁ କମ ଦରରେ ଏବଂ ସଜ ବଟନଛତୁ ପାଇ ଗ୍ରାହକ ବି ଖୁସ୍ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ବଟନ ଛତୁ ମାର୍କେଟରେ ରାୟପୁରରୁ ଆସୁଥିବା ଛତୁକୁ ଟକ୍କର ଦେଉଛି ନବରଙ୍ଗପୁରରେ ଉତ୍ପାଦିତ ବଟନଛତୁ ।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡାଗାଁ ନିକଟରେ ପ୍ରଥମଥର ପାଇଁ ବଟନ ଛତୁ ଉତ୍ପାଦନ କରାଯାଉଛି । ପାପଡାହାଣ୍ଡି ଗ୍ରାମର ରଶ୍ମିରଞ୍ଜନ ଡାକୁଆ, ସଂଜୀବ ଅଗ୍ରୱାଲ, ସୁରେନ୍ଦ୍ର ପ୍ରସାଦ ପାଢ଼ୀ, ୩ ଜଣ ଚାଷୀ ବଜାରରେ ବଟନ ଛତୁର ଚାହିଦା ଓ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ଦେଖି ଏହି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଚାଷ କେମିତି କରାଯାଏ, ଏହା ଜାଣିବାପାଇଁ ୟୁଟ୍ୟୁବରେ ସର୍ଚ୍ଚକରି ଦେଖିଥିଲେ । ଏହାପରେ ବ୍ରହ୍ମପୁରର ଏକ ବଟନଛତୁ ଉଦ୍ୟାଗୀଙ୍କ ସହ ମିଶି ସବୁକିଛି ଜାଣିବାପରେ, ନବରଙ୍ଗପୁର ଜିଲ୍ଲାପାଳ ଏବଂ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ସାକ୍ଷାତ କରି ୩ ଜଣଙ୍କ ସହଭାଗିତାରେ ପାପଡାହାଣ୍ଡି, ପ୍ରଧାନୀଗୁଡା ଠାରେ ବଟନଛତୁ ଚାଷ କରୁଛନ୍ତି ଏହି ଚାଷୀ ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗି ଯୋଜନାରେ ଦୁଇ ଏକର ଜାଗାରେ ଏକ କୋଟି ୩୫ ଲକ୍ଷ ଟଙ୍କା ବ୍ୟୟରେ ବଟନଛତୁଚାଷ କରୁଛନ୍ତି ଏହି ୩ଜଣ ଚାଷୀ । ସେହିପରି ଦୁଇଏକର ଜାଗାରେ ଶୀତଳଭଣ୍ଡାର, ଖତ ପ୍ରକ୍ରିୟାକରଣ କେନ୍ଦ୍ର ଆଦି କରି ଗତ ୬ ମାସ ହେବ ଛତୁ ଉତ୍ପାଦନ କାର୍ଯ୍ୟ ଆରମ୍ଭ କରିଛନ୍ତି । ମାସକୁ ୮ ହଜାର କିଲୋ ଛତୁ ଉତ୍ପାଦନ ହେଉଛି । ଯାହା ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି,ରାୟଗଡ଼ା,କୋରାପୁଟ ଓ ନବରଙ୍ଗପୁର ମାର୍କେଟରେ ବିକ୍ରି କରାଯାଉଛି। ଆଗାମୀ ଦିନରେ ଛତୁ ଉତ୍ପାଦନକୁ ଦ୍ବିଗୁଣିତ କରି ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଭଳି ଦୂରଦୁରାନ୍ତ ଅଞ୍ଚଳକୁ ବ୍ୟବସାୟ ବଢାଇବାକୁ ନେଇ ଲକ୍ଷ ରଖିଛନ୍ତି ଏହି ଛତୁ ଚାଷୀ।

Leave A Reply

Your email address will not be published.