Latest Odisha News

BREAKING NEWS

ପୁଣି ନରସିଂହ ଉଠାଇଲେ କୋଶଳ ରାଜ୍ୟ ପ୍ରସଙ୍ଗ, ନାପସନ୍ଦ କରି କଡା ଜବାବ ଦେଲେ ଭୂପିନ୍ଦର ଓ ଖାରବେଳ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାକୁ ଅବହେଳା କଲେ ଦୁଇ ଭାଗ ହେବ ଓଡ଼ିଶା । କିଛି ଦିନ ହେବ ଏହି ପ୍ରସଙ୍ଗ ପ୍ରଶମିତ ହୋଇଥିବା ବେଳେ ବଲାଙ୍ଗୀର ଲୋଇସିଂହାରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ କଂଗ୍ରେସ ବିଧାୟକ ଦଳର ନେତା ଏପରି କହି ପୁଣିଥରେ ପ୍ରସଙ୍ଗରେ ନିଆଁରେ ଘିଅ ଢାଳିଛନ୍ତି।

ସେ କହିଛନ୍ତି, ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି ସରକାର। ଶିକ୍ଷା, ସ୍ୱାସ୍ଥ୍ୟ, କଳା, ନିଯୁକ୍ତି ଆଦି କ୍ଷେତ୍ରରେ ଅବହେଳା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି । ବିକାଶ ପାଇଁ ଆବଶ୍ୟକ ଟଙ୍କା ରିଲିଜ କରୁ ନାହିଁ ସରକାର। ଯଦି ସରକାର ଏହାକୁ ଗୁରୁତ୍ୱ ନଦିଅନ୍ତି ତାହେଲେ ଆଗାମୀ ଦିନରେ ରାଜ୍ୟ ଭାଗ ହୋଇ ଦୁଇଟି ରାଜ୍ୟରେ ପରିଣତ ହେବ। ଏଥିପାଇଁ ସରକାର ହିଁ ଦାୟୀ ରହିବେ । ଏପରି କହିବା ବେଳେ ଛତିଶଗଡ କିଭଳି ମଧ୍ୟପ୍ରଦେଶରୁ ଅଲଗା ହେଲା ତାର ଉଦାହରଣ ଦେଇଛନ୍ତି।

ଏବେ ଏହାକୁ ନାପସନ୍ଦ କରିଛି ବିଜେଡି ଏବଂ ବିଜେପି। ଶାସକ ଦଳ ତଥା ପଶ୍ଚିମ ଓଡିଶାର ନର୍ଲା ବିଧାୟକ ଭୂପିନ୍ଦର ସିଂହ କହିଛନ୍ତି,  ସମୟ ଥିଲା ଭାଗ ହେବାର ଦାବି ଉଠୁଥିଲା। ଏବେ ଆଉ ସେ ସମୟ ନାହିଁ । ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରୁଥିବା ଅଭିଯୋଗକୁ ସେ ଖାରଜ କରିଛନ୍ତି। ଏଥିସହ ଏବେ ତାଙ୍କ ସରକାର ସମସ୍ତ କ୍ଷେତ୍ରରେ ପଶ୍ଚିମ ଓଡିଶାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ବୋଲି କହିଛନ୍ତି। କଳାକାର ଙ୍କୁ ନେଇ ଉଠିଥିବା ବିବାଦ ଦିନେ ସମାଧାନ ହୋଇଯିବ।କିନ୍ତୁ ତାକୁ ନେଇ ପୂର୍ବ ପଶ୍ଚିମ ଭାଗ ଭାଗ ଚିନ୍ତା ଠିକ୍ ନୁହେଁ। ନିର୍ବାଚନ ସମୟରେ ଏକଥା ଉଠେ। ଏହା ନୂଆ ନୁହେଁ। ଲୋକେ ସବୁ ବୁଝିଲେଣି ବୋଲି କହିଛନ୍ତି।

ସେହିପରି ବିଜେପି ନେତା ଖାରବେଳ ସ୍ବାଇଁ କହିଛନ୍ତି, କେଉଁ କାରଣ ପାଇଁ ନରସିଂହ ଦୁଇ ଭାଗ ହେବା କଥା କହୁଛନ୍ତି ବୁଝାଇବା ଆବଶ୍ୟକ। ସେ ନିଜେ ଭୁବନେଶ୍ୱରରେ ରହୁଛନ୍ତି। ନିର୍ବାଚନ ବେଳେ ଏପରି କିଛି ମନ୍ତବ୍ୟ ରଖିଲେ କିଛି ଭୋଟ ମିଳିଯିବ ବୋଲି ଭାବୁଛନ୍ତି।

ସମ୍ବଲପୁର ଜିଲ୍ଲା ଆର୍ଥିକ ଦୃଷ୍ଟି କୋଣରୁ ଉପକୁଳର କିଛି ଜିଲ୍ଲାଠୁ ଉନ୍ନତ ବୋଲି ଖାରବେଳ କହିଛନ୍ତି। କୋଶଳ ରାଜ୍ୟ ଗଠନର କୌଣସି ଆବଶ୍ୟକତା ନାହିଁ। ଆନ୍ଧ୍ରପ୍ରଦେଶଠୁ ଅଲଗା ହୋଇ ତେଲେଙ୍ଗାନା ଏବଂ ବିହାରଠୁ ଝାଡଖଣ୍ଡ ଅଲଗା ହୋଇ କଣ ଉନ୍ନତି କରିଛି କି ବୋଲି ପ୍ରଶ୍ନ କରିଛନ୍ତି। ରାଜ୍ୟ ଅଲଗା କରିଦେଲେ ଉନ୍ନତି ହୁଏ ନି ବୋଲି ଖାରବେଳ କହିଛନ୍ତି। ଲୋକେ ପରିଶ୍ରମ କଲେ ହିଁ ସଂପୃକ୍ତ ରାଜ୍ୟର ଆର୍ଥିକ ସ୍ଥିତି ବଦଳିପାରିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟ ସରକାରଙ୍କ ସଂସ୍କୃୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର ବରଗଡ ଗସ୍ତରେ ଥିବା ବେଳେ ତାଙ୍କୁ କଳାପତାକା ଦେଖାଇ କୋଶଳ ରାଜ୍ୟ ଦାବି କଥା ଉଠାଇଥିଲେ ଆନ୍ଦୋଳନକାରୀ। ଏଥିସହ ସମ୍ବଲପୁରୀ ଭାଷାକୁ ମାନ୍ୟତା ଦାବି କରି ଗୋ ବ୍ୟାକ୍ ନାରା ଦେଇଥିଲା କୋଶଳ ସେନା

Comments are closed.