ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣାରେ ବସିଛନ୍ତି ଆଶାକର୍ମୀ । ସାତ ଦଫା ଦାବି ନେଇ ଆଶା କର୍ମୀଙ୍କ ରଣହୁଙ୍କାର । ରାଜ୍ୟ ଆଶାକର୍ମୀ ସଂଘର ଡାକରାରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛି ଆଶାକର୍ମୀ । ଗଜପତି ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଆଜି ଧାରଣା ଦେଇଛନ୍ତି ସଂଘର କର୍ମକର୍ତ୍ତା, ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା, ଆଶାକର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା, କାର୍ଯ୍ୟର ସମୟ ନିର୍ଘଣ୍ଟ, ମୃତ୍ୟୁ କାଳିନ କ୍ଷତି ପୂରଣ ସହ ବିଭିନ୍ନ ଦାବି ପୂରଣ ନେଇ ଦୀର୍ଘ ଦିନ ହେଲା ଆନ୍ଦୋଳନ କରି ଆସୁଥିଲେ ।
ତେବେ ଗତ କିଛି ଦିନ ହେଲା କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି ଆଶାକର୍ମୀ । ଅଙ୍ଗନବାଡ଼ି ବନ୍ଦ ରହିଥିବାରୁ ପିଲାମାନେ ଅଙ୍ଗନବାଡ଼ିର ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି । ବିଧାନସଭା ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପୂରଣ ନହେବା ଯାଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରଖିବେ ବୋଲି କହିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାର ଶତାଧିକ ଆଶାକର୍ମୀ ଏକତ୍ରିତ ହୋଇ ଆନ୍ଦୋଳନ ଜାରି ରଖିଛନ୍ତି ।